ମୁମ୍ବାଇ: ବଲିଉଡ ଲୋକପ୍ରିୟ ଅଭିନେତ୍ରୀ ସୋନମ କପୁର ଆଜି ତାଙ୍କ 38ତମ ଜନ୍ମଦିନ ପାଳନ କରୁଛନ୍ତି । ତେବେ ତାଙ୍କ ଜନ୍ମଦିନରେ ଅଭିନେତ୍ରୀଙ୍କୁ ଛୁଟୁଛି ଶୁଭେଚ୍ଛାର ସୁଅ । ପରିବାର ଲୋକଙ୍କଠୁ ଆରମ୍ଭ କରି ଅନେକ ତାରକା ଏବଂ ଫ୍ୟାନ୍ସ ତାଙ୍କୁ ଜନ୍ମଦିନର ଅଭିନନ୍ଦନ ଜଣାଇଛନ୍ତି । ଏହି ଅବସରରେ ସୋନମଙ୍କ ସ୍ବାମୀ ଆନନ୍ଦ ଆହୁଜା ତାଙ୍କୁ ଏକ ଫୁଲ ଦେଇଥିବା ବେଳେ ପିତା ତଥା ଅଭିନେତା ଅନିଲ କପୁର ସୋସିଆଲ ମିଡିଆରେ ଏକ ହୃଦୟସ୍ପର୍ଶୀ ନୋଟ ସେୟାର କରି ଜନ୍ମଦିନ ଶୁଭେଚ୍ଛା ଜଣାଇଛନ୍ତି।
ଇନଷ୍ଟାଗ୍ରାମ ଷ୍ଟୋରୀରେ ସୋନମ ପୁଷ୍ପଗୁଚ୍ଛର ଏକ ଫଟୋ ସେୟାର କରିଛନ୍ତି ଯାହା ତାଙ୍କ ସ୍ୱାମୀ ତାଙ୍କୁ ଦେଇଛନ୍ତି ଏବଂ ଲେଖିଛନ୍ତି, "ଏହି ଫୁଲ ମୋ ବେବି ବୟ ଆନନ୍ଦ ଆହୁଜାଙ୍କ ତରଫରୁ।" ଅନିଲ ନିଜ ଇନଷ୍ଟାଗ୍ରାମରେ ତାଙ୍କ ଝିଅର ସୁନ୍ଦର ଫଟୋ ସେୟାର କରିଛନ୍ତି । ଫଟୋ ସେୟାର କରି ସେ ଲେଖିଛନ୍ତି, "ମୋର ହୃଦୟର ଏକ ବଡ ଅଂଶ ଲଣ୍ଡନରେ ଅଛି ଏବଂ ମୁଁ ଆଜି ତାଙ୍କୁ ମନେ ପକାଉଛି । ସୋନମ, ତୁମର ଭଲପାଇବା, ଉଦାରତା ଏବଂ ନିଷ୍ଠାପର ଉପସ୍ଥିତି ଆମ ହୃଦୟକୁ ଭରିଦିଏ, ଏବଂ ଆମ ଘର ତୁମ ବିନା ଖାଲି ଖାଲି ଅନୁଭବ ହୁଏ । ଆନନ୍ଦ ଏବଂ ମୋର ପ୍ରିୟ ବାୟୁକୁ ମନେ ପକାଉଛୁ ! ଜନ୍ମଦିନର ଅନେକ ଶୁଭେଚ୍ଛା ! ଶୀଘ୍ର ଫେରି ଆସ !!! ଲଭ ୟୁ !"
ଫଟୋଗୁଡ଼ିକ ସେୟାର ହେବା ମାତ୍ରେ ଅଭିନେତାଙ୍କ ପ୍ରଶଂସକ ଏବଂ ଇଣ୍ଡଷ୍ଟ୍ରି ଅନେକ ତାରକା ସୋନମଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଅନିଲଙ୍କ ପତ୍ନୀ ସୁନୀତା କପୁର ପ୍ରତିକ୍ରିୟାରେ ହାର୍ଟ ଇମୋଜିରେ ସେୟାର କରିଥିଲେ । କରୀନାଙ୍କ ସମେତ ଅନ୍ୟ ସେଲିବ୍ରିଟିମାନେ ମଧ୍ୟ ସୋନମଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି । ସୋନମ କପୁରଙ୍କ ଭାଇ ଅର୍ଜୁନ କପୁରଙ୍କ ଗାର୍ଲଫ୍ରେଣ୍ଡ ମଲାଇକା ଅରୋରା ମଧ୍ୟ ତାଙ୍କୁ ସୋନମଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।
ସୂଚନା ଥାଉ କି, ସୋନମ ଏବଂ ଆନନ୍ଦ ମେ' 2018 ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ । 2022 ଅଗଷ୍ଟରେ ଏହି ଦମ୍ପତି ପୁତ୍ର ସନ୍ତାନକୁ ଜନ୍ମ ଦେଇଥିଲେ, ଯାହାର ନାମ ବାୟୁ । ସୋନମ ବର୍ତ୍ତମାନ ତାଙ୍କ ସ୍ୱାମୀଙ୍କ ସହ ଲଣ୍ଡନରେ ଅଛନ୍ତି ଏବଂ ମା' ହେବା ପରେ ଏହା ତାଙ୍କର ପ୍ରଥମ ଜନ୍ମଦିନ। ଅନେକ ଚଳଚ୍ଚିତ୍ର ଓ ଫ୍ୟାଶନ୍କୁ ନେଇ ସୋନମ ହିନ୍ଦୀ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିରେ ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିଛନ୍ତି । ସୋନମଙ୍କ ଚଳଚ୍ଚିତ୍ର ପ୍ରୋଜେକ୍ଟ ବିଷୟରେ କହିବାକୁ ଗଲେ ସେ ପରବର୍ତ୍ତୀ ସମୟରେ ଶୋମ ମାଖିଆଙ୍କ ନିର୍ଦ୍ଦେଶିତ ବ୍ଲାଇଡରେ ପୁରବ କୋହଲି, ବିନୟ ପାଠକ ଏବଂ ଲିଲେଟ ଦୁବେଙ୍କ ସହ ପ୍ରମୁଖ ଭୂମିକାରେ ନଜର ଆସିବେ । ନିକଟରେ ଜିଓ ଷ୍ଟୁଡିଓର ଏକ ଇଭେଣ୍ଟରେ ଫିଲ୍ମର ପ୍ରଥମ ଲୁକ୍ ରିଲିଜ ହୋଇଥିଲା ।