ମୁମ୍ବାଇ: ଅଭିନେତା ଶାହନଓ୍ବାଜ ପ୍ରଧାନଙ୍କ ପରଲୋକ । ଓ୍ବେବ ସିରିଜ ମିର୍ଜାପୁର ମାଧ୍ୟମରେ ସେ ଲୋକପ୍ରିୟ ହୋଇଥିଲେ । ୫୬ବର୍ଷ ବୟସରରେ ଶୁକ୍ରବାର ବିଳମ୍ବିତ ରାତିରେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି । ମୁମ୍ବାଇର ଧିରୁବାଇ ହସ୍ପିଟାଲରେ ତାଙ୍କର ଦେହାନ୍ତ ହୋଇଥିବା ସୂଚନା ।
ସୂଚନାଅନୁସାରେ, ଶୁକ୍ରବାର ରାତିରେ ଶାହନଓ୍ବାଜ ପ୍ରଧାନ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ସେହି ସମୟରେ ସେ ହଠାତ ଛାତିରେ ଯନ୍ତ୍ରଣା ଅନୁଭବ କରିବା ସହ ତଳେ ପଡିଯାଇଥିଲେ । ଏହାପରେ ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ମୁମ୍ବାଇର କୋକିଳାବେନ ଧିରୁବାଇ ଅମ୍ବାନୀ ହସ୍ପିଟାଲରେ ଭର୍ତ୍ତି କରିଥିଲେ । ତେବେ ପ୍ରଚେଷ୍ଟା ସତ୍ତ୍ବେ ମଧ୍ୟ ତାଙ୍କୁ ବଞ୍ଚାଇବା ସମ୍ଭବ ହୋଇପାରିନଥିଲା । ଶେଷରେ ଚିର ନିଦ୍ରାରେ ଶୋଇଯାଇଥିଲେ ଅଭିନେତା ଶାହନଓ୍ବାଜ ପ୍ରଧାନ ।
ଗତକାଲି ବିଳମ୍ବିତ ରାତିରେ ତାଙ୍କର ଦେହାନ୍ତ ହୋଇଥିବା ବେଳେ ଆଜି ଅନ୍ତିମ ସଂସ୍କାର କରାଯିବ । ପ୍ରସିଦ୍ଧ କଳାକାର ଶାହନାୱାଜ ପ୍ରଧାନ 6 ଡିସେମ୍ବର 1963 ମସିହାରେ ଓଡିଶାର ନୂଆପଡା ଜିଲ୍ଲାରେ ଜନ୍ମଗ୍ରହଣ କରିଥିଲେ । କିନ୍ତୁ ଶାହନାୱାଜଙ୍କୁ ୭ବର୍ଷ ହେବାପରେ ପରିବାର ଲୋକେ ନୂଆପଡା ଛାଡି ଛତିଶଗଡର ରାଜଧାନୀ ରାୟପୁର ବାସିନ୍ଦା ହୋଇଥିଲେ । ସେ ରାୟପୁରର ଏକ ସରକାରୀ ଉଚ୍ଚ ବିଦ୍ୟାଳୟରେ ପାଠ ପଢିଥିବା ବେଳେ ରବି ଶଙ୍କର ବିଶ୍ୱବିଦ୍ୟାଳୟରୁ ସ୍ନାତକ ହାସଲ କରିଥିଲେ । ଶାହନାୱାଜ ନିଜ ପିତାମାତାଙ୍କ ଏକମାତ୍ର ପୁଅ ରହିଥିଲେ ଏବଂ ସେ ପିଲାବେଳୁ ପାଠପଢିବା ଏବଂ ଭ୍ରମଣରେ ରୁଚି ରଖିଥିଲେ ।
ଏମିତି ଆରମ୍ଭ କରିଥିଲେ କ୍ୟାରିୟର: ଜଣାଶୁଣା ଅଭିନେତା ଶାହନାୱାଜ ପ୍ରଧାନ ପ୍ରଥମ ଥର ପାଇଁ ସପ୍ତମ ଶ୍ରେଣୀରେ ମଞ୍ଚରେ ଅଭିନୟ କରିଥିଲେ । ଏହାପରେ ଅଭିନୟ ଉପରେ ତାଙ୍କର ରୁଚି ବଢିବାରେ ଲାଗିଥିଲା । କଲେଜ ପଢିବା ସମୟରେ ସେ କେତେକ ନାଟକ ଗ୍ରୁପରେ ଯୋଗ ଦେଇ ନାଟକ କରିବା ଆରମ୍ଭ କରିଥିଲେ । 1984 ମସିହାରେ ପ୍ରସିଦ୍ଧ ଥିଏଟର ଅଭିନେତା ହବୀବ ତନଭୀର ଶାହନାୱାଜଙ୍କ କଲେଜକୁ ଯାଇଥିଲେ । ସେ ଏକ ନାଟକ ପାଇଁ ପିଲା ଚୟନ କରିଥିଲେ । ସେଥିରେ ଶାହନାୱାଜ ପ୍ରଧାନଙ୍କ ମଧ୍ୟ ନାମ ରହିଥିଲା । ତେବେ ସେହି ନାଟକ ସପ୍ତାହ ହେବାପରେ ଶାହନାୱାଜଙ୍କ ଅଭିନୟରେ ହବୀବ ଖୁସି ହୋଇ ତାଙ୍କ ନାଟକ ଗ୍ରୁପ ନୟା ଥିଏଟରରେ ସାମିଲ କରିଥିଲେ ।
ଶାହନାୱାଜ ପ୍ରଧାନ 5 ବର୍ଷ ପାଇଁ ଥିଏଟର ଗୋଷ୍ଠୀର ଏକ ଅଂଶ ହୋଇଥିଲେ । ସେହି ସମୟ ମଧ୍ୟରେ ସେ ଚରାନ୍ଦାସ ଚୋର, ଲାଲା ଶୋହରତ ରାୟ, ହିର୍ମା କି ଅମର କାହାନି ଏବଂ ମିଟି କି ଗାଦୀ ଭଳି ଅନେକ ନାଟକ କରିଥିଲେ । ଏହା ପରେ 1991ମସିହାରେ ଶାହନାୱାଜ ମୁମ୍ବାଇ ଯାଇ ଅଭିନୟରେ କ୍ୟାରିୟର କରିବାକୁ ଯାଇଥିଲେ। ୧୯୯୨ ମସିହାରେ ଜାନ ସେ ଜନ୍ତାନ୍ତ୍ରକ ଶୋରେ ଅଭିନୟ କରିଥିଲେ । ଏହାପରେ ସେ ବଲିଉଡ, ଓଟିଟି, ଟେଲିଭିଜନରେ ଅନେକ କାମ କରିଛନ୍ତି । ଏମଏସ ଧୋନି, ଲଭ ସାହୁଦା ଏବଂ ୨୦୨୦ ମସିହାରେ ଖୁଦା ହାଫିଜରେ ଶେଷ ଅଭିନୟ କରିଥିଲେ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ