ୱାଶିଂଟନ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିରୋଧରେ ଚାଲିଥିବା ମହାଭିଯୋଗ ତଦନ୍ତର ପ୍ରାଥମିକ ରିପୋର୍ଟ ଜାରି ହୋଇଛି । ଏହି ରିପୋର୍ଟରେ ଟ୍ରମ୍ପଙ୍କୁ ଦୋଷୀ ଭାବରେ ଦର୍ଶାଯାଇଛି । ଟ୍ରମ୍ପ ନିଜ ବ୍ୟକ୍ତିଗତ ଏବଂ ରାଜନୈତିକ ଉଦ୍ଦେଶ୍ୟକୁ ପୂରଣ କରିବା ପାଇଁ ରାଷ୍ଟ୍ର ହିତ ସହ ସାଲିସ କରିଥିଲେ । ଏହା ବ୍ୟତୀତ ସେ ନିଜ ଅଧିକାରର ଦୂରୁପଯୋଗ କରି 2020ରେ ହେବାକୁ ଥିବା ରାଷ୍ଟ୍ରପତି ନିର୍ବାଚନରେ ପ୍ରତିଦ୍ବନ୍ଦୀଙ୍କୁ ପରାସ୍ତ କରିବା ଲାଗି ବିଦେଶୀ ଶକ୍ତିଙ୍କ ସହାୟତା ନେଇଥିବା ରିପୋର୍ଟରେ ଦର୍ଶାଯାଇଛି ।
ଆମେରିକା ସଦନର ନ୍ୟାୟିକ କମିଟି ପକ୍ଷରୁ ଜାରି ରିପୋର୍ଟରେ କୁହାଯାଇଛି, ଟ୍ରମ୍ପ୍ ନିଜର ରାଜନୈତିକ କ୍ଷେତ୍ରର ବିରୋଧୀଙ୍କୁ ପରାସ୍ତ କରିବା ପାଇଁ ୟୁକ୍ରେନ୍ ରାଷ୍ଟ୍ରପତି ବ୍ଲାଡ଼ିମୀର୍ ଜେଲେଂସ୍କିଙ୍କ ସହାୟତା ନେଇଥିଲେ। ଟ୍ରମ୍ପ୍ଙ୍କ ଡେମୋକ୍ରାଟିକ୍ ପ୍ରତିଦ୍ବନ୍ଦୀ ଜୋ, ଓ୍ବାଇଡନ୍ ଏବଂ ତାଙ୍କ ପୁଅଙ୍କ ବିରୋଧରେ ଦୁର୍ନୀତି ଅଭିଯୋଗ ପାଇଁ ୟୁକ୍ରେନ୍ ରାଷ୍ଟ୍ରପତିଙ୍କ ଉପରେ ଚାପ ପକାଇଥିଲେ ବୋଲି ରିପୋର୍ଟରେ କୁହାଯାଇଛି । ସେପଟେ ହ୍ବାଇଟ ହାଉସ ପକ୍ଷରୁ ଏହି ଦୋଷକୁ ଖାରଜ କରାଯାଇଛି । ଏହି ତଦନ୍ତ ଏକତରଫା, ମିଥ୍ୟା ଏବଂ ଭିତିହୀନ ତଦନ୍ତ ବୋଲି ହ୍ବାଇଟ ହାଉସ କହିଛି ।
ସୂଚନାଯୋଗ୍ୟ ଯେ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ 2020 ରାଷ୍ଟ୍ରପତି ନିର୍ବାଚନ ଜିତିବା ପାଇଁ ତାଙ୍କ ପ୍ରତିଦ୍ବନ୍ଦୀଙ୍କ ଛବି ଖରାପ କରିବା ପାଇଁ ବିଦେଶରୁ ସହାୟତା ନେଇଥିବା ଅଭିଯୋଗ ହୋଇଥିଲା । ଏନେଇ କଂଗ୍ରେସ ପକ୍ଷରୁ ମହାଭିଯୋଗ ପ୍ରକ୍ରିୟା ଆରମ୍ଭ ହୋଇଛି ।