ନୂଆଦିଲ୍ଲୀ: ଇସଲାମିକ୍ ଷ୍ଟେଟ୍ସ (ଆଇଏସ୍) ଆତଙ୍କବାଦୀ ସଙ୍ଗଠନ ମୁଖ୍ୟ କୁଖ୍ୟାତ ଆତଙ୍କବାଦୀ ଆବୁ ବକର ଅଲ୍ ବାଗଦାଦିକୁ ନିପାତ କରିଛି ଆମେରିକୀୟ ସେନା । ଏନେଇ ସୋମବାର ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସୂଚନା ଦେଇଥିଲେ । ଏବେ ମଙ୍ଗଳବାର ରାଷ୍ଟ୍ରପତି ଟ୍ରମ୍ପ ଆଉ ଏକ ଟ୍ବିଟ କରି ଗୁରୁତ୍ବପୂର୍ଣ୍ଣ ସୂଚନା ଦେଇଛନ୍ତି । ମୃତ୍ୟୁର ସୌଦାଗର ବାଗଦାଦିକୁ ହତ୍ୟା ପରେ ଆମେରିକୀୟ ସେନା ବାଗଦାଦିର ପ୍ରମୁଖ ଉତ୍ତରାଧିକାରୀକୁ ମଧ୍ୟ ନିପାତ କରିଛନ୍ତି ବୋଲି ସେ ଜଣାଇଛନ୍ତି।
ସୋମବାର ବାଗଦାଦି ନିଜ ୩ ସନ୍ତାନଙ୍କ ସହିତ ନିଜକୁ ଆତ୍ମଘାତୀ ଜ୍ୟାକେଟ୍ରେ ଉଡ଼ାଇଦେଇଥିଲା। ଏନେଇ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଟ୍ବିଟ କରି ସୂଚନା ଦେଇଥିଲେ। ସିରିଆରେ ହୋଇଥିବା ଏହି ଅପରେସନରେ ବହୁ ଆଇଏସ୍ କମାଣ୍ଡର ଓ ସଦସ୍ୟଙ୍କର ମୃତ୍ୟୁ ହୋଇଥିବା ଆମେରିକା ରାଷ୍ଟ୍ରପତି ଟ୍ୱିଟ୍ କରି କହିଛନ୍ତି। ଏଠାରେ ସୂଚନା ଯୋଗ୍ୟ ଯେ ବିଶ୍ୱର ସବୁଠାରୁ ବଡ ନୃଶଂସ ଆତଙ୍କବାଦୀ ସଂଗଠନ ଆଇଏସ ବସ୍ ଆବୁ ବକର ଅଲ ବାଗଦାଦିକୁ ଆମେରିକୀୟ ସେନା ନିପାତ କରିଥିଲେ ।
ଉତ୍ତର ସିରିଆରେ ଏକ ସୁଡଙ୍ଗ ଭିତରେ ଲୁଚି ରହିଥିଲା ବାଗଦାଦି । ଆମେରିକାର ଡେଲଟା ଫୋର୍ସର ଘନଘନ ଆକ୍ରମଣ ପରେ ବାଗଦାଦି ମୃତ୍ୟୁର ଜାଲରେ ଫସିଥିଲା । ସେନାକୁ ଦେଖି ପ୍ରାଣ ବିକଳରେ ଦୌଡିଥିଲା ବାଗଦାଦି । ଏହାପରେ ସୁଡଙ୍ଗ ଭିତରକୁ ତାଲିମ ପ୍ରାପ୍ତ କୁକୁରଙ୍କୁ ଛାଡି ଦେଇଥିଲା ଆମେରିକୀୟ ସେନା । କୁକୁରଙ୍କୁ ଦେଖି ବାଗଦାଦି ଦୌଡି ଦୋଡି ସୁଡଙ୍ଗର ଶେଷରେ ପହଞ୍ଚିଥିଲା । ପରେ ନିରୂପାୟ ବାଗଦାଦି ନିଜକୁ ଆତ୍ମଘାତୀ ଜ୍ୟାକେଟରେ ବିସ୍ଫୋରଣ କରିଥିଲା । ଫଳରେ ବାଗଦାଦି ସହ ତାର ତିନି ପିଲା ପ୍ରାଣ ହରାଇଥିଲେ । ଏହାପରେ ଡିଏନଏ ଟେଷ୍ଟରୁ ବାଗଦାଦିର ମୃତ୍ୟୁ ହୋଇଥିବା ସ୍ପଷ୍ଟ କରିଥିଲା ଆମେରିକୀୟ ସେନା । ଏହି ଅପରେସନର ନାମ ଥିଲା ଅପରେସନ କାୟଲା ମୁଲର ।
ଏହାପରେ ଟ୍ରମ୍ପ ଟ୍ବିଟ କରି ମୃତ୍ୟୁର ସୌଦାଗର ସୈତାନ ବାଗଦାଦିର ମୃତ୍ୟୁ ସମୟର ପରିସ୍ଥିତିକୁ ହ୍ୱାଇଟ୍ ହାଉସରେ ଏକ ସାମ୍ବାଦିକ ସମ୍ମିଳନୀ କରି କହିଥିଲେ । ଟ୍ରମ୍ପ କହିଥିଲେ ଯେ, ହଜାର ହଜାର ନୀରିହ ମହିଳା, ବ୍ୟକ୍ତି ଓ ଶିଶୁଙ୍କ ପ୍ରାଣ ନେଇଥିବା ଆତଙ୍କବାଦୀ ମୃତ୍ୟୁ ବେଳକୁ କାନ୍ଦିଥିଲା, ଡରରେ ଚିତ୍କାର କରିଥିଲା । ଶେଷରେ କୁକୁର ଓ ଭୟାଳୁଙ୍କ ପରି ଦୟନୀୟ ମୃତ୍ୟୁ ଭୋଗିଥିଲା । ଏବେ ଦୁନିଆ ପୂର୍ବାପେକ୍ଷା ଅଧିକ ସୁରକ୍ଷିତ । ଏହାସହ ଟ୍ରମ୍ପ ଆଇଏସ ବିପକ୍ଷରେ ଲଢେଇରେ ଆମେରିକାକୁ ସହଯୋଗ କରିଥିବା ରାଷ୍ଟ୍ର ସମୂହକୁ ଧନ୍ୟବାଦ ଦେଇଥିଲେ । ଏହି ଅପରେସନକୁ ଲାଇଭ ଦେଖିଥିବା କଥା ମଧ୍ୟ କହିଛନ୍ତି ଟ୍ରମ୍ପ ।