ସମ୍ବଲପୁର: ସମ୍ବଲପୁର ସହରର ଜନସାଧାରଣଙ୍କ ସୁବିଧା ପାଇଁ ଆରମ୍ଭ ହୋଇଥିଲା ଫ୍ଲାଏ ଓଭର ବ୍ରିଜ। ସହରର ଟ୍ରାଫିକ ସମସ୍ୟାର ସମାଧାନ ଉଦ୍ଦେଶ୍ୟରେ ଏହାର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା। ତେବେ 2016 ମସିହାରୁ ଏହି ବ୍ରିଜ କାମ ଆରମ୍ଭ ହୋଇଥିବା ବେଳେ ପ୍ରଶାସନର ବିଭିନ୍ନ ବିଭାଗ ମଧ୍ୟରେ ସମନ୍ବୟ ଅଭାବରୁ ଆଜି ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ହୋଇ ପାରିଲା ନାହିଁ ବ୍ରିଜ। ଫଳରେ ଏହି ଅଧାପନ୍ତରିଆ ବ୍ରିଜ ଏବେ ସମ୍ବଲପୁର ସହରବାସୀଙ୍କ ପାଇଁ ପାଳଟିଛି ସମସ୍ୟା ।
ସମ୍ବଲପୁର ଧୁତୁରାପଡା ଛକରୁ କଚେରୀ ଛକ ପର୍ଯ୍ୟନ୍ତ ଟାଉନ ମଧ୍ୟରେ ଏହି ବ୍ରିଜ ତିଆରି ହେଉଛି। 2016 ଫେବୃଆରୀ 12 ତାରିଖରୁ ଏହାର କାର୍ଯ୍ୟ ଆରମ୍ଭ ହୋଇଥିଲା । ଆଉ 2017 ମଇ 11 ମଧ୍ୟରେ ଏହାକୁ ସମ୍ପୂର୍ଣ୍ଣ କରିବାର ଲକ୍ଷ ଧାର୍ଯ୍ୟ ହୋଇଥିଲା। ତେବେ ଆରମ୍ଭ ହେବା ଦିନରୁ ଏହାର ଡିଜାଇନକୁ 3 ଥର ପରିବର୍ତ୍ତନ କରାଯାଇଥିଲା। ଏହାର ଦୀର୍ଘତା ପୂର୍ବରୁ 1 ହଜାର 540 ମିଟର ହେବାକୁ ଥିବା ବେଳେ ପରବର୍ତ୍ତୀ ସମୟରେ ଏହାକୁ 1 ହଜାର 880 ମିଟର ମିଟରକୁ ବୃଦ୍ଧି କରାଯାଇଥିଲା। ତେବେ ବିଭାଗୀୟ ଅବହେଳା ଯୋଗୁଁ ଏହା ଆଜି ପର୍ଯ୍ୟନ୍ତ ସଂପୂର୍ଣ୍ଣ ହୋଇ ପାରିନାହିଁ। 2017 ମେ 12 ରେ କାର୍ଯ୍ୟ ଶେଷ ନହେବାରୁ ଠିକା ସଂସ୍ଥା 2018 ଜୁନ ପର୍ଯ୍ୟନ୍ତ ମହଲତ ମାଗିଥିଲା। ତେବେ 2018 ଜୁନରୁ ଏହା 2021 ନଭେମ୍ବର ହୋଇଯାଇଥିଲେ ମଧ୍ୟ ଏହି ପ୍ରକଳ୍ପ ଶେଷ ହୋଇପାରିନାହିଁ ।
ଅନ୍ୟପଟେ ସର୍ଭିସ ରୋଡର ସୁବିଧା ନଥିବାରୁ ସହରବାସୀ 5 ବର୍ଷ ହେଲା ଫ୍ଲାଇ ଓଭର ଜନିତ ଟ୍ରାଫିକ ସମସ୍ୟା ମଧ୍ୟରେ ଗତି କରୁଛନ୍ତି। ଏହି ବ୍ରିଜର ବ୍ୟୟ ଅଟକଳ ପୂର୍ବରୁ 62.38 କୋଟି ଥିବା ବେଳେ ବର୍ତ୍ତମାନ ଏହା 118 କୋଟି ଟଙ୍କା ହୋଇଛି ବୋଲି ସଚେତନ ନାଗରିକ ଦାବି କରୁଛନ୍ତି। ଏହି ଅସୁବିଧା ପାଇଁ ଜିଲ୍ଲା ପ୍ରଶାସନ ,ଭୂଅର୍ଜନ ବିଭାଗ ଓ ପୂର୍ତ୍ତ ବିଭାଗ ମଧ୍ୟରେ ଥିବା ସମନ୍ବୟ ଅଭାବକୁ ଦାୟୀ କରିଛନ୍ତି ସଚେତନ ନାଗରିକ।
ତେବେ ଗତ ନଭେମ୍ବର 2 ତାରିଖରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବଲପୁର ଗସ୍ତ ସମୟରେ ଏହି ଫ୍ଲାଏ ଓଭରର ଶୁଭାରମ୍ଭ ହେବ ବୋଲି ସ୍ଥାନୀୟ ଲୋକେ ଆଶା କରିଥିଲେ। କିନ୍ତୁ ତାହା ମଧ୍ୟ ହୋଇନଥିଲା। ଧୁତୁରାପଡା ଛକ ପଟେ ଜମି ଅଧିଗ୍ରହଣ କାର୍ଯ୍ୟ ଅଟକି ଥିବାରୁ ବ୍ରିଜ ଅଧାପନ୍ତରିଆ ହୋଇ ପଡି ରହିଛି। ଏହାକୁ ନେଇ କିନ୍ତୁ ଜିଲ୍ଲା ପ୍ରଶାସନ ମୁଁହ ଖୋଲିବାକୁ ନାରାଜ ।
ଫ୍ଲାଏ ଓଭର ନିର୍ମାଣ ବିଳମ୍ବକୁ ନେଇ ଜିଲ୍ଲା କଂଗ୍ରେସ ସଭାପତି ଅଶ୍ବିନୀ କୁମାର ଗୁରୁ କହିଛନ୍ତି ନିର୍ମାଣ କାମ କାହିଁକି ଓ କେଉଁ ପରିସ୍ଥିତିରେ ବିଳମ୍ବ ହେଉଛି ତାର ତଦନ୍ତ ହେବା ଦରକାର । ଆଉ ଜିଲ୍ଲା ବିଜେଡି ପୂର୍ବତନ ସଭାପତି ପ୍ରମୋଦ ରଥ କହିଛନ୍ତି ଜମି ଅଧିଗ୍ରହଣ କାର୍ଯ୍ୟ ଜାରି ରହିଛି ଓ ଅତିଶୀଘ୍ର ଏହା ସମ୍ପୂର୍ଣ୍ଣ ହେବ ବୋଲି କହିଛନ୍ତି। ତେବେ କେବେ ଏହି ଫ୍ଲାଏ ଓଭର ସମ୍ପୂର୍ଣ୍ଣ ହେଉଛି, ଓ ସମ୍ବଲପୁରବାସୀ କେବେ ଏହାର ଲାଭ ପାଉଛନ୍ତି ତାହାରି ଉପରେ ନଜର ।
ସମ୍ବଲପୁରରୁ ବାଦଶାହା ଜୁଷ୍ମନ ରଣା, ଇଟିଭି ଭାରତ