ହାଇଦ୍ରାବାଦ: ବଲିଉଡର ସବୁଠାରୁ ଲୋକପ୍ରିୟ ଫିଲ୍ମ ନିର୍ମାତା ବା ନିର୍ଦ୍ଦେଶକଙ୍କ ମଧ୍ୟରେ ଜଣେ ହେଉଛନ୍ତି କରଣ ଜୋହର । ଅନେକ ହିଟ୍ ବା ସୁପରହିଟ୍ ଚଳଚ୍ଚିତ୍ର ନିର୍ମାଣ କରି ଦୁଇ ଦଶନ୍ଧି ଧରି ସେ ଦର୍ଶକଙ୍କୁ ଏଣ୍ଟରଟେନମେଣ୍ଟର ଖୋରାକ ଯୋଗାଇ ଆସିଛନ୍ତି । ଏହି ଲୋକପ୍ରିୟ ସିନେ ନିର୍ଦ୍ଦେଶକଙ୍କ ଇଣ୍ଡଷ୍ଟ୍ରିରେ ଗରୁତ୍ବପୂର୍ଣ୍ଣ ଅବଦାନ ରହିଛି। ଏଥିପାଇଁ ସେ ବ୍ରିଟିଶ ସଂସଦରେ ସମ୍ମାନିତ ହୋଇଛନ୍ତି । ପ୍ୟାଲେସ ଅଫ୍ ୱେଷ୍ଟମିନିଷ୍ଟର ଆୟୋଜିତ କାର୍ଯ୍ୟକ୍ରମରେ ତାଙ୍କୁ ସମ୍ମାନିତ କରାଯାଇଛି ।
ଗ୍ଲୋବାଲ ଏଣ୍ଟରଟେନମେଣ୍ଟରେ କରଣ ଜୋହରଙ୍କ ଅବଦାନ ପାଇଁ ବ୍ରିଟିଶ ସଂସଦରେ ସମସ୍ତ ସଦସ୍ୟଙ୍କ ଉପସ୍ଥିତିରେ ତାଙ୍କୁ ସମ୍ମାନିତ କରାଯାଇଛି । ଗ୍ଲୋବାଲ ଏଣ୍ଟରଟେନମେଣ୍ଟ ଜଗତରେ କରଣ ଜୋହର 25 ପୂର୍ତ୍ତି କରିଛନ୍ତି । ଏହି ସମ୍ମାନ ପାଇବା ପରେ କରଣ ଏହି ବିଶେଷ ମୂହୁର୍ତ୍ତକୁ ସେଲିବ୍ରେଟ୍ କରିଛନ୍ତି । ଏହାକୁ ନେଇ ନିଜ ଇନଷ୍ଟାଗ୍ରାମରେ କିଛି ଫଟୋ ସେୟାର କରିଛନ୍ତି । କ୍ୟାପସନରେ ଲେଖିଛନ୍ତି,"ଆଜି ଏକ ବିଶେଷ ଦିନ । ଲଣ୍ଡନର ବ୍ରିଟିଶ ସଂସଦରେ ସମ୍ମାନିତ ହୋଇଥିବାରୁ ମୁଁ ଭାଗ୍ୟବାନ ମନେ କରୁଛି ଏବଂ କୃତଜ୍ଞ । ଫିଲ୍ମ ଇଣ୍ଡଷ୍ଟ୍ରିରେ ଚଳଚ୍ଚିତ୍ର ନିର୍ମାତା ଭାବରେ ମୋର 25 ବର୍ଷ ପୂର୍ତ୍ତିକୁ ସେଲିବ୍ରେଟ୍ କରିଥିଲୁ ଏବଂ ମୁଁ ଏଥିପାଇଁ ନୂଆ ଫିଲ୍ମର ଟିଜର ଲଞ୍ଚ କରିଥିଲି ।" ଏଥିସହ ସେ ଆହୁରି କହିଛନ୍ତି, "ମୁଁ ଅନୁଭବ କରୁଛି ଯେ, ମୋର ସ୍ୱପ୍ନ ସାକାର ହୋଇଛି । ମୋର ଏହି ଯାତ୍ରାରେ ମୋତେ ଭଲପାଇବା ଦେଇଥିବାରୁ ସମସ୍ତଙ୍କୁ ଧନ୍ୟବାଦ । ମୁଁ ପ୍ରୋମିଜ୍ କରୁଛି ଆଗାମୀ ଦିନରେ ମୁଁ ଦର୍ଶକଙ୍କୁ ଆହୁରି ଏଣ୍ଟରଟେନମେଣ୍ଟ୍ କରିବି ।"
କୁଛ କୁଛ ହୋତା ହେ ଓ ଏ ଦିଲ୍ ହେ ମୁଶକିଲ ଆଦି ତାଙ୍କ ହିଟ୍ ଲିଷ୍ଟ ମଧ୍ୟରୁ କେତେକ ଫିଲ୍ମ । ଏହି ସବୁ ଆଇକନିକ ଫିଲ୍ମ ବ୍ରିଟେନରେ ସୁଟିଂ କରାଯାଇଥିଲା । ଏଥିସହ କରନଙ୍କ ବ୍ଲକବଷ୍ଟର ଚଳଚ୍ଚିତ୍ର 'କଭି ଖୁସି କଭି ଗମ' ଏବଂ 'ମାଇ ନେମ ଇଜ ଖାନ' ବ୍ରିଟେନର ବକ୍ସ ଅଫିସରେ ସର୍ବାଧିକ ଆୟ କରିଥିବା ଭାରତୀୟ ଚଳଚ୍ଚିତ୍ର ହୋଇପାରିଛି । ଏହା ଛଡ଼ା ମାଇ ନେମ୍ ଇଜ୍ ଖାନ୍, ଷ୍ଟୁଡେଣ୍ଟ୍ ଅଫ ଦି ଇୟର, କଭି ଅଲବିଦା ନା କେହନା ଭଳି ଫିଲ୍ମ ଦର୍ଶକଙ୍କ ମନ ଛୁଇଁବା ସହ ବକ୍ସ ଅଫିସ୍ରେ ରାଜ କରିଥିଲା। ସମ୍ପ୍ରତି କରଣ ଭାରତର ଟପ ପ୍ରଡକ୍ସନ ହାଉସ ଧର୍ମା ପ୍ରଡକ୍ସନ୍ସର ମାଲିକ ଏବଂ ଏହି ବ୍ୟାନରରେ ସେ ଅନେକ ସଫଳ ଚଳଚ୍ଚିତ୍ର ନିର୍ମାଣ କରିଛନ୍ତି । ବ୍ରହ୍ମାସ୍ତ୍ର : ପାର୍ଟ ୱାନ୍ ଶିବା, ବାହୁବଲୀ, ସୂର୍ଯ୍ୟବଂଶୀ, ୟେ ଜୱାନୀ ହେ ଦିୱାନୀ ଭଳି ଅନେକ ବ୍ଲକବଷ୍ଟର ଚଳଚ୍ଚିତ୍ର ସେ ନିର୍ମାଣ କରିଛନ୍ତି । ଚଳିତ ବର୍ଷ ଫିଲ୍ମ ଇଣ୍ଡଷ୍ଟ୍ରିରେ 25 ପୂରଣ କରିବା ପରେ କରନ ତାଙ୍କର ପରବର୍ତ୍ତୀ ଚଳଚ୍ଚିତ୍ର 'ରକି ଔର ରାନୀ କି ପ୍ରେମ କାହାନୀ' ଗ୍ଲୋବାଲ ସିନେମାହଲରେ 28 ଜୁଲାଇରେ ରିଲିଜ କରିବ । ଏହି ଫିଲ୍ମରେ ବଲିଉଡ ଅଭିନେତ୍ରୀ ଆଲିଆ ଭଟ୍ଟ ଏବଂ ଅଭିନେତା ରଣଭୀର ସିଂ ନଜର ଆସିବେ। ଗଲି ବୟ ପରେ ଉଭୟ ଏହି ଫିଲ୍ମ ସହ ପୁଣି ସ୍କ୍ରିନ୍ ସେୟାର କରିବେ ।