ନୂଆଦିଲ୍ଲୀ: ବଲିଉଡ ଅଭିନେତା ତଥା ନିର୍ଦ୍ଦେଶକ ସତୀଶ କୌଶିକ ଏହି ଦୁନିଆରେ ଆଉ ନାହାଁନ୍ତି । ଗୁରୁବାର ସକାଳେ 66 ବର୍ଷୀୟ ସତୀଶ କୌଶିକ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି । ଏହାକୁ ନେଇ ତାଙ୍କ ବନ୍ଧୁ ତଥା ବଲିଉଡ ଅଭିନେତା ଅନୁପମ ଖେର୍ ଟ୍ବିଟ୍ ମାଧ୍ୟମରେ ସୂଚନା ଦେଇଛନ୍ତି । କିନ୍ତୁ ସତୀଶଙ୍କ ଅଭିନୟ ଦର୍ଶକଙ୍କ ହୃଦୟରେ ସର୍ବଦା ଏକ ସ୍ବତନ୍ତ୍ର ସ୍ଥାନ ଅଧିକାର କରିଥିଲା । ବିଶେଷକରି ଗୋବିନ୍ଦା ଏବଂ ସତୀଶଙ୍କ ଯୋଡି ଏପରି ଚଳଚ୍ଚିତ୍ରରେ ଅଭିନୟ କରିଥିଲେ, ଯାହା 80 ଏବଂ 90 ଦଶକରେ ଦର୍ଶକଙ୍କ ଖୁବ୍ ମନୋରଞ୍ଜନ କରିଥିଲା । ଯଦିଓ ସତୀଶ ପ୍ରାୟ ସମସ୍ତ ବଡ ଅଭିନେତା ଏବଂ ନିର୍ଦ୍ଦେଶକଙ୍କ ସହ କାମ କରିଥିଲେ, କିନ୍ତୁ ଗୋବିନ୍ଦା ଏବଂ ସତୀଶଙ୍କ ଯୋଡି ଦର୍ଶକଙ୍କ ଉପରେ ଏକ ଭିନ୍ନ ପ୍ରଭାବ ପକାଇଥିଲା । ଉଭୟ ନିଜ ଅଭିନୟ ଏବଂ କମିକ ଟାଇମିଂ ସହିତ ଦର୍ଶକଙ୍କୁ ହସାଇ ହସାଇ ବେଦମ କରିଦେଇଥିଲେ ।
ଗୋବିନ୍ଦା ତାଙ୍କର ଅଧିକାଂଶ ଚଳଚ୍ଚିତ୍ରରେ 'ସଂସ୍କାରୀ ପୁଅ' ଭୁମିକାରେ ନଜର ଆସୁଥିଲେ। । ସେତେବେଳେ ଗୋବିନ୍ଦାଙ୍କୁ ନୂଆ ଭୂମିକାରେ ଦର୍ଶକଙ୍କ ପାଖରେ ପହଞ୍ଚାଇବା ବ୍ୟକ୍ତି ହେଉଛନ୍ତି ସତୀଶ କୌଶିକ। 'ରାଜା ଜି' ଫିଲ୍ମରେ ସତୀଶ କୌଶିକ ଗୋବିନ୍ଦାଙ୍କ ମାମୁଁ ଭୂମିକାରେ ଅଭିନୟ କରିଥିଲେ । ଏହି ଚଳଚ୍ଚିତ୍ରରେ ଗୋବିନ୍ଦାଙ୍କ ଚରିତ୍ର ଜଣେ ଧନୀ ଝିଅକୁ ବିବାହ କରିବାକୁ ଚାହୁଁଥିଲେ ଯାହାର ଅର୍ଥରେ ସେ ତାଙ୍କ ଜୀବନ କାଟି ପାରିବେ । ଏହି ଚଳଚ୍ଚିତ୍ରରେ ସତୀଶ ଗୋବିନ୍ଦାଙ୍କୁ ସାହାଯ୍ୟ କରୁଥିବା ନଜର ଆସିଛନ୍ତି । ଫିଲ୍ମରେ ଉଭୟଙ୍କ ଅଭିନୟ ଦର୍ଶକଙ୍କୁ ଖୁବ୍ ହସାଇଥିଲା ।
'ସ୍ୱର୍ଗ' ଫିଲ୍ମ ସେହି ସମୟର ସବୁଠାରୁ ଅଧିକ ସଫଳତା ହାସଲ କରିଥିଲା । ଏହି ଚଳଚ୍ଚିତ୍ରରେ ମଧ୍ୟ ଉଭୟଙ୍କ ଯୋଡ଼ି ଦର୍ଶକଙ୍କୁ ବେଶ ପସନ୍ଦ ଆସିଥିଲା । ଗୋବିନ୍ଦାଙ୍କୁ ତାଙ୍କ ସମ୍ପର୍କୀୟମାନେ ଚୋରି ଅଭିଯୋଗରେ ଘରୁ ବାହାର କରି ଦେଇଥିବା ବେଳେ ଗୋବିନ୍ଦା ହିରୋ ହେବା ପାଇଁ ମୁମ୍ବାଇରେ ପହଞ୍ଚିଛନ୍ତି । ଯେଉଁଠାରେ ସେ ସତୀଶଙ୍କୁ ଭେଟନ୍ତି । ପୁଣିଥରେ ସତୀଶ ଗୋବିନ୍ଦାଙ୍କୁ ରହିବାକୁ ଏକ ଘର ଦିଅନ୍ତି ଏବଂ ତାଙ୍କୁ ହିରୋ ହେବାକୁ ସାହାଯ୍ୟ କରୁଥିବାର ନଜର ଆସିଥିଲେ ।
ସେହିପରି 1996 ମସିହାରେ ଆସିଥିବା ଫିଲ୍ମ 'ସାଜନ ଚଲେ ଶଶୁରାଲ' ହେଉଛି ଦୁଇ ପତ୍ନୀଙ୍କ ମଧ୍ୟରେ ଫସି ରହିଥିବା ସ୍ବାମୀଙ୍କ କାହାଣୀ । ଯେଉଁଥିରେ ତବୁ ଏବଂ କରିଶ୍ମା କପୁର ଗୋବିନ୍ଦାଙ୍କ ସହ କାମ କରିଥିଲେ । କାହାଣୀରେ କରିଶ୍ମା ହେଉଛନ୍ତି ଗୋବିନ୍ଦାଙ୍କର ପ୍ରଥମ ପତ୍ନୀ । ଏବଂ ପରିସ୍ଥିତିରେ ପଡ଼ି ଗୋବିନ୍ଦାଙ୍କୁ ଦ୍ବିତୀୟ ଥର ପାଇଁ ତବୁଙ୍କୁ ବିବାହ କରିବାକୁ ପଡିଲା । ଗୋବିନ୍ଦାଙ୍କୁ ଦୁଇ ପତ୍ନୀଙ୍କ ମଧ୍ୟରେ ସମନ୍ବୟ ରକ୍ଷା କରିବାରେ ସାହାଯ୍ୟ କରିଥିବା ବ୍ୟକ୍ତି ହେଉଛନ୍ତି ସତୀଶ କୌଶିକ, ଯେଉଁ ଚରିତ୍ରର ନାମ ଥିଲା ମୁଥୁସ୍ବାମୀ । ଏହି ଫିଲ୍ମରେ ସତୀଶଙ୍କ ଦମ୍ଦାର ଅଭିନୟ ଦର୍ଶକଙ୍କୁ ଆକର୍ଷିତ କରିଥିଲା ।
'ପରଦେଶୀ ବାବୁ' ଫିଲ୍ମ ମଧ୍ୟ ସତୀଶ କୌଶିକ ଗୋବିନ୍ଦାଙ୍କୁ ବହୁତ ସାହାଯ୍ୟ କରୁଥିବା ନଜର ଆସିଛନ୍ତି । ଏହି ଫିଲ୍ମରେ ହାପି ସିଂ ଭୂମିକାରେ ଅଭିନୟ କରୁଥିବା ସତୀଶ ଗୋବିନ୍ଦାଙ୍କୁ ଟଙ୍କା ରୋଜଗାର କରିବାରେ ସାହାଯ୍ୟ କରନ୍ତି । କାରଣ ଗୋବିନ୍ଦା ଜଣେ ଧନୀ ଝିଅକୁ ଭଲ ପାଆନ୍ତି । ଗୋବିନ୍ଦାଙ୍କ ଭବିଷ୍ୟତର ଶ୍ବଶୁର ତାଙ୍କ ସମ୍ମୁଖରେ ଏକ ସର୍ତ୍ତ ରଖିଥିଲେ ଯେ ତାଙ୍କୁ ଗୋଟିଏ ବର୍ଷରେ ଏକ କୋଟି ଟଙ୍କା ରୋଜଗାର କରିବାକୁ ପଡ଼ିବ । ଏହି ଫିଲ୍ମରେ ହାପି ସିଂ ତଥା ସତୀଶ ଗୋବିନ୍ଦାଙ୍କୁ ବ୍ୟବସାୟରେ ସାହାଯ୍ୟ କରନ୍ତି ।
ସେହିଭଳି 2001ରେ, ପୁଣି ଥରେ ଗୋବିନ୍ଦା-ସତୀଶ କୌଶିକଙ୍କ ଯୋଡ଼ିକୁ ବଡ଼ ପରଦାରେ 'କ୍ୟୁଁ କି ମେ ଝୁଟ୍ ନେହି ବୋଲତା' ଫିଲ୍ମରେ ଗୋବିନ୍ଦାଙ୍କୁ ଆଶ୍ରୟ ଦେଉଥିବାର ନଜର ଆସିଥିଲେ । ଏଥିରେ ଗୋବିନ୍ଦାଙ୍କ ଚରିତ୍ର ଜଣେ ଓକିଲ । ଯେଉଁମାନେ ଏକ ଛୋଟ ସହରରୁ ମୁମ୍ବାଇକୁ ଆସନ୍ତି । ଏଠାରେ ସତୀଶ କୌଶିକ ତାଙ୍କୁ ତାଙ୍କ ଘରେ ଆଶ୍ରୟ ଦିଅନ୍ତି ।
ତେବେ ଏହିଭଳି ଅନେକ ଫିଲ୍ମରେ ଉଭୟଙ୍କ ଅଭିନୟ ଦର୍ଶକଙ୍କ ମନକୁ ଛୁଇଁଥିଲା । ଆଜି ବି ଏହି ଯୋଡିର ବିକଳ୍ପ ବଲିଉଡରେ ନାହାନ୍ତି କହିଲେ ଭୁଲ୍ ହେବନି । ସତୀଶ କୌଶିକ ଆଜି ଏ ଦୁନିଆରେ ନାହାନ୍ତି ସତ କିନ୍ତୁ ନିଜର ହିଟ୍ ଫିଲ୍ମ ପାଇଁ ସେ ସଦା ସର୍ବଦା ଦର୍ଶକଙ୍କ ହୃଦୟରେ ଚିର ସ୍ମରଣୀୟ ହୋଇ ରହିବେ ।