ସମ୍ବଲପୁର: ହୀରାକୁଦ ପ୍ରକଳ୍ପରେ ବିସ୍ଥାପିତଙ୍କ ଥଇଥାନ, ପୁନର୍ବାସ ଦାବି ନେଇ ସୁପ୍ରିମକୋର୍ଟ ଓକିଲ ରାଧାକାନ୍ତ ତ୍ରିପାଠୀ ଜାତୀୟ ମାନବାଧିକାର କମିଶନଙ୍କ ଠାରେ ଏକ ମାମଲା ରୁଜୁ କରିଥିଲେ । ଏହାକୁ ନେଇ ଓଡ଼ିଶା ସରକାର ଓ ଛତିଶଗଡ଼ ସରକାର ଜାତୀୟ ମାନବାଧିକାର ଆୟୋଗ ଠାରେ ଯେଉଁ ସତ୍ୟପାଠ ଦାଖଲ କରିଛନ୍ତି ତାହାର ନିନ୍ଦା କରିଛି ହୀରାକୁଦ ବୁଡି ଅଞ୍ଚଳ ସଂଗ୍ରାମ ସମିତି । ଏହାକୁ ନେଇ ଏକ ସାମ୍ବାଦିକ ସମ୍ମିଳନୀରେ ସଂଗ୍ରାମ ସମିତି ପ୍ରତିକ୍ରିୟା ରଖିବା ସହ ରାଜ୍ୟ ସରକାର ମିଥ୍ୟା ସତ୍ୟପାଠ ଦେଇଛନ୍ତି ବୋଲି ଅଭିଯୋଗ କରିଛନ୍ତି।
୧୯୫୫-୫୬ ହୀରାକୁଦ ଜଳଭଣ୍ଡାର ତିଆରି ସମୟରେ ୨୬ ହଜାର ୫୦୧ ପରିବାର ବିସ୍ଥାପିତ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୧୩ ହଜାର ୪୭୦ ପରିବାରଙ୍କୁ ଆଜି ସୁଦ୍ଧା କୋୖଣସି କ୍ଷତିପୂରଣ ମିଳିନାହିଁ କି ଥଇଥାନ ହୋଇନଥିବା ଅଭିଯୋଗ ହୋଇଛି । ଏହାସହ ୨୦୦୨ ମସିହାରେ ପ୍ରତ୍ୟେକ ହୀରାକୁଦ ବିସ୍ଥାପିତ ପରିବାରଙ୍କୁ ୧୦ ଡିସିମିଲ ଘର ଡିହ ଜମି ଦେବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ଏହା ଫଳପ୍ରଦ ହୋଇନାହିଁ ଏଭଳି ସ୍ଥିତିରେ ଏହି ସତ୍ୟପାଠର କୌଣସି ସତ୍ୟତା ନାହିଁ ବୋଲି ହୀରାକୁଦ ବୁଡ଼ି ଅଞ୍ଚଳ ସଂଗ୍ରାମ ସମିତି ଅଭିଯୋଗ କରିଛି । ଏନେଇ ଆଗାମୀ ସପ୍ତାହରେ ସମ୍ବଲପୁର RDCଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆନ୍ଦୋଳନ କରାଯିବାକୁ ଚେତାବନୀ ଦିଆଯାଇଛି।
ସମ୍ବଲପୁରରୁ ବାଦଶାହ ଜୁସ୍ମନ ରଣା, ଇଟିଭି ଭାରତ