ୱାଶିଂଟନ: ମ୍ୟାଲେରିଆ ନିରୋଧକ ହାଇଡ୍ରୋକ୍ସିକ୍ଲୋରୋକୁଇନ ରପ୍ତାନି ଉପରେ ଭାରତ ନିଷେଧାଦେଶ ହଟାଇବାର ପରେ ଶନିବାର ଆମେରିକା ସମେତ ବିଭିନ୍ନ ଦେଶକୁ ଯୋଗାଣ କରିଛି । ଗତ ସପ୍ତାହରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ 35.82 ଲକ୍ଷ ହାଇଡ୍ରୋକ୍ସିକ୍ଲୋରୋକୁଇନ ଯୋଗାଇଦେବାକୁ ଭାରତକୁ ଅନୁରୋଧ କରିଥିଲେ । ଭାରତ ପକ୍ଷରୁ ଟ୍ରମ୍ପଙ୍କ ଅନୁରୋଧ ରକ୍ଷା କରାଯାଇ ଔଷଧ ଯୋଗାଣ କରାଯାଇଛି ।‘COVID-19 ବିରୋଧରେ ଲଢେଇ ପାଇଁ ଆମ ସହଯୋଗୀ ମାନଙ୍କୁ ସମର୍ଥନ କରିବୁ । ସେଥିପାଇଁ ଭାରତରୁ ହାଇଡ୍ରୋକ୍ସିକ୍ଲୋରୋକୁଇନ ଆସି ନ୍ୟୁୟର୍କ ବିମାନବନ୍ଦରରେ ପହଞ୍ଚିଛି’ ବୋଲି ଆମେରିକା ସ୍ଥିତ ଭାରତୀୟ ରାଷ୍ଟ୍ରଦୂତ ତାରଞ୍ଜିତ ସିଂ ସାନ୍ଧୁ ଟ୍ବିଟ କରି କହିଛନ୍ତି ।
ଗତ ସପ୍ତାହରେ ଫୋନରେ କଥାହେବା ବେଳେ, ଆମେରିକା ରାଷ୍ଟ୍ରପତି ଟ୍ରମ୍ପ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ମ୍ୟାଲେରିଆ ବିରୋଧୀ ଔଷଧରେ ଲଗାଯାଇଥିବା କଟକଣା ହଟାଇବାକୁ ଅନୁରୋଧ କରିଥିଲେ । ବିଶ୍ବର 70 ପ୍ରତିଶତ ହାଇଡ୍ରୋକ୍ସିକ୍ଲୋରୋକୁଇନ ଉତ୍ପାଦନ କରୁଥିବା ଭାରତ ଏପ୍ରିଲ 7ରେ ଏହି ପ୍ରତିବନ୍ଧକକୁ ହଟାଇ ଦେଇଛି ।
ଆମେରିକାର ଫୁଡ ଓ ଡ୍ରଗ୍ସ ଆଡମିନିଷ୍ଟ୍ରେସନ ଦ୍ବାରା ହାଇଡ୍ରୋକ୍ସିକ୍ଲୋରୋକୁଇନକୁ କୋରୋନା ପାଇଁ ସମ୍ଭାବ୍ୟ ଚିକିତ୍ସା ଭାବରେ ଚିହ୍ନଟ ହୋଇଛି । ଏହା ନ୍ୟୁୟର୍କର 1,500ରୁ ଅଧିକ କୋରୋନା ଭାଇରସ ରୋଗୀଙ୍କ ଉପରେ ପରୀକ୍ଷା କରାଯାଉଛି ।ପ୍ରାରମ୍ଭିକ ସକରାତ୍ମକ ଫଳାଫଳକୁ ଦୃଷ୍ଟିରେ ରଖି ଏହା କାର୍ଯ୍ୟ କରିବ ବୋଲି ଟ୍ରମ୍ପ ଆଶା କରିଛନ୍ତି । ତେଣୁ ସେ କୋରୋନା ରୋଗୀଙ୍କ ଚିକିତ୍ସା ପାଇଁ 29 ମିଲିୟନରୁ ଅଧିକ ଡୋଜ ହାଇଡ୍ରୋକ୍ସିକ୍ଲୋରୋକୁଇନ କିଣିଛନ୍ତି ।
ଆମେରିକୀୟମାନେ ଔଷଧ ସାମଗ୍ରୀର ଆଗମନକୁ ସ୍ବାଗତ କରିଥିଲେ । ନ୍ୟୁୟର୍କ ସ୍ଥିତ ରିୟଲ ଇଷ୍ଟେଟ ପରାମର୍ଶଦାତା ଅଲ ମେସନ କହିଛନ୍ତି ଯେ, ‘ଭାରତ ଦ୍ବାରା କରାଯାଇଥିବା ଏହି ମଣିଷପଣିଆକୁ ଆମେରିକା କେବେବି ଭୁଲି ପାରିବ ନାହିଁ ।’ ରାଷ୍ଟ୍ରପତି ଟ୍ରମ୍ପ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧୀନରେ ପୃଥିବୀର ଦୁଇଟି ବୃହତ୍ତମ ଗଣତାନ୍ତ୍ରିକ ରାଷ୍ଟ୍ର ଏକତ୍ରିତ ହୋଇଛି ବୋଲି ସେ ପ୍ରକାଶ କରିଛନ୍ତି । ଫ୍ରାନ୍ସ 1,061 ଜଣ କୋରୋନା ରୋଗୀଙ୍କ ଠାରେ କରିଥିବା ଏକ ଅଧ୍ୟୟନରୁ ଜଣାଯାଇଛି ଯେ, ଆଣ୍ଟି-ବାୟୋଟିକ ସହ ହାଇଡ୍ରୋକ୍ସିକ୍ଲୋରୋକୁଇନ ଉପଯୋଗ କରିବା ପରେ 10 ଦିନ ମଧ୍ୟରେ 91.7 ପ୍ରତିଶତ ଉପଶମ ହୋଇପାରୁଛି । ସେହିପରି 15ଦିନ ପରେ ଏହା 96 ପ୍ରତିଶତ ଆରୋଗ୍ୟ ହାର ମଧ୍ୟ ରିପୋର୍ଟ କରିଛି ।
ଏହି ସପ୍ତାହ ଆରମ୍ଭରେ, ବୟସ୍କଙ୍କ ଚିକିତ୍ସା ପାଇଁ ହାଇଡ୍ରୋକ୍ସିକ୍ଲୋରୋକୁଇନର କ୍ଲିନିକାଲ ଟ୍ରାଏଲରେ ଏହାର ପ୍ରଭାବ ଓ ସୁରକ୍ଷା ସଂପର୍କରେ ପରୀକ୍ଷା ଆରମ୍ଭ ହୋଇଛି ବୋଲି ନ୍ୟାସନାଲ ଇନଷ୍ଟିଚ୍ୟୁଟ ଅଫ ହେଲଥ ରିପୋର୍ଟ କରିଛି । ମ୍ୟାଲେରିଆ ଓ ଆର୍ଥ୍ରାଇଟିସ ପରି ରିମାଟଏଡ ଅବସ୍ଥା ପାଇଁ ହାଇଡ୍ରୋକ୍ସିକ୍ଲୋରୋକୁଇନ ବ୍ୟବହୃତ ହୁଏ । ବିଭିନ୍ନ ଅଧ୍ୟୟନରେ ଏହା ଆଣ୍ଟିଭାଇରାଲ କାର୍ଯ୍ୟକଳାପ, ଶାରିରୀକ ପ୍ରତିରକ୍ଷା ପ୍ରଣାଳୀର କାର୍ଯ୍ୟକଳାପକୁ ପରିବର୍ତ୍ତନ କରିବାର ଶକ୍ତି ପ୍ରଦର୍ଶନ କରିଛି । ଏଥିରେ ଉପଯୁକ୍ତ ମାତ୍ରାରେ ଶକ୍ତ ସୁରକ୍ଷା ବଳୟ ରହିବା ଦ୍ବାରା, ଯାହା କୋରୋନା ମୁକାବିଲା ପାଇଁ ମଧ୍ୟ ଉପଯୋଗୀ ହୋଇପାରେ ବୋଲି ନ୍ୟାସନାଲ ଇନଷ୍ଟିଚ୍ୟୁଟ ଅଫ ହେଲଥ କହିଛି ।
ଏହି ଔଷଧର ମଧ୍ୟ ପାର୍ଶ୍ବ ପ୍ରତିକ୍ରିୟା ରହିପାରେ, ଏହାର ସ୍ବଳ୍ପ ମିଆଦୀ ବ୍ୟବହାର ଦ୍ବାରା ହୃଦରୋଗ, ଚର୍ମ ରୋଗ କିମ୍ବା ହାଇପୋଗ୍ଲିସେମିଆ ହେବାର ସମ୍ଭାବନା ରହିଛି । ଆମେରିକାର ଅନେକ ଡାକ୍ତରଖାନା ବର୍ତ୍ତମାନ କୋରୋନା ରୋଗୀମାନଙ୍କ ପାଇଁ ହାଇଡ୍ରୋକ୍ସିକ୍ଲୋରୋକୁଇନକୁ ପ୍ରଥମସ୍ତରୀୟ ଚିକିତ୍ସା ଭାବରେ ବ୍ୟବହାର କରୁଛନ୍ତି । ଏହାର ପ୍ରଭାବକୁ ଗବେଷକମାନେ ସମର୍ଥନ କରୁଥିବା ଦେଖିବାକୁ ମିଳିଛି । କୋରୋନାର ଚିକିତ୍ସା ପାଇଁ ହାଇଡ୍ରୋକ୍ସିକ୍ଲୋରୋକୁଇନ ସମ୍ବନ୍ଧୀୟ ତଥ୍ୟ କ୍ଲିନିକାଲ ଅଭ୍ୟାସ ବିଷୟରେ ସୂଚନା ଦେବା ପାଇଁ ଜରୁରୀ ବୋଲି ଗବେଷକ କହିଛନ୍ତି ।
ନ୍ୟାସନାଲ ଇନଷ୍ଟିଚ୍ୟୁଟ ଅଫ ହେଲଥ ଅନୁଯାୟୀ, ଅଂଶଗ୍ରହଣକାରୀମାନଙ୍କୁ 400 ମିଲିଗ୍ରାମ ଦୁଇଥର(ପ୍ରଥମ ଦିନ), ତା’ପରେ ପରବର୍ତ୍ତୀ ଆଠଟି ଡୋଜ ପାଇଁ ଦୁଇଥର 200 ମିଲିଗ୍ରାମ କିମ୍ବା ପାଞ୍ଚ ଦିନ ପାଇଁ ଦୁଇଥର ବିକଳ୍ପ ଭାବେ ଗ୍ରହଣ କରାଯିବ । କୋରୋନା ଭୂତାଣୁ ଡିସେମ୍ବର 2019ରେ ଚାଇନା ହୁବେଇ ପ୍ରଦେଶର ଉହାନରେ ଚିହ୍ନଟ ହୋଇଥିଲା । ଶନିବାର ସୁଦ୍ଧା ବିଶ୍ବରେ 16 ଲକ୍ଷରୁ ଅଧିକ ଲୋକ ପଜିଟିଭ ରହିଥିବା ଜଣାପଡିଛି । ସେହିପରି ଏକ ଲକ୍ଷରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି । ବର୍ତ୍ତମାନ 20,000 ମୃତ୍ୟୁ ଓ 5.3 ଲକ୍ଷ ମାମଲା ସହିତ ଆମେରିକା ବିଶ୍ବର କୋରୋନା ହଟସ୍ପଟ ଭାବରେ ଉଭା ହୋଇଛି ।
@PTI