ଟରୋଣ୍ଟୋ: କୋରୋନା ମୁକାବିଲାରେ ସାଧାରଣ ନାଗରିକଙ୍କୁ ଅଭିବାଦନ କରିବାକୁ ଯାଇ କାନାଡାର ବାୟୁସେନା ବିମାନ ଦୁର୍ଘଟଣାଗ୍ରସ୍ତ । ରବିବାର ବ୍ରିଟିଶ କଲମ୍ବିଆରେ କାନାଡାର ସ୍ନୋବର୍ଡସର ବାୟୁସେନାର ଏକ ଜେଟ୍ ଦୁର୍ଘଟଣାଗ୍ରସ୍ତ ହୋଇଛି। ଦୁର୍ଘଟଣାରେ ଜଣେ ପାଇଲଟଙ୍କ ମୃତ୍ୟୁ ହୋଇଥିବାବେଳେ ଅନ୍ୟ ଏକ ପାଇଲଟ ଗୁରୁତର ଭାବେ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ଏନେଇ ସେନା ପକ୍ଷରୁ ସୂଚନା ଦିଆଯାଇଛି ।
ସ୍ଥାନୀୟ ଗଣମାଧ୍ୟମ ଅନୁସାରେ, ରବିବାର ଅପରାହ୍ନ ସମୟରେ ଏହି ବିମାନଟି କାମଲୁପ୍ସ ନିକଟରୁ ଉଡାଣ ଭରିଥିଲା । ଉଡାଣ ଭରିବାର କିଛି ସମୟ ପରେ ଏକ ଘର ଉପରେ ବିମାନଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ପ୍ରାଦେଶିକ ସ୍ୱାସ୍ଥ୍ୟମନ୍ତ୍ରୀ ଆଡ୍ରିଆନ୍ ଡିକ୍ସ ଟ୍ୱିଟ୍ କରି କହିଛନ୍ତି, ଦୁର୍ଘଟଣାରେ ଜଣେ ବ୍ୟକ୍ତିଙ୍କୁ ଗୁରୁତର ଅବସ୍ଥାରେ ହସ୍ପଟାଲରେ ଭର୍ତ୍ତି କରାଯାଇଛି ।
ରୟାଲ କାନାଡିଆନ ବାୟୁସେନା ଟୁଇଟ୍ କରି କହିଛନ୍ତି, କାନାଡିଆନ୍ ଫୋର୍ସ ସ୍ନୋବର୍ଡସ୍ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିବା ନେଇ #RCAF କୁ ଜଣାଇଛି ।
ସେପଟେ, ପ୍ରତ୍ୟକ୍ଷଦର୍ଶୀଙ୍କ ମୁତାବକ, ଦୁର୍ଘଟଣା ପୂର୍ବରୁ ପାଇଲଟ୍ ପାରାଚ୍ୟୁଟ୍ ସାହାଯ୍ୟରେ ବିମାନରୁ ବାହାର ଆସିଥିଲେ । ଅନ୍ୟ ଏକ ପାଇଲଟ୍ ଏକ ଘରର ଛାତ ଉପରେ ଅବତରଣ କରିବା ସମୟରେ ତାଙ୍କ ଶରୀରେ ଆଘାତ ଲାଗିଥିବା ଜଣାପଡିଛି ।
ସୂଚନାଯୋଗ୍ୟ, ଦୁଇଟି ବିମାନ ବ୍ରିଟିଶ କଲମ୍ବିଆ ଉପରେ ଉଡ଼ାଣ କରିବାର କାର୍ଯ୍ୟକ୍ରମ ଥିଲା । ଯାହା "ଅପରେସନ୍ ପ୍ରେରଣା" ନାମକ ଏକ ଟୁରର ଅଂଶ ଭାବରେ ଚଳିତ ମାସ ଆରମ୍ଭ ହୋଇଛି । ଏହା ଦ୍ବାରା କରୋନା ଭାଇରସ୍ ମହାମାରୀର ମୁକାବିଲା ପାଇଁ କାନାଡିୟମାନଙ୍କ ଉଦ୍ୟମକୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଉଥିଲା ।