ଭୋପାଳ: କ୍ରିକେଟରଙ୍କ ସହ ବଲିଉଡ ଅଭିନେତ୍ରୀଙ୍କ ବିବାହର ଲମ୍ବା ତାଲିକାରେ ଏକ ନୂଆ ନାମ ଯୋଡା ଯାଇଛି । ପୂର୍ବରୁ କ୍ରିକେଟର ବିରାଟ କୋହଲିଙ୍କ ସହ ଅଭିନେତ୍ରୀ ଅନୁଷ୍କା ଶର୍ମା, ଗୀତା ଭରସାଙ୍କ ସହ ହରଭଜନ ସିଂ ଏବଂ ଯୁବରାଜ ସିଂ ସହ ହାଜେଲ କିଚଙ୍କ ଭଳି ଅଭିନେତ୍ରୀ ବିବାଦ ବନ୍ଧନରେ ବାନ୍ଧି ହୋଇଛନ୍ତି । ସେହିପରି ନିକଟରେ କ୍ରିକେଟର କେ.ଏଲ୍ ରାହୁଲଙ୍କ ହାତ ଧରିଛନ୍ତି ଅଭିନେତା ସୁନୀଲ ଶେଟ୍ଟୀଙ୍କ ଝିଅ ଆଥିୟା ଶେଟ୍ଟୀ ।
ବିବାହର ମାସେ ପରେ ଏହି ଷ୍ଟାର ନବଦମ୍ପତି ପବିତ୍ର ଶୈବପୀଠ ମଧ୍ୟପ୍ରଦେଶର ଉଜୈନ ସ୍ଥିତ ମହାକାଳେଶ୍ବର ମନ୍ଦିର ପରିଦର୍ଶନ କରି ମହାକାଳଙ୍କ ଆଶୀର୍ବାଦ ନେଇଥିବା ନଜର ଆସିଛନ୍ତି । ପ୍ରଥମ ଥର ନବଦମ୍ପତି ନିଜ ବୈବାହିକ ଜୀବନ ଯାତ୍ରା ପାଇଁ ବାବା ମହାକାଳଙ୍କୁ ଦର୍ଶନ କରି ଆଶିଷ ଲାଭ କରିଛନ୍ତି । ସୂଚନା ଅନୁସାରେ କେ.ଏଲ୍ ରାହୁଲ ନିଜ କ୍ରିକେଟ କମିଣ୍ଟମେଣ୍ଟ ପାଇଁ ମଧ୍ୟପ୍ରଦେଶରେ ରହିଥିବା ବେଳେ ସେଲିବ୍ରିଟି ଦମ୍ପତି ପ୍ରଥମେ ମହାକାଳେଶ୍ବର ମନ୍ଦିରକୁ ଯାଇଥିଲେ । ପରେ ସମସ୍ତ ରୀତିନୀତି ପାଳନ କରି ଉପସ୍ଥିତ ପୁରୋହିତଙ୍କ ଦ୍ବାରା ଆଥିୟା ଏବଂ କେ.ଏଲ୍ ରାହୁଲ ବାବା ମହାକାଳଙ୍କୁ ପୂଜା କରିଥିଲେ ।
ସୂଚନାଥାଉ କି, ମନ୍ଦିର ପରିଦର୍ଶନ ପାଇଁ ଆଥିୟା ଏକ ହଳଦିଆ ରଙ୍ଗର ଶାଢୀ ପିନ୍ଧିଥିବା ବେଳେ ଷ୍ଟାର କ୍ରିକେଟର ଧୋତି ପିନ୍ଧିଥିବାର ନଜର ଆସିଥିଲେ । ଏଥିସହ ଅଭିନେତ୍ରୀ କମ ମେକଅପ୍ ନେଇଥିବା ବେଳେ ଉଭୟ ଦମ୍ପତି (traditional) ଟ୍ରାଡିସନାଲ ଲୁକରେ ବହୁତ ସୁନ୍ଦର ଦେଖାଯାଉଥିଲେ । ଦମ୍ପତି ଏଠାରେ ଦୁଇ ଘଣ୍ଟା ଭଜନ ଜପ କରିଥିଲେ । ଏହାସହିତ ଆସନ୍ତା ବର୍ଷଗୁଡିକରେ ଭାରତୀୟ କ୍ରିକେଟ୍ ଦଳର ଭଲ ପ୍ରଦର୍ଶନ ପାଇଁ କେଏଲ ରାହୁଲ ପ୍ରାର୍ଥନା କରିଥିଲେ ।
ସୂଚନାଥାଉ କି, ଚଳିତ ବର୍ଷ ଜାନୁୟାରୀ 23 ତାରିଖରେ ଆଥିଆ ଶେଟ୍ଟୀ ଏବଂ କେ.ଏଲ୍ ରାହୁଲ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ । ବିବାହରେ ଆଥିୟା ଏକ ଭାରୀ ଲେହେଙ୍ଗା ସହ ସୁସଜ୍ଜିତ ହାର ଏବଂ କାନଫୁଲ ପିନ୍ଧିଥିବା ବେଳେ କେ.ଏଲ୍ ରାହୁଲ ଏକ ଧଳା ରଙ୍ଗର ଶେରୱାନିରେ ନଜର ଆସିଥିଲେ । ପାରମ୍ପରିକ ରୀତିନୀତିରେ ଖଣ୍ଡଲା ସ୍ଥିତ ଫାର୍ମ ହାଉସରେ ପରିବାର, ସମ୍ପର୍କୀୟ ଏବଂ ସାଙ୍ଗସାଥୀଙ୍କ ଉପସ୍ଥିତିରେ ବିବାହ ସମ୍ପନ୍ନ ହୋଇଥିଲା ।
ଆଥିୟା ଶେଷ ଥର ପାଇଁ 2019ରେ ନୱାଜୁଦ୍ଦିନ ସିଦ୍ଦିକିଙ୍କ ବିପକ୍ଷରେ ମୋଟିଚୋର ଚକ୍ରନାଚୋରରେ ନଜରରେ ଆସିଥିଲେ । ଆଗକୁ ଫୁଟବଲର୍ ଆଫଶାନ୍ ଆଶିକଙ୍କର ବାୟୋପିକରେ ସେ ମୁଖ୍ୟ ଭୂମିକାରେ ନଜର ଆସିବେ ।