ନୂଆଦିଲ୍ଲୀ: କିଛି ଦିନ ତଳେ ଏକ ଖବର ଭାରତ ସମେତ ବିଶ୍ବର ଅନେକ ଚିଡିଆଖାନାର ଚିନ୍ତା ବଢାଇ ଦେଇଥିଲା । ଯେତେବେଳେ ନ୍ୟୁୟର୍କର ବ୍ରୋନକ୍ସ ପ୍ରାଣୀ ଉଦ୍ୟାନରେ ଗୋଟିଏ ବାଘକୁ କୋରୋନା ସଂକ୍ରମଣ ହୋଇଥିବା ଖବର ଆସିଥିଲା । ଏହାପରେ ମଣିଷଙ୍କ ବ୍ୟତୀତ ପଶୁଙ୍କୁ କୋରୋନା ହେବାର ଭୟ ଦେଖାଦେଇଥିଲା । ଯାହାକୁ ଦୃଷ୍ଟିରେ ଆଫ୍ରିକାର 3ଟି ଦେଶ ରୁୱାଣ୍ଡା, ଉଗାଣ୍ଡା ଏବଂ ଡେମୋକ୍ରାଟିକ୍ ରିପବ୍ଲିକ୍ ଅଫ୍ କଙ୍ଗୋରେ ଗୋରିଲା ଟୁରିଜିମକୁ ସାମିୟକ ଭାବେ ବନ୍ଦ କରି ଦିଆଯାଇଛି ।
ଏହି ପଦକ୍ଷେପରେ ବର୍ତ୍ତମାନ ପାଇଁ ଗରିଲା ପର୍ଯ୍ୟଟନକୁ ଲକଡାଉନ କରାଯାଇଛି । ଏହାସହ ସହ ଅନ୍ୟ ସମସ୍ତଙ୍କ ପାଇଁ ଅଭୟାରଣ୍ୟ ବନ୍ଦ ରହିଛି । ଯେହେତୁ ମଣିଷଙ୍କ ଠାରୁ ଏହି ଭାଇରସ ଅନ୍ୟକୁ ସଂକ୍ରମିତ ହୋଇଥାଏ ।
ଗରିଲାଙ୍କ ଭବିଷ୍ୟତ ପାଇଁ ବାସସ୍ଥାନ ନଷ୍ଟ ଓ ଅନ୍ୟାନ୍ୟ କାରଣରୁ ସଂଖ୍ୟା ଲୋପ ଏବେ ସର୍ବବୃହତ ଚିନ୍ତାର ବିଷୟ ପାଲଟିଛି । ଏହାସହ ଅନେକ ବର୍ଷ ହେଲା ଗରିଲଙ୍କ କେତେକ ପ୍ରଜାତି ଭାଇରାଲ୍ ରୋଗ କାରଣରୁ ଲୋପ ପାଇବାକୁ ବସିଲାଣି ବୋଲି କୁହାଯାଉଛି ।
କର୍ତ୍ତୃପକ୍ଷଙ୍କ କହିବା ଅନୁଯାୟୀ କାର୍ଯ୍ୟରତ କର୍ମଚାରୀଙ୍କ ସହ ଗରିଲା ମାନେ ନିବିଡ ଭାବରେ ଜଡିତ । ସାଧାରଣ ଥଣ୍ଡା ଏବଂ ଇବୋଲା ପରି ମାନବ ସଂକ୍ରମିତ ରୋଗରେ ସେମାନେ ଅସୁରକ୍ଷିତ । ଫଳରେ ମନୁଷ୍ୟ ସଂସ୍ପର୍ଶରେ ଆସିଲେ ସେମାନେ COVID-19 ରେ ଶିକାର ହୋଇପାରନ୍ତି ବୋଲି ବିଶେଷଜ୍ଞମାନେ ଆଶଙ୍କା କରୁଛନ୍ତି ।