ହାଇଦ୍ରାବାଦ: ଟିଭି ଅଭିନେତ୍ରୀ ହେତଲ ଯାଦବ ଏକ ବଡ଼ ଦୁର୍ଘଟଣାର ଶିକାର ହୋଇଛନ୍ତି । ଅଭିନେତ୍ରୀ ରବିବାର ରାତିରେ ସୁଟିଂରୁ ଘରକୁ ଫେରୁଥିବା ସମୟରେ ଏହି ଦୁର୍ଘଟଣା ଘଟିଛି । ହେତଲ ଯାଦବଙ୍କ କାରକୁ ଟ୍ରକ ଧକ୍କା ଦେଇଥିଲା, ମାତ୍ର ଅଭିନେତ୍ରୀ ଏହି ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି ।
ରିପୋର୍ଟ ଅନୁଯାୟୀ, ରବିବାର ଦିନ ସୁଟିଂ ଶେଷ ହେବା ପରେ ହେତଲ ଯାଦବ ନିଜେ କାର ଚଳାଇ ଘରକୁ ଫେରୁଥିଲେ । ଏହି ସମୟରେ ପଛରୁ ଆସୁଥିବା ଏକ ଟ୍ରକ ତାଙ୍କ କାରକୁ ଧକ୍କା ଦେଇଥିଲା । ହେଲେ ଏଥିରେ ତାଙ୍କର ବିଶେଷ କିଛି କ୍ଷତି ହୋଇ ନାହିଁ । ଗତ ରାତି ପ୍ରାୟ ୯ଟା ସମୟରେ JVLR ରାଜପଥରେ ଏହି ଦୁର୍ଘଟଣା ଘଟିଥିଲା । ଦୁର୍ଘଟଣା ଘଟିବା ପରେ ତୁରନ୍ତ ସେ ଏହି ଘଟଣା ସମ୍ପର୍କରେ ପୋଲିସକୁ ସୂଚନା ଦେଇଥିଲେ ।
ଏକ ସାକ୍ଷାତକାରରେ ଅଭିନେତ୍ରୀ ଦୁର୍ଘଟଣା ସମ୍ପର୍କରେ ସୂଚନା ଦେଇଛନ୍ତି । ଅଭିନେତ୍ରୀ କହିଛନ୍ତି, 'ମୁଁ ରାତି ପ୍ରାୟ 8ଟା 45 ମିନିଟ୍ରେ ଫିଲ୍ମ ସିଟିରୁ ଘରକୁ ଫେରୁଥିଲି । JVLR ରାଜପଥରେ ପହଞ୍ଚିବା ମାତ୍ରେ ଏକ ଟ୍ରକ୍ ମୋ କାରକୁ ପଛ ପଟକୁ ଧକ୍କା ଦେଇ କାରକୁ ଫ୍ଲାଏଓଭର କଡ଼କୁ ଟାଣି ନେଇଯିବାକୁ ଲାଗିଲା । କିନ୍ତୁ କୌଣସି ପ୍ରକାରରେ ମୁଁ ସାହସ କରି ଭାରସାମ୍ୟ ରକ୍ଷା କରିବା ସମୟରେ ଟ୍ରକ ଆଗରେ କାରକୁ ଅଟକାଇଲି । ତା’ପରେ ମୋ ପୁଅକୁ ଡାକିଲି । ଏହି ଘଟଣା ପରେ ତୁରନ୍ତ ପୋଲିସକୁ ଜଣାଇଥିଲି । କିନ୍ତୁ ସୌଭାଗ୍ୟବଶତ ମୋର କୌଣସି କ୍ଷୟକ୍ଷତି ହୋଇନାହିଁ, ତଥାପି ମୁଁ ଆଶ୍ଚର୍ଯ୍ୟ ହୋଇଯାଉଛି ।'
ଏହା ବି ପଢନ୍ତୁ: FIFA World Cup: ପ୍ରଥମ ଅଭିନେତ୍ରୀ ଭାବେ ଟ୍ରଫି ଉନ୍ମୋଚନ କରିବେ ଦୀପିକା
ଉଲ୍ଲେଖନୀୟ ଯେ, ଆଜିକାଲି ହେତଲ ଯାଦବ ଷ୍ଟାର୍ ପ୍ଲସ୍ର ଲୋକପ୍ରିୟ ସୋ 'ଇମଲି'ରେ ଶିବାନୀ ରାଣାଙ୍କ ଚରିତ୍ରରେ ଅଭିନୟ କରୁଛନ୍ତି । ଅଭିନେତ୍ରୀଙ୍କୁ ତାଙ୍କ ପ୍ରଶଂସକମାନେ ଭଲ ପାଆନ୍ତି ଏବଂ ଗତ 25 ବର୍ଷ ଧରି ସେ ଅଭିନୟ କ୍ଷେତ୍ରର ଏକ ଅଂଶ ରହିଆସିଛନ୍ତି । ସେ 'ତାରକ ମେହେଟ୍ଟା କା ଓଲଟା ଚଷମା'ରେ ଜୱାଲା ଚରିତ୍ରରୁ ସର୍ବାଧିକ ଲୋକପ୍ରିୟତା ପାଇଥିଲେ।