ଅଯୋଧ୍ୟା: ବଲିଉଡ ଲୋକପ୍ରିୟ ଅଭିନେତ୍ରୀ କଙ୍ଗନା ରାଣାୱତ ତାଙ୍କ ଆଗାମୀ ଫିଲ୍ମ ତେଜସ ପାଇଁ ଶିରୋନାମାରେ ରହିଛନ୍ତି । ଏହି ଫିଲ୍ମ ଆସନ୍ତାକାଲି ଅର୍ଥାତ୍ ଅକ୍ଟୋବର ୨୭ରେ ରିଲିଜ ହେବ । ଏନେଇ ସେ ବର୍ତ୍ତମାନ ଫିଲ୍ମର ଜୋରଦାର ପ୍ରମୋସନରେ ବ୍ୟସ୍ତ ଅଛନ୍ତି । ତେବେ ରିଲିଜ ପୂର୍ବରୁ ତେଜସର ସଫଳତା ପାଇଁ ଭଗବାନ ଶ୍ରୀ ରାମଙ୍କ ଆଶୀର୍ବାଦ ପାଇବା ପାଇଁ ଅଯୋଧ୍ୟା ପରିଦର୍ଶନ କରିଛନ୍ତି । ସେଠାରୁ ସେ ନିଜର ଫଟୋ ସୋସିଆଲ ମିଡିଆ ଜରିଆରେ ସେୟାର କରିଛନ୍ତି ।
କଙ୍ଗନା ରାଣାୱତ ମନ୍ଦିରରେ ପହଞ୍ଚିବା ପରେ ମନ୍ଦିରର ପୁରୋହିତ ତାଙ୍କୁ ସ୍ୱାଗତ କରିଥିଲେ । ପରେ କଙ୍ଗନା ରୀତିନୀତି ସହ ଶ୍ରୀ ରାମଙ୍କ ପୂଜାର୍ଚ୍ଚନା କରିଥିଲେ । ପରେ ସେ ବାହାରକୁ ଆସି ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇଥିଲେ । ଏହି ସମୟରେ ସେ କହିଛନ୍ତି, ମୁଁ ବହୁତ ଖୁସି ଯେ ଆଜି ମୁଁ ଅଯୋଧ୍ୟା ଆସିଛି । ଐତିହାସିକ ଭବ୍ୟ ରାମ ମନ୍ଦିର ନିର୍ମାଣ ହେବାକୁ ଯାଉଛି । ଭାଟିକାନ୍ ସହର ଖ୍ରୀଷ୍ଟିଆନ ସମ୍ପ୍ରଦାୟ ପାଇଁ ଯେମିତି ପବିତ୍ର ଅଟେ । ସେହିପରି ଅଯୋଧ୍ୟା ମଧ୍ୟ ବିକଶିତ ହେଉଛି ଏବଂ ଅଯୋଧ୍ୟା ସମଗ୍ର ବିଶ୍ୱରେ ଲୋକଙ୍କ ଧାର୍ମିକ ବିଶ୍ୱାସର କେନ୍ଦ୍ରରେ ପରିଣତ ହେବ ।
ଅଯୋଧ୍ୟାରେ ଚାଲିଥିବା ମନ୍ଦିର ନିର୍ମାଣର ଅଗ୍ରଗତି ଦେଖି କଙ୍ଗନା ରାଣାୱତ ପ୍ରତିକ୍ରିୟା ଦେଇ କହିଛନ୍ତି, "ଆଜି ଅଯୋଧ୍ୟାରେ ଏକ ମହାନ୍ ରାମ ମନ୍ଦିର ନିର୍ମାଣ କରାଯାଉଛି । ଏଥିପାଇଁ ସେ ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ୟୁପି ସିଏମ ଯୋଗୀ ଆଦିତ୍ୟନାଥଙ୍କୁ ଧନ୍ୟବାଦ ଦେଇଛନ୍ତି । ସେ କହିଛନ୍ତି, ମୋଦୀ ସରକାରଙ୍କ ଉଦ୍ୟମ ହେତୁ ଏହି ମନ୍ଦିର ନିର୍ମାଣର ସ୍ୱପ୍ନ ସାକାର ହେଉଛି । ସେପଟେ କଙ୍ଗନା ମନ୍ଦିର ପରିଦର୍ଶନର ଫଟୋ ନିଜ ଇନଷ୍ଟାଗ୍ରାମରେ ମଧ୍ୟ ସେୟାର କରିଛନ୍ତି ।
ଏହା ମଧ୍ୟ ପଢନ୍ତୁ: ପ୍ରଥମ ମହିଳା ଭାବେ ରାବଣ ଦହନ କଲେ କଙ୍ଗନା, ଜୟ ଶ୍ରୀ ରାମ ନାରାରେ ଗୁଞ୍ଜିଲା ପୁରା ଅଞ୍ଚଳ
ଫିଲ୍ମ ତେଜସ୍ ବିଷୟରେ ଫିଲ୍ମ ଅଭିନେତ୍ରୀ ତାଙ୍କ ଆଗାମୀ ଚଳଚ୍ଚିତ୍ର ତେଜସ୍ ବିଷୟରେ କହିଛନ୍ତି ଯେ ଏହି ଚଳଚ୍ଚିତ୍ର ବାୟୁସେନା ଉପରେ ଆଧାରିତ। ଏଥିରେ ରାମ ମନ୍ଦିର ମଧ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ରହିଛି। ତାଙ୍କ ଚଳଚ୍ଚିତ୍ରର ସଫଳତା ପାଇଁ ସେ ପ୍ରଭୁ ରାମଙ୍କଠାରୁ ଆଶୀର୍ବାଦ ନେଇଛନ୍ତି । ସୂଚନା ଥାଉ କି, ଭାରତୀୟ ବାୟୁସେନା(IAF) ପାଇଲଟ୍ ତେଜସ୍ ଗିଲଙ୍କ ଜୀବନ ଯାତ୍ରା ଉପରେ ନିର୍ମିତ ହୋଇଛି । ଏହି ଫିଲ୍ମରେ କଙ୍ଗନା ତେଜସ ଗିଲ୍ଙ୍କ ଭୂମିକାରେ ବାୟୁସେନା ପାଇଲଟ ଅବତାରରେ ନଜର ଆସିବେ । ଏହି ଫିଲ୍ମ ଆରଏସଭିପି ଦ୍ୱାରା ପ୍ରସ୍ତୁତ କରାଯାଇଛି । ସର୍ଭେଶ ମେୱରାଙ୍କ ଦ୍ୱାରା ଲିଖିତ ତଥା ନିର୍ଦ୍ଦେଶିତ ଏବଂ ରୋନି ସ୍କ୍ରୁଭାଲାଙ୍କ ଦ୍ୱାରା ନିର୍ମିତ ।