ଜୟପୁର: ସମସ୍ତ ଚର୍ଚ୍ଚା ଆଲୋଚନା ଉପରେ ପୂର୍ଣ୍ଣଚ୍ଛେଦ ପକାଇ ପରସ୍ପରର ହାତ ଧରିଛନ୍ତି ବଲିଉଡର ଲଭବାର୍ଡ ସିଦ୍ଧାର୍ଥ ମଲହୋତ୍ରା ଓ କିଆରା ଆଡଭାନୀ । ଉଭୟ ମଙ୍ଗଳବାର ରାଜସ୍ଥାନ ଜୈସଲମେର ସ୍ଥିତ ସୂର୍ଯ୍ୟଗଡ଼ ପ୍ୟାଲେସରେ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି । ଏନେଇ ଜାତୀୟ ଗଣମାଧ୍ୟମ ସଂସ୍ଥା ପକ୍ଷରୁ ସ୍ପଷ୍ଟ କରାଯାଇଛି । ସିଦ୍ଧାର୍ଥ ଓ କିଆରା ନିଜର ସ୍ବଳ୍ପ ସଂଖ୍ୟକ ବନ୍ଧୁଙ୍କ ଗହଣରେ ସାତଫେରା ନେବା ସହ ପରସ୍ପରକୁ ବରମାଳା ପିନ୍ଧାଇଛନ୍ତି । ମାତ୍ର ଏଯାବତ ଉଭୟ ନିଜ ସୋସିଆଲ ମିଡିଆ ହ୍ୟାଣ୍ଡେଲରେ ବିବାହ ଫଟୋ ପୋଷ୍ଟ କରିନାହାନ୍ତି । ଏହାକୁ ଫ୍ୟାନ୍ସମାନେ ଖୁବ ଉତ୍ସାହିତର ସହ ଅପେକ୍ଷା କରିଛନ୍ତି ।
ହିନ୍ଦୀ ରୀତିନୀତି ଅନୁସାରେ ସିଦ୍ଧାର୍ଥ ଓ କିଆରା ବିବାହ କରିଛନ୍ତି । ଦିଲ୍ଲୀର ପ୍ରସିଦ୍ଧ 'Jea' ୱେଡିଂ ବ୍ୟାଣ୍ଡ ଏହି ବିବାହ ଉତ୍ସବରେ ବାଦ୍ୟ ପରିବେଷଣ କରିଛନ୍ତି । ସିଦ୍ଧାର୍ଥ ପାରମ୍ପରିକ ରୀତିନୀତି ଅନୁଯାୟୀ ଘୋଡ଼ାରେ ବସି ବିବାହ ମଣ୍ଡପରେ ଗ୍ରାଣ୍ଟ ଏଣ୍ଟ୍ରି କରିଥିଲେ । ଆଜି ବିବାହର କିଛି ସମୟ ପୂର୍ବରୁ ୱେଡିଂ ଭେନ୍ୟୁରୁ ଅନେକ ଭିଡିଓ ଭାଇରାଲ ହୋଇଥିଲା । ଯେଉଁଥିରେ ପିଙ୍କ୍ ଆଉଟଫିଟ ପିନ୍ଧି କିଛି ଯୁବକ ଫ୍ଲୋରାଲ ଛତା ଧରି ବିବାହ ସ୍ଥଳ ଭିତରକୁ ପ୍ରବେଶ କରିଥିଲେ । ଏହାସହିତ ସିଦ୍ଧାର୍ଥ ବସିବାକୁ ଥିବା ଘୋଡ଼ାକୁ ମଧ୍ୟ ସୁସଜ୍ଜିତ କରାଯାଇଥିବା ଦେଖିବାକୁ ମିଳିଥିଲା ।
ଏହା ବି ପଢନ୍ତୁ- Sidharth-Kiara Wedding: ଆଜି ହାତକୁ ଦିହାତ ହେବେ ସିଦ୍ଧାର୍ଥ-କିଆରାଙ୍କ
ବଲିଉଡର ଲୋକପ୍ରିୟ ନିର୍ଦ୍ଦେଶକ କରନ ଜୋହର, ଫ୍ୟାଶନ ଡିଜାଇନର ମନୀଷ ମଲହୋତ୍ରା ଓ ଅଭିନେତା ଶାହିଦ କପୁର, ଅଭିନେତ୍ରୀ ଜୁହି ଚାୱଲା, ମୀରା ରାଜପୁତ କପୁର ସିଦ୍ଧାର୍ଥ-କିଆରାଙ୍କ ବିବାହ ଉତ୍ସବରେ ସାମିଲ ହୋଇଛନ୍ତି । ଏହି ଲୋକପ୍ରିୟ ଯୋଡ଼ି ଏକ ବ୍ୟକ୍ତିଗତ ଭାବେ ବିବାହ କରିବାକୁ ଚାହୁଁଥିବାରୁ 'ନୋ ମୋବାଇଲ ଫୋନ ପଲିସି'ର ମଧ୍ୟ ଘୋଷଣା କରିଥିଲେ । ଯାହାଦ୍ବାରା ତାଙ୍କ ବିବାହ ଫଟୋ ଓ ଭିଡିଓ ସୋସିଆଲ ମିଡିଆରେ ଲିକ୍ ହେବ ନାହିଁ । ଗତ ସପ୍ତାହରୁ ଉଭୟଙ୍କ ହଳଦୀ ଓ ମେହେନ୍ଦୀ ସେରିମନି ଆରମ୍ଭ ହୋଇଥିଲା । ସୋମବାର ସଙ୍ଗୀତ ସେରିମନି ହୋଇଥିବା ଜଣାପଡ଼ିଛି ।
କିଆରା ଓ ସିଦ୍ଧାର୍ଥ ନିଜ ରିଲେସନସିପ ସମ୍ପର୍କରେ କେବେ ହେଲେ ସ୍ପଷ୍ଟ କରିନଥିଲେ, ଏହାସହ ମନା ମଧ୍ୟ କରିନଥିଲେ । ଉଭୟଙ୍କ ଯୋଡ଼ିକୁ ଦର୍ଶକ 'ଶେରଶାହ' ଫିଲ୍ମରୁ ବେଶ ପସନ୍ଦ କରି ଆସିଥିଲେ । ଏହି ଫିଲ୍ମ ସୁଟିଂ ବେଳେ ଉଭୟ ପରସ୍ପରର ପ୍ରେମରେ ପଡ଼ିଥିଲେ । ଗତ ୨୦୨୧ ମସିହାରେ ଏହି ଫିଲ୍ମଟି ରିଲିଜ ହୋଇଥିବା ବେଳେ ଏକ ବିଗ୍ ହିଟ୍ ହୋଇଥିଲା । ଏହାପରେ ଉଭୟଙ୍କ ରିଲେସନସିପକୁ ନେଇ ଅଧିକ ଚର୍ଚ୍ଚା ହୋଇଥିଲା । ଅନ୍ୟପଟେ କଫି ୱିଥ କରନ ଏପିସୋଡରେ ଉଭୟଙ୍କ ରିଲେସନସିପ ସମ୍ପର୍କରେ କରନ ଓ ଶାହିଦ ଆଲୋଚନା କରିଥିବା ଦେଖିବାକୁ ମିଳିଥିଲା । ସିଦ୍ଧାର୍ଥ ଘନିଷ୍ଠ ବନ୍ଧୁଠାରୁ ଅଧିକ ବୋଲି କିଆରା କହିଥିବା ମଧ୍ୟ ଦେଖିବାକୁ ମିଳିଥିଲା ।