ନୂଆଦିଲ୍ଲୀ: ଅଭିନେତା ତଥା ବଲିଉଡର ଜଣାଶୁଣା ନିର୍ଦ୍ଦେଶକ ସତୀଶ କୌଶିକଙ୍କ ମୃତ୍ୟୁ ଘଟଣାରେ ବଡ ଟ୍ବିଷ୍ଟ । ଗତକାଲି(ଶନିବାର) ସକାଳୁ ଫାର୍ମା ହାଉସରୁ ନିଷିଦ୍ଧ ଔଷଧ ଜବତ ହୋଇଥିବା ବେଳେ ସନ୍ଧ୍ୟାରେ ଦିଲ୍ଲୀର ଜଣେ ମହିଳା ସତୀଶଙ୍କୁ ହତ୍ୟା କରାଯାଇଥିବା ନେଇ ଅଭିଯୋଗ କରିଛନ୍ତି । ୧୫ କୋଟି ଟଙ୍କା ପାଇଁ ତାଙ୍କ ସ୍ବାମୀ ନିର୍ଦ୍ଦେଶକ ସତୀଶ କୌଶିକଙ୍କୁ ହତ୍ୟା କରିଛନ୍ତି ବୋଲି ସେ ଦିଲ୍ଲୀ ପୋଲିସ କମିଶନରଙ୍କ ଅଫିସକୁ ଯାଇ ଏତଲା ଦାୟର କରିଛନ୍ତି । ଏହି ହତ୍ୟା ଘଟଣାରେ ମୋ ସ୍ବାମୀଙ୍କ ସମ୍ପୃକ୍ତି ରହିଛି ଏବଂ ସେ ଔଷଧରେ ବିଷ ଦେଇ ତାଙ୍କୁ ହତ୍ୟା କରିଛନ୍ତି ବୋଲି ଚାଞ୍ଚଲ୍ୟକର ବୟାନ ଦେଇଛନ୍ତି ଦିଲ୍ଲୀର ଜଣେ ମହିଳା ।
ମହିଳା ଜଣକ ଦାବି କରି କହିଛନ୍ତି, "ମୁଁ ୨୦୧୯ ମସିହା ମାର୍ଚ୍ଚ ୧୩ ତାରିଖ ଦିନ ବ୍ୟବସାୟୀଙ୍କୁ ବିବାହ କରିଥିଲି । ସତୀଶ କୌଶିକ ମୋ ସ୍ବାମୀଙ୍କ ସହ ପରିଚିତ ଥିଲେ । ସେମାନେ ଭାରତ ଏବଂ ଦୁବାଇରେ ଅନେକ ଥର ସାକ୍ଷାତ ମଧ୍ୟ କରୁଥିଲେ ।"
ସତୀଶ କୌଶିକ ବ୍ୟବସାୟୀଙ୍କ ଦୁବାଇ ଘରକୁ ଯାଇଥିଲେ: ବ୍ୟବସାୟୀଙ୍କ ସ୍ତ୍ରୀ କହିଛନ୍ତି, " ୨୦୨୨ ମସିହା ଅଗଷ୍ଟ ୨୩ ତାରିଖ ଦିନ କୌଶିକ ଆମ ଘରକୁ ଆସିଥିଲେ । ମୋ ସ୍ବାମୀ ବ୍ୟବସାୟ ପାଇଁ ତାଙ୍କ ଠାରୁ ୧୫ କୋଟି ଟଙ୍କା ଆଣିଥିଲେ । ସେହି ପଇସା ମାଗିବା ପାଇଁ ସେ ଆମ ଘରକୁ ଆସିଥିଲେ । ମୁଁ ଡ୍ରଇଂ ରୁମରେ ଉପସ୍ଥିତ ଥିଲି । ପଇସାକୁ ନେଇ ଦୁହିଁଙ୍କ ଭିତରେ ପାଟିତୁଣ୍ଡ ହୋଇଥିଲା । ୩ ବର୍ଷ ହୋଇଗଲା ପଇସା ନେଇ ଫେରସ୍ତ କରିଲ ନାହିଁ, ଏବେ ତାଙ୍କର ପଇସା ଦରକାର ଅଛି ବୋଲି କହିଥିଲେ ସତୀଶ । ପଇସା ନେଇ ବିନିଯୋଗ କରିଲେ ନାହିଁ କି ମୋର ଫେରସ୍ତ କରିଲ ନାହିଁ, ଯେଉଁଥିପାଇଁ ତାଙ୍କୁ ପ୍ରତାରଣାର ଶିକାର ହେଲା ଭଳି ଲାଗୁଛି କହିଥିଲେ ସତୀଶ । ମୋ ସ୍ବାମୀ କହିଥିଲେ ଟଙ୍କା ପରିଶୋଧ କରିବା ପାଇଁ ପ୍ରସ୍ତୁତ ରହିଛି, କିନ୍ତୁ ମୋତେ ସମୟ ଦରକାର । "
ମହିଳାଜଣକ ଏକ ପାର୍ଟିର ଫଟୋ ମଧ୍ୟ ସେୟାର କରିଛନ୍ତି: ଦୁବାଇରେ ଏକ ପାର୍ଟିରେ ସତୀଶ କୌଶିକ ଏବଂ ତାଙ୍କ ସ୍ବାମୀ ଏକାଠି ରହିଥିବାର ଏକ ଫଟୋ ମଧ୍ୟ ମହିଳା ଜଣକ ସେୟାର କରିଛନ୍ତି । ସେ କହିଛନ୍ତି, " ସେହି ପାର୍ଟିରେ ଦାଉଦ ଇବ୍ରାହିମଙ୍କ ପୁଅ ମଧ୍ୟ ଉପସ୍ଥିତ ଥିଲେ । ସ୍ବାମୀ ପଇସା ଫେରାଇ ଦେବେ ବୋଲି ପ୍ରତିଶୃତି ଦେଇ ପଇସା ଆଣିଥିଲେ । ଯେତେବେଳେ ପଇସା କଥା ମୁଁ ପଚାରିଲି ସେ କହିଥିଲେ ସତୀଶଙ୍କ ଠାରୁ ଆଣିଥିବା ପଇସା କୋଭିଡ ସମୟରେ ବୁଡିଗଲା । ତେଣୁ ସତୀଶଙ୍କ ଠାରୁ ମୁକ୍ତି ପାଇବା ପାଇଁ ସେ ଯୋଜନା କରୁଛନ୍ତି ।"
ତେବେ ସତୀଶ କୌଶିକଙ୍କ ଅଚାନକ ମୃତ୍ୟୁକୁ ନେଇ ମୋ ସ୍ବାମୀ ଉପରେ ମୋର ସନ୍ଦେହ ହେଉଛି । ସେ ହୋଲି ପାର୍ଟିରେ କିଛି ଲୋକଙ୍କ ସହ ମିଶି ଔଷଧ ଦେଇ ତାଙ୍କୁ ମାରି ଦେଇଥାଇପାରନ୍ତି । ଅନ୍ୟପଟେ ପୋଲିସ ଫାର୍ମ ହାଉସରୁ ନିଷିଦ୍ଧ ଔଷଧ ଜବତ କରିବାକୁ ନେଇ ଆହୁରି ସନ୍ଦେହ ହେଉଛି ।
ଅନ୍ୟପଟେ ଫାର୍ମ ହାଉସରୁ ଜବତ ଔଷଧକୁ ଫରେନସିକ ଲ୍ୟାବକୁ ପଠାଯାଇଛି । ତାର ପରୀକ୍ଷା ରିପୋର୍ଟ ପରେ ତଦନ୍ତ ପ୍ରକ୍ରିୟା ଆଗକୁ ବଢିବା ବୋଲି ଜଣେ ପୋଲିସ ଅଧିକାରୀ କହିଛନ୍ତି । ପ୍ରକାଶଥାଉକି, ଗତ ୯ ତାରିଖରେ ସତୀଶଙ୍କ ମୃତ୍ୟୁ ହୋଇଥିଲା । ହୃଦଘାତ ଯୋଗୁଁ ତାଙ୍କର ମୃତ୍ୟୁ ହୋଇଥିବା ନେଇ ଡାକ୍ତର କହିଥିଲେ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ