ହାଇଦ୍ରାବାଦ: ଶାହାରୁଖ ଖାନଙ୍କ ଫିଲ୍ମ ଜବାନ ବକ୍ସ ଅଫିସରେ ଧମାକା କରୁଛି । ଏହି ଫିଲ୍ମ ଦର୍ଶକ ବେଶ ପସନ୍ଦ କରିଛନ୍ତି । ଫିଲ୍ମର ଗୀତ ଏବଂ ଡାଇଲଗକୁ ନେଇ ମଧ୍ୟ ଲୋକଙ୍କ ମଧ୍ୟରେ ଭିନ୍ନ କ୍ରେଜ ଦେଖିବାକୁ ମିଳିଛି । ବିଶେଷ କରି ଫିଲ୍ମର ଡାଇଲଗ୍ 'ବେଟେ କୋ ହାଥ ଲଗାନେ ସେ' ଲୋକଙ୍କ ଦୃଷ୍ଟି ଆକର୍ଷଣ କରିଛି । ଏପରିକି ଏହି ଡାଇଲଗ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା । ଶାହାରୁଖ ପୁଅ ଆର୍ଯ୍ୟନଙ୍କ ମାମଲାରେ ସମୀର ୱାଙ୍ଖେଡେଙ୍କୁ ଟାର୍ଗେଟ କରି କହିଥିବା କୁହାଯାଉଥିଲା । ଏଥିସହ ଦୁବାଇରେ ଜବାନର ଟ୍ରେଲର ଲଞ୍ଚ ସମୟରେ ଶାହାରୁଖ ଏହି ଡାଇଲଗ ସମସ୍ତ ବାପା ମା'ଙ୍କୁ ଉର୍ତ୍ସଗ କରାଯାଇଥିବା କହିଥିଲେ । ତେବେ ବର୍ତ୍ତମାନ ଜବାନର ଡାଇଲଗ ରାଇଟର ସୁମିତ ଆରୋରା ଏନେଇ ଖୁଲାସା କରିଛନ୍ତି । ସେ କହିଛନ୍ତି, ଏହି ସଂଳାପ ସ୍କ୍ରିପ୍ଟର ଅଂଶ ନୁହେଁ ।
ଫିଲ୍ମର ଡାଇଲଗ ରାଇଟର ସୁମିତ ଆରୋରା କହିଛନ୍ତି, ସୁଟିଂ ଦିନ ହିଁ ଏହି ଡାଇଲଗକୁ ଅନ୍ତର୍ଭୁକ୍ତ କରାଯାଇଥିଲା । କିନ୍ତୁ ଏହି ଡାଇଲଗ୍ ଫିଲ୍ମର ମୂଳ ଡ୍ରାଫ୍ଟରେ ନଥିଲା । ଫିଲ୍ମର ଏକ ସିନ ସୁଟ ଚାଲିଥିଲା । 'ମୁଁ ସେଟରେ ଥିଲି, ତେଣୁ ମୋତେ ଭିତରକୁ ଡକାଗଲା ଏବଂ ସେହି ସମୟରେ ମୋ ପାଟିରୁ ପ୍ରଥମ ଶବ୍ଦ ବାହାରିଥିଲା -'ବେଟେ କୋ ହାଥ ଲଗାନେ ସେ ପେହେଲେ ବାପ ସେ ବାତ କରୋ'। ସେହି ସମୟରେ ଏହା ଆମେ ଅନୁଭବ କଲୁ ଯେ ଏହା ସେହି ମୁହୂର୍ତ୍ତରେ କହିବା ପାଇଁ ଏହା ସଠିକ୍ ଲାଇନ୍ ଅଟେ । ଉଭୟ ଅଟଲି ଏବଂ ଶାହାରୁଖ ସାର୍ ଏହା ଠିକ୍ ବୋଲି ଅନୁଭବ କରିଥିଲେ ଏବଂ ସିନଟି ସୁଟିଂ କରାଯାଇଥିଲା ।
ସୁମିତ ଏହା ମଧ୍ୟ କହିଛନ୍ତି ଯେ ଲୋକମାନେ ସଂଳାପକୁ ଏତେ ପସନ୍ଦ କରିବେ ଆମେ ଆଶା କରିନଥିଲୁ । ଶାହାରୁଖ ସାର୍ ଏହି ସଂଳାପକୁ ଦମଦାର ଭାବେ ଉପସ୍ଥାପନ କରିଥିଲେ । ସେ ଯେପରି କହିଛନ୍ତି, ଏହା ପୂର୍ବରୁ ସ୍କ୍ରିପ୍ଟରେ ନଥିବା ଭଳି ଜଣାପଡୁନାହିଁ । କିନ୍ତୁ ଆମେ କେବେ ଭାବି ନ ଥିଲୁ ଯେ, ସେହି ଡାଇଲଗ୍ ଏତେ ବଡ଼ ହିଟ୍ ହେବ ଏବଂ ଲୋକମାନେ ଏହାକୁ ଏତେମାତ୍ରାରେ ପସନ୍ଦ କରିବେ । ସୂଚନା ଥାଉ କି, ଟ୍ରେଲର ଲଞ୍ଚ ହେବା ପର ଠାରୁ ଏହି ଡାଇଲଗକୁ ନେଇ ବେଶ ଚର୍ଚ୍ଚା ହୋଇଥିଲା ।
ଏହା ମଧ୍ୟ ପଢନ୍ତୁ: 'ବେଟେ କୋ ହାଥ୍ ଲଗାନେ ସେ ପେହେଲେ..' ସମୀର ୱାଙ୍ଖଡେଙ୍କୁ ଚେତାବନୀ ଦେଉଛନ୍ତି କି ଶାହାରୁଖ ?
ତାମିଲ ଚଳଚ୍ଚିତ୍ର ନିର୍ମାତା ଅଟଲିଙ୍କ ନିର୍ଦ୍ଦେଶିତ ଏହି ଚଳଚ୍ଚିତ୍ରରେ ଶାହାରୁଖ ବିକ୍ରମ ରାଠୋର ଏବଂ ତାଙ୍କ ପୁଅ ଆଜାଦ ଭୂମିକାରେ ଅଭିନୟ କରିଛନ୍ତି । ନୟନତାରା ଏବଂ ବିଜୟ ସେଥୁପଥୀ ଏହି ଫିଲ୍ମରେ ନଜର ଆସିଛନ୍ତି । ଶାହାରୁଖଙ୍କ ସହ ଅଟଲି, ନୟନତାରା ଏବଂ ବିଜୟ ସେଥୁପଥୀ ପ୍ରଥମ ଥର ପାଇଁ ଏକାଠି କାମ କରିଛନ୍ତି । ଏଥିସହ ଫିଲ୍ମରେ ସଞ୍ଚୟ ଦତ୍ତ ଏବଂ ଦୀପିକା ପାଦୁକୋନଙ୍କ କ୍ୟାମିଓ ରୋଲରେ ଦେଖିବାକୁ ମିଳିଛି । ଏହା 7 ସେପ୍ଟେମ୍ବରରେ ହିନ୍ଦୀ, ତାମିଲ ଏବଂ ତେଲୁଗୁ ଭାଷାରେ ମୁକ୍ତିଲାଭ କରିଛି । ଏହା ବିଶ୍ୱବ୍ୟାପୀ ବକ୍ସ ଅଫିସରେ 600 କୋଟିରୁ ଅଧିକ ରୋଜଗାର କରି ଏକ ନୂଆ ରେକର୍ଡ ସୃଷ୍ଟି କରିଛି ।