ମୁମ୍ବାଇ: ବିୟର ଗ୍ରୀଲ୍ସଙ୍କ ଦୁଃସାହସିକ କାର୍ଯ୍ୟ ପାଇଁ ଦେଶ ତଥା ବିଶ୍ବରେ ସବୁଠାରୁ ଦୁଃସାହସିକ ଶୋ 'ମ୍ୟାନ୍ ଭର୍ସେସ ୱାଇଲ୍ଡ' ଲୋକପ୍ରିୟ ଅଟେ । ଭାରତ ଦୃଷ୍ଟିକୋଣରୁ,ଏହି ଶୋ’ରେ ଅନେକ ବଡ ତାରକା ବିୟର ଗ୍ରୀଲ୍ସଙ୍କ ସହ ଜଙ୍ଗଲରେ ବୁଲିବାକୁ ଯାଇଛନ୍ତି । ଏଥିରେ ବଲିଉଡର ଅନେକ ସେଲିବ୍ରିଟି ଅକ୍ଷୟ କୁମାର, ସାଉଥ ସୁପରଷ୍ଟାର ରଜନୀକାନ୍ତ, ବିକି କୌଶଲ ଏବଂ ରଣଭୀର ସିଂଙ୍କ ପରି ଯୁବ ଅଭିନେତାମାନେ ମଧ୍ୟ ଏହି ଶୋ’ରେ ନଜର ଆସିଛନ୍ତି । ଏପରିକି ପ୍ରଧାନମନ୍ତ୍ରୀ ମୋଦି ବିୟର ଗ୍ରିଲ୍ସଙ୍କ ସହ ଜଙ୍ଗଲ ପରିଦର୍ଶନ କରିଛନ୍ତି । ତେବେ ବର୍ତ୍ତମାନ ବିୟର ଗ୍ରିଲ୍ସଙ୍କ ସହ ବିରାଟ କୋହଲି ଏବଂ ବଲିଉଡ ଦେଶୀ ଗାର୍ଲ ପ୍ରିୟଙ୍କା ଚୋପ୍ରା ନଜର ଆସିବେ ବୋଲି ଚର୍ଚ୍ଚା ଜୋର ଧରିଛି ।
ଏହି ଶୋ ପାଇଁ ବିୟର ଗ୍ରିଲ୍ସ ଭାରତ ଆସୁଛନ୍ତି । ନିକଟରେ ସାକ୍ଷାତକାରରେ ବିୟର ଗ୍ଲୋବାଲ ତାରକା ପ୍ରିୟଙ୍କ ଚୋପ୍ରା ଏବଂ କ୍ରିକେଟର ବିରାଟ କୋହଲିଙ୍କ ବିଷୟରେ ଆଲୋଚନା କରିଛନ୍ତି । ସେ କହିଛନ୍ତି ଯେ, ଉଭୟ ସେଲିବ୍ରିଟି ବିଶ୍ୱର ପରିଚିତ ଚେହେରା । କେବଳ ଦେଶ ନୁହେଁ ବିଶ୍ବ ସେମାନଙ୍କୁ ଭଲ ପାଏ ଏବଂ ଲୋକମାନେ ମଧ୍ୟ ସେମାନଙ୍କ ଯାତ୍ରା ବିଷୟରେ ଜାଣିବାକୁ ଚାହିଁବେ । ଯଦି ଏହି ଦୁଇଜଣଙ୍କ ମଧ୍ୟରୁ ଜଣେ ମଧ୍ୟ ମୋ ସହିତ ଜଙ୍ଗଲରେ ବୁଲିବାକୁ ଯାଆନ୍ତି, ତେବେ ଏହା ମୋର ଭାଗ୍ୟ ହେବ । ଆଗାମୀ ଦିନରେ ସେ ଭାରତରେ ରହିବେ ଏବଂ ଏହି ସୁଟିଂରେ କାମ କରିବେ ବୋଲି ବିୟର କହିଛନ୍ତି । କିନ୍ତୁ କେଉଁ ଭାରତୀୟ ତାରକାଙ୍କ ସହ ଜଙ୍ଗଲ ବୁଲିବାକୁ ଯିବେ ତାହା ଏ ପର୍ଯ୍ୟନ୍ତ ସ୍ପଷ୍ଟ କରିନାହାନ୍ତି ।
ପ୍ରିୟଙ୍କା ଚୋପ୍ରାଙ୍କ ୱାର୍କ ପ୍ରଣ୍ଟ କଥା କହିବାକୁ ଗଲେ, ସେ ବର୍ତ୍ତମାନ ଅନ୍ୟ ଏକ ହଲିଉଡ ଫିଲ୍ମ ହେଡସ୍ ଅଫ୍ ଷ୍ଟେଟ୍ ସୁଟିଂରେ ବ୍ୟସ୍ତ ଅଛନ୍ତି । ଏହି ଚଳଚ୍ଚିତ୍ରରେ ତାଙ୍କୁ ପୂର୍ବତନ ରେସଲର ଜନ୍ ସିନା ଏବଂ ହଲିଉଡ ଅଭିନେତା ଇଡ୍ରିସ୍ ଏଲବାଙ୍କ ସହ ନଜର ଆସିବେ । ନିକଟରେ ପ୍ରିୟଙ୍କାଙ୍କ ଅଭିନୀତ ହଲିଉଡ ଫିଲ୍ମ 'ସିଟାଡେଲ' ଏବଂ 'ଲଭ ଏଗେନ' ରିଲିଜ ହୋଇଛି । ଅନ୍ୟପକ୍ଷରେ ପ୍ରିୟଙ୍କା ଚୋପ୍ରା ଖୁବ୍ ଶୀଘ୍ର ଫରହାନ୍ ଅଖତରଙ୍କ ଆଗାମୀ ବଲିଉଡ ଫିଲ୍ମ 'ଜୀ ଲେ ଜରା'ରେ ମଧ୍ୟ ନଜର ଆସିବେ । ଏହି ଫିଲ୍ମରେ ପ୍ରିୟଙ୍କାଙ୍କ ସହ ବଲିଉଡ ଅଭିନେତ୍ରୀ ଆଲିଆ ଭଟ୍ଟ, କ୍ୟାଟ୍ରିନା କୈଫଙ୍କୁ ମଧ୍ୟ ଦେଖିବାକୁ ମିଳିବ । ସେପଟେ ବିରାଟ କୋହଲିଙ୍କ କଥା କହିବାକୁ ଗଲେ, ବିରାଟ ବର୍ତ୍ତମାନ ଲଣ୍ଡନର ଓଭାଲ ଗ୍ରାଉଣ୍ଡରେ ଆୟୋଜିତ ବିଶ୍ୱ ଟେଷ୍ଟ ଚମ୍ପିଆନସିପ ମ୍ୟାଚରେ ଅଷ୍ଟ୍ରେଲିଆ ବିପକ୍ଷରେ ଭାରତ ପାଇଁ ମ୍ୟାଚ ଖେଳୁଛନ୍ତି ।