ଲକ୍ଷ୍ନୌ: ଭୋଜପୁରୀ ଅଭିନେତ୍ରୀ ଆକାଂକ୍ଷା ଦୁବେଙ୍କ ମୃତ୍ୟୁ ମାମଲାରେ ପୁରୁଷ ବନ୍ଧୁ ସମର ସିଂଙ୍କୁ ରିମାଣ୍ଡରେ ନେଇଛି ପୋଲିସ । ରିମାଣ୍ଡର ପ୍ରଥମ ଦିନରେ ପୋଲିସ ସମରଙ୍କୁ 25ରୁ ଅଧିକ ପ୍ରଶ୍ନ ପଚାରିଥିଲା । ପ୍ରତ୍ୟେକ ପ୍ରଶ୍ନର ଉତ୍ତର ଦେଇ ଅଭିନେତ୍ରୀଙ୍କ ମୃତ୍ୟୁରେ ତାଙ୍କ କୌଣସି ସମ୍ପୃକ୍ତି ନଥିବା କହିଛନ୍ତି ସମର ସିଂ ।
ଗୁରୁବାର ସମରଙ୍କୁ ଜିଲ୍ଲା ଜେଲ୍ରୁ ରିମାଣ୍ଡରେ ନେଇଥିଲା ସାରନାଥ ପୋଲିସ । କ୍ରାଇମବ୍ରାଞ୍ଚ ଅଭିନେତ୍ରୀଙ୍କ ମୃତ୍ୟୁ ସହ ଜଡ଼ିତ ଅନେକ ପ୍ରଶ୍ନ ପଚାରିଥିଲା। ହେଲେ ପ୍ରତ୍ୟେକ ପ୍ରଶ୍ନର ଉତ୍ତର ଦେବା ବେଳେ ସମର ସିଂ ସେ ନିର୍ଦ୍ଦୋଷ ଏବଂ ସେ ଆକାଂକ୍ଷାଙ୍କୁ ହତ୍ୟା କରି ନାହାଁନ୍ତି କିମ୍ବା ତାଙ୍କ ମୃତ୍ୟୁ ପଛରେ ତାଙ୍କର କୌଣସି ହାତ ନାହିଁ ବୋଲି କହିଥିଲେ ।
ସମର ସିଂ ଏହା ମଧ୍ୟ କହିଥିଲେ ଯେ, ଯଦି ଆକାଂକ୍ଷା ଦୁବେ ତାଙ୍କ କାରଣରୁ ଆତ୍ମହତ୍ୟା କରିଥାଆନ୍ତେ । ତେବେ ସେ ଆତ୍ମହତ୍ୟା ନୋଟ୍ ଲେଖିଥାଆନ୍ତେ, ଯେଉଁଥିରେ ସେ ତାଙ୍କୁ ଦାୟୀ କରିଥାଆନ୍ତେ । ଉଭୟଙ୍କ ମଧ୍ୟରେ ଏପରି କୌଣସି ସମ୍ପର୍କ ନାହିଁ ଯହାକୁ ନେଇ ଆକାଂକ୍ଷା ଚରମ ପଦକ୍ଷେପ ନେବାକୁ ବାଧ୍ୟ ହୋଇଥିବେ । ତାଙ୍କ ମୃତ୍ୟୁ ପଛରେ ଅନ୍ୟ କିଛି କାରଣ ଅଛି । ଆକାଂକ୍ଷାଙ୍କ ମୃତ୍ୟୁ ପଛରେ ତାଙ୍କର କୌଣସି ସମ୍ପୃକ୍ତି ନାହିଁ ବୋଲି କହିଛନ୍ତ ଆକାଂକ୍ଷା ।
ସେହିପରି ପୋଲିସ ଯେତେବେଳେ ସମରଙ୍କୁ ଅଭିନେତ୍ରୀଙ୍କ ସହ ତାଙ୍କ ସମ୍ପର୍କ ବିଷୟରେ ପ୍ରଶ୍ନ କରିଥିଲା । ସମର ଏହି ପ୍ରଶ୍ନର ଉତ୍ତର ଦେଇ କହିଥିଲେ ଯେ, ସେ ଦୁହେଁ ଭଲ ବନ୍ଧୁ ଥିଲେ । ଏଣୁ ଉଭୟ ପରସ୍ପର ସହ ସମସ୍ତ ଅନେକ କଥା ସେୟାର କରୁଥିଲେ । ଆକାଂକ୍ଷା ଦୁବେଙ୍କ ସହ କୌଣସି ଆର୍ଥିକ କାରବାର ହୋଇନାହିଁ । ତାଙ୍କ ବିରୋଧରେ ଆସିଥିବା ଅଭିଯୋଗ ମିଥ୍ୟା । ଅଭିନେତ୍ରୀ ତାଙ୍କୁ ଟଙ୍କା ଦେଇ ନାହାଁନ୍ତି । ସେ ଆକାଂକ୍ଷାଙ୍କ ସହ 26ରୁ ଅଧିକ ଆଲବମ୍ କରିଛନ୍ତି । ସେମାନଙ୍କ ମିଳିତ ଆଲବମ୍ ଏବଂ ଫିଲ୍ମ ସମ୍ବନ୍ଧୀୟ ସମସ୍ତ ଦେୟ ଆକାଂକ୍ଷାଙ୍କୁ ଦିଆଯାଇଥିବା କହିଛନ୍ତି ସମର ।
ମାର୍ଚ୍ଚ 26 ରେ, ବାରାଣାସୀର ସାରନାଥରେ ଥିବା ଏକ ହୋଟେଲ ରୁମରୁ ଆକାଂକ୍ଷା ଦୁବେଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଥିଲା । ମାର୍ଚ୍ଚ 28 ରେ, ଆକାଂକ୍ଷାଙ୍କ ମାଆ ମଧୁ ସମର ସିଂ ଏବଂ ସଞ୍ଜୟ ସିଂଙ୍କ ବିରୋଧରେ ତାଙ୍କ ଝିଅକୁ ହତ୍ୟା କରିଥିବା ଅଭିଯୋଗ ଆଣିଥିଲେ । ଉଭୟଙ୍କ ବିରୋଧରେ ସାରନାଥ ପୋଲିସ ଏକ ମାମଲା ରୁଜୁ କରିଥିଲେ। ଏହି ମାମଲାରେ ସମର ସିଂଙ୍କୁ ଏପ୍ରିଲ 8ରେ ଗାଜିଆବାଦରୁ ପୋଲିସ ଗିରଫ କରିଥିବା ବେଳେ ସଞ୍ଜୟ ସିଂଙ୍କୁ 2 ଦିନ ପୂର୍ବରୁ ବାରାଣାସୀରୁ ଗିରଫ କରିଥିଲା ।
ବର୍ତ୍ତମାନ ରିମାଣ୍ଡ ଅବଧିକୁ ବୃଦ୍ଧି କରି ସମର ସିଂଙ୍କୁ ଲକ୍ଷ୍ନୌ ଏବଂ ମୁମ୍ବାଇକୁ ନେବାକୁ ପୋଲିସ ବର୍ତ୍ତମାନ ପ୍ରସ୍ତୁତି ଚଳାଇଛି । କାରଣ ସମର ସିଂଙ୍କ ମୋବାଇଲ୍ ଫୋନ୍ ଲକ୍ଷ୍ନୌରେ ଅଛି ଏବଂ ତାଙ୍କର ସମସ୍ତ ଆର୍ଥିକ କାରବାର ମୁମ୍ବାଇର ଗୋରେଗାଓଁରେ ଥିବା ସମରଙ୍କ କାର୍ଯ୍ୟାଳୟ ସହିତ ସଂଯୁକ୍ତ ଅଛି । ଆଜି ମଧ୍ୟ ପୋଲିସ ସମରଙ୍କୁ ପଚରାଉଚରା କରୁଛି । ସେପଟେ ଅନ୍ୟ ଜଣେ ଅଭିଯୁକ୍ତ ସଞ୍ଜୟ ସିଂ ବର୍ତ୍ତମାନ 14 ଦିନ ପାଇଁ ନ୍ୟାୟିକ ରିମାଣ୍ଡରେ ଅଛନ୍ତି ।