ହାଇଦ୍ରାବାଦ: ବଲିଉଡ ଅଭିନେତା କିଆରା ଆଡଭାନୀ ଜୁଲାଇ 31ରେ ତାଙ୍କ ଜନ୍ମଦିନ ପାଳନ କରିବାକୁ ଯାଉଛନ୍ତି । କିଆରା ତାଙ୍କ ଜନ୍ମଦିନ ପାଇଁ ବହୁତ ଉତ୍ସାହିତ ଥିବା ବେଳେ ଜନ୍ମଦିନ ପୂର୍ବରୁ ସ୍ୱାମୀ ସିଦ୍ଧାର୍ଥ ମଲହୋତ୍ରାଙ୍କ ସହ ଛୁଟିରେ ଯାଇଛନ୍ତି । ଗୁରୁବାର ରାତିରେ ମୁମ୍ବାଇ ବିମାନବନ୍ଦରରେ କିଆରା ଏବଂ ସିଦ୍ଧାର୍ଥଙ୍କୁ ଦେଖିବାକୁ ମିଳିଥିଲା । ଉଭୟ ବିମାନବନ୍ଦରରେ ବହୁତ ଖୁସି ଦେଖାଯାଉଥିଲେ । ସୋସିଆଲ ମିଡିଆରେ ମଧ୍ୟ କିଆରା ତାଙ୍କ ଯାତ୍ରା ବିଷୟରେ ସୂଚନା ମଧ୍ୟ ଦେଇଛନ୍ତି । ତେବେ କିଆରା ସେଠାରେ ଜନ୍ମଦିନ ପାଳନ କରିବେ ବୋଲି ଜଣାପଡିଛି ।
କିଆରା ଯାତ୍ରା ପୂର୍ବରୁ ସିଦ୍ଧାର୍ଥଙ୍କ ସହ ଏକ ସେଲଫି ସେୟାର କରିଛନ୍ତି । ସେଲଫି ସେୟାର କରି କ୍ୟାପସନରେ ସେ ଟାଇମ୍ ଟୁ ଲେଖି ବିମାନ ଇମୋଜି ଦେଇଛନ୍ତି । କିଆରା ଏହି ସମୟରେ କୋ-ଅଡ ସେଟ ସହ ହ୍ବାଇଟ ଟପ ପିନ୍ଧିଥିବା ବେଳେ ସିଦ୍ଧାର୍ଥ ଟି-ସାର୍ଟ ଏବଂ ଟ୍ରାକ ପ୍ୟାଣ୍ଟରେ ନଜର ଆସିଥିଲେ । ଉଭୟେ ଖୁବ ସୁନ୍ଦର ଦେଖାଯାଉଥିଲେ । ସେପଟେ ବିମାନ ବନ୍ଦରର ଉଭୟଙ୍କ ଭିଡିଓ ଜଣେ ପାପରାଜି ସୋସିଆଲ ମିଡିଆରେ ସେୟାର କରିଥିଲେ । ଏହି ଭିଡିଓ ସେୟାର ହେବା ମାତ୍ରେ ପ୍ରଶଂସକମାନେ ଏହାକୁ ଲାଇକ କରିବା ସହ ପ୍ରତିକ୍ରିୟାରେ ଦମ୍ପତିଙ୍କ ପ୍ରଶଂସା କରିଥିଲେ ।
ସୂଚନା ଥାଉ କି, ସିଦ୍ଧାର୍ଥ ମଲହୋତ୍ରା ଏବଂ କିଆରା ଆଡଭାନି ଚଳିତ ବର୍ଷ ଫେବୃଆରୀରେ ବିବାହ ବନ୍ଧନରେ ବାନ୍ଧି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲେ । ସେମାନଙ୍କ ବିବାହ ପୂର୍ବରୁ ଏହି ଦମ୍ପତି ସେମାନଙ୍କ ସମ୍ପର୍କ ଏବଂ ବିବାହ ଯୋଜନାକୁ ଲୁଚାଇ ରଖିଥିଲେ । ବିବାହ ପରେ ଉଭୟ ବିଭିନ୍ନ ଚଳଚ୍ଚିତ୍ର ଇଭେଣ୍ଟ ଏବଂ ପାର୍ଟୀରେ ଏକାଠି ନଜର ଆସିଥିଲେ । ଅନେକ ସାକ୍ଷାତକାର ଏବଂ ସର୍ବସାଧାରଣରେ, ଉଭୟ ପରସ୍ପର ପ୍ରତି ଥିବା ଭଲପାଇବାକୁ ବିଷୟରେ କହିବା ସହ ପରସ୍ପରର ପ୍ରଶଂସା କରୁଥିବାର ଦେଖିବାକୁ ମିଳୁଥିଲା ।
ଏହା ମଧ୍ୟ ପଢନ୍ତୁ: ରାମ୍ପ ୱାକ୍ ବେଳେ କିଆରାଙ୍କ ଶାଶୁଙ୍କୁ ଫ୍ଲାଇଂ କିସ୍, ପସନ୍ଦ କଲେ ଫ୍ୟାନ୍ସ
ନିକଟରେ ଏକ ସାକ୍ଷାତକାରରେ କିଆରା କହିଛନ୍ତି ଯେ ସିଦ୍ଧାର୍ଥ ତାଙ୍କ ଘର । ସେ କହିଛନ୍ତି,"ଦୁଇଜଣ ଲୋକ ଏକ ଘର ତିଆରି କରିଥାନ୍ତି, ଏବଂ ମୁଁ ବହୁତ ଭାଗ୍ୟବାନ ଯେ ସେ ମୋ ଜୀବନ ସାଥୀ । ଯାହା ସହ ମୁଁ ମୋ ପରୁା ଜୀବନ ବିତାଇବି । ମୋ ପାଇଁ ସେ ସବୁକିଛି, ଏବଂ ଆମେ ଯେଉଁଠାରେ ଥାଉ ଏହି ଦୁନିଆରେ, କେଉଁ ସହରରେ, ସେ ମୋର ଘର।”
କିଆରାଙ୍କ ୱାର୍କ ଫ୍ରଣ୍ଟ କଥା କହିବାକୁ ଗଲେ, କିଆରାଙ୍କୁ ଶେଷ ଥର ପାଇଁ କାର୍ତ୍ତିକ ଆର୍ଯ୍ୟନଙ୍କ ବିପକ୍ଷରେ ସତ୍ୟପ୍ରମ କି କଥାରେ ଦେଖିବାକୁ ମିଳିଥିଲା । ଏହି ଚଳଚ୍ଚିତ୍ରଟି ବକ୍ସ ଅଫିସରେ ଏବେ ବି ଜାରି ରହିବା ସହ ଭଲ ପ୍ରଦର୍ଶନ କରୁଛି । ସେପଟେ ସିଦ୍ଧାର୍ଥଙ୍କ କଥା କହିବାକୁ ଗଲେ ସେ ମିଶନ ମଜନୁରେ ରଶ୍ମିକା ମନ୍ଦନାଙ୍କ ସହ ନଜର ଆସିଥିଲେ । ଏହି ସମୟରେ ଉଭୟଙ୍କର ଅନେକ ଆଗାମୀ ଫିଲ୍ମ ରହିଛି ।