ୱାଶିଂଟନ: ଆରମ୍ଭ ହୋଇଯାଇଛି ବାଇଡେନ ଯୁଗ । 46 ତମ ରାଷ୍ଟ୍ରପତି ଭାବରେ ଶପଥ ନେଇଛନ୍ତି ଜୋ ବାଇଡେନ । କାର୍ଯ୍ୟକାଳର ପ୍ରଥମ ଦିନରେ ଜୋ ବାଇଡେନ 17 ଟି ସରକାରୀ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶ ଉପରେ ଲଗାଇଛନ୍ତି ମୋହର । ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଅନେକ ନିଷ୍ପତ୍ତିକୁ ବଦଳାଇଛନ୍ତି ବାଇଡେନ । ବିଶେଷ କରି ପ୍ୟାରିସର ଜଳବାୟୁ ଚୁକ୍ତିରେ ଯୋଗଦେବା, ଆମେରିକାବାସୀ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରିବା, ଅଣସଂରକ୍ଷିତ ସମ୍ପ୍ରଦାୟ ପାଇଁ ସମର୍ଥନ ବୃଦ୍ଧି କରିବା ସହ ଦେଶରେ ବର୍ଣ୍ଣ ବୈଷମ୍ୟ ଭେଦଭାବକୁ ସମ୍ପୂର୍ଣ୍ଣ ବିଲୁପ୍ତ କରିବା ଦିଗରେ ନିଷ୍ପତି ନେଇଛନ୍ତି ।
ଦାୟିତ୍ବ ନେବା ପରେ ଜୋ ବାଇଡେନ ସମ୍ବୋଧିତ କରି କହିଛନ୍ତି ପୂର୍ବ ସୂଚନା ଅନୁଯାୟୀ ଆଗାମୀ 7 ଦିନ ମଧ୍ୟରେ ଅନେକ ଗୁରୁତ୍ତ୍ବପୂର୍ଣ୍ଣ ପ୍ରସଙ୍ଗରେ ନିଷ୍ପତ୍ତି ନେବାକୁ ଯାଉଛୁ । ମହାମାରୀ ହେତୁ ଆମେରିକୀୟମାନଙ୍କ ଉପରେ ଆର୍ଥିକ ଚାପ ହ୍ରାସ କରିବାକୁ ଚେଷ୍ଟା କରିବୁ । ବିଶେଷ କରି କୋଭିଡ ନିୟନ୍ତ୍ରଣ ପାଇଁ ପଦକ୍ଷେପମାନ ନିଆଯିବ । ପୁଣି ଥରେ ମାସ୍କ ପିନ୍ଧିବାକୁ ବାଧ୍ୟତାମୂଳକ କରାଯିବ । ସାଧାରଣ ଲୋକଙ୍କୁ ଆର୍ଥିକ ସହାୟତା ପ୍ରଦାନ କରାଯିବ । ପୂର୍ବରୁ ପ୍ୟାରିସର ଜଳବାୟୁ ଚୁକ୍ତିରୁ ଆମେରିକା ଓହରି ଥିବାବେଳେ ଏଥିରେ ପୁଣି ଥରେ ଯୋଗ ଦେବ ବୋଲି ସେ ନିଷ୍ପତ୍ତି ନେଇଛନ୍ତି ।
ମୋଟ ଉପରେ, ବାଇଡେନ ଆସନ୍ତା 10 ଦିନ ମଧ୍ୟରେ ଜଳବାୟୁ, ଅର୍ଥନୀତି, ସ୍ବାସ୍ଥ୍ୟସେବା ଏବଂ ଇମିଗ୍ରେସନ କ୍ଷେତ୍ରରେ 53ଟି ବଡ ନିଷ୍ପତି ଉପରେ ଦସ୍ତଖତ କରିବେ ବୋଲି ଆଶା କରାଯାଉଛି। ସେହିପରି ଆମେରିକା ସାମୀରେ ହେଉଥିବା ପାଚେରୀ ନିର୍ମାଣକୁ ମଧ୍ୟ ବ୍ୟାନ କଲେ ନୂଆ ରାଷ୍ଟ୍ରପତି । ପୂର୍ବ ଘୋଷଣା ମୁତାବକ 5 ଲକ୍ଷ ପ୍ରବାସୀ ଭାରତୀୟଙ୍କୁ ନାଗରିକତ୍ବ ଦେବାକୁ ମଧ୍ୟ ନିଷ୍ପତି ନେଇଛି ଟ୍ରମ୍ପ ପ୍ରଶାସନ । ମୋଟ ଉପରେ ଜୋ ବାଇଡେନ ଦେଶର ଆର୍ଥିକ ସ୍ଥିତି ସୁଧାରିବା ପାଇଁ ଯୋଜନା ବଦ୍ଧ ପଦକ୍ଷେପ ଗ୍ରହଣ କରିଛନ୍ତି ।
ସୂଚନାଯୋଗ୍ୟ, ଆମେରିକା ସମ୍ବିଧାନରେ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶ ରାଷ୍ଟ୍ରପତିଙ୍କ ଏକ ସ୍ବତନ୍ତ୍ର କ୍ଷମତା । ଏହି କ୍ଷମତା ବଦଳରେ ସଂସଦର ବିନା ଅନୁମୋଦନରେ ଯେକୌଣସି ନିଷ୍ପତି ନେଇପାରିବେ ରାଷ୍ଟ୍ରପତି । କିନ୍ତୁ ଏହା ଅନେକ ସମୟରେ ଅପବ୍ୟବହାର ନେଇ ଅଭିଯୋଗ ମଧ୍ୟ ଆସିଛି ।