ଭୋପାଳ: ବଲିଉଡର ଲୋକପ୍ରିୟ ଦମ୍ପତି ରଣବୀର କପୁର ଏବଂ ଆଲିଆ ଭଟ୍ଟ ମଙ୍ଗଳବାର ସନ୍ଧ୍ୟାରେ ମହାକାଳ ମନ୍ଦିର ପରିଦର୍ଶନ କରିବାକୁ ଉଜୈନରେ (Alia Ranbir Visit Ujjain) ପହଞ୍ଚିଥିଲେ । କିନ୍ତୁ ବିନା ଦର୍ଶନ କରି ସେମାନଙ୍କୁ ମନ୍ଦିରରୁ ଫେରିବାକୁ ପଡିଛି । କେବଳ ଫିଲ୍ମର ନିର୍ଦ୍ଦେଶକ ଆୟାନ ମୁଖାର୍ଜୀ ଏବଂ ତାଙ୍କ ଟିମ୍ ଗର୍ଭଗୃହକୁ ଯାଇ ବାବା ମହାକାଳଙ୍କ ଦର୍ଶନ କରିପାରିଛନ୍ତି ।
ମିଳିଥିବା ସୂଚନାନୁସାରେ, ଆଲିଆ-ରଣବୀର ଏବଂ ଆୟାନ ମୁଖାର୍ଜୀଙ୍କ ଆଗମନ ପୂର୍ବରୁ ହିଁ ବଜରଙ୍ଗ ଦଳ ଏବଂ ବିଶ୍ୱ ହିନ୍ଦୁ ପରିଷଦ କାର୍ଯ୍ୟକର୍ତ୍ତାମାନେ ମହାକାଳ ମନ୍ଦିରର ମୁଖ୍ୟ ତଥା ଭିଭିଆଇପି ଫାଟକରେ ଜୋରଦାର ହଙ୍ଗମା କରିଥିଲେ, ଯାହା ପରେ ରଣବୀର-ଆଲିଆ ଏବଂ ଆୟାନ୍ ମୁଖାର୍ଜୀଙ୍କୁ ଉଜୈନ ଜିଲ୍ଲାପାଳ ଆଶିଷ ସିଂଙ୍କ ଘରେ ପହଞ୍ଚିବାକୁ ପଡିଥିଲା ।
ହିନ୍ଦୁ ସଂଗଠନର କାର୍ଯ୍ୟକର୍ତ୍ତାମାନେ ରଣବୀର ଏବଂ ଆଲିଆଙ୍କୁ କଳା ପତାକା ଦେଖାଇବା ଉଦ୍ଦେଶ୍ୟରେ ପହଞ୍ଚିଥିଲେ । ତେବେ ସାମାନ୍ୟ ବଳ ପ୍ରୟୋଗ କରି ପୋଲିସ ସେମାନଙ୍କୁ ଘଉଡାଇ ଦେଇଥିଲା । ବଜରଙ୍ଗ ଦଳର କର୍ମକର୍ତ୍ତା କହିଛନ୍ତି ଯେ, ‘‘ରଣବୀର କପୁର ନିଜେ କହିଛନ୍ତି ଯେ, ସେ ଗୋମାଂସ ଖାଉଛନ୍ତି । ଗୋମାଂସ ଖାଉଥିବା ଲୋକଙ୍କୁ ମନ୍ଦିରରେ କିପରି ପ୍ରବେଶ କରିବାକୁ ଦିଆଯାଉଛି, ଏହାର ଉତ୍ତର ପ୍ରଶାସନକୁ ଦେବାକୁ ପଡିବ ।’’
ଆୟାନ୍ ମୁଖାର୍ଜୀଙ୍କ ବୟାନ:
ମନ୍ଦିରରେ ପହଞ୍ଚିଥିବା ଆୟାନ୍ ମୁଖାର୍ଜୀ କହିଛନ୍ତି ଯେ, ‘‘ତାଙ୍କ ଫିଲ୍ମ ରିଲିଜ୍ ହେବା ପୂର୍ବରୁ ବାବାଙ୍କୁ ଦେଖିବା ପାଇଁ ତାଙ୍କର ବହୁତ ଇଚ୍ଛା ଥିଲା । ଆଜି ଦର୍ଶନ ପାଇ ସେ ବହୁତ ଖୁସି ଅଛନ୍ତି । ଫିଲ୍ମର ସଫଳତା ପାଇଁ ସେ ଭଗବାନଙ୍କ ନିକଟରେ ପ୍ରାର୍ଥନା (Director Ayan Mukerji worshiped Baba) କରିଛନ୍ତି । ଏହା ସହିତ ସେ କହିଛନ୍ତି ଯେ, ଆମ ସହିତ ରଣବୀର କପୁରଙ୍କ ପ୍ରଶିକ୍ଷକ ଦୀପେଶ ଭଟ୍ଟ ଅଛନ୍ତି, ଯାହା ଶିବହୋମ ନାମରେ ଜଣାଶୁଣା ଏବଂ ଟିମ୍ର ସଦସ୍ୟମାନେ ମଧ୍ୟ ଉପସ୍ଥିତ ଅଛନ୍ତି ।’’ ଆୟାନ୍ କହିଛନ୍ତି ଯେ, ‘‘ଦର୍ଶନ ବହୁତ ଭଲ ହୋଇଛି । ଏଥିସହିତ ରଣଭୀର ଏବଂ ଆଲିଆଙ୍କୁ ନେଇ ବିରୋଧ ପ୍ରଦର୍ଶନ ଉପରେ ସେ ନିରବ ରହିଥିଲେ ।’’
ଉଲ୍ଲେଖନୀୟ ଯେ, ଷ୍ଟାର ଦମ୍ପତି ଇନ୍ଦୋର ବିମାନ ବନ୍ଦରରୁ ସନ୍ଧ୍ୟା 6:30ରେ ଉଜୈନ ସ୍ଥିତ ବାବା ମହାକାଳଙ୍କ ଦର୍ଶନ ପାଇଁ ବାହାରିଥିଲେ । ଉଭୟ ଆଗାମୀ ଚଳଚ୍ଚିତ୍ର 'ବ୍ରହ୍ମାସ୍ତ୍ର'ର ସଫଳତା ପାଇଁ ଭଗବାନଙ୍କ ଆଶୀର୍ବାଦ ନେବାକୁ ଆସିଥିଲେ । ଫିଲ୍ମର ନିର୍ଦ୍ଦେଶକ ଆୟାନ ମୁଖାର୍ଜୀ ମଧ୍ୟ ତାଙ୍କ ସହ ଥିଲେ । ଉଜୈନରେ ପହଞ୍ଚିବା ପୂର୍ବରୁ ଏକ ଭିଡିଓ ରିଲିଜ୍ କରି ଏହି ଦମ୍ପତି ସେମାନଙ୍କ ଆଗମନ ବିଷୟରେ ସୂଚନା ଦେଇଥିଲେ । ଦୀର୍ଘ ଦିନର ସମ୍ପର୍କ ପରେ ଆଲିଆ ଏବଂ ରଣବୀର ଚଳିତ ବର୍ଷ ଏପ୍ରିଲ 14ରେ ବିବାହ କରିଛନ୍ତି । ଆଲିଆ ଭଟ୍ଟ ଏବଂ ରଣବୀର କପୁର ଶୀଘ୍ର ପିତାମାତା ହେବାକୁ ଯାଉଛନ୍ତି ।