ସମ୍ବଲପୁର: ଜିଲ୍ଲା ପୋଲିସକୁ ବଡ ସଫଳତା । ସମ୍ବଲପୁର ପୋଲିସ ହାବୁଡରେ ବଡ଼ଧରଣର ଗଞ୍ଜେଇ ଚୋରା ଚାଲାଣ ରାକେଟ୍ । ଶାସନ ଥାନା ପୋଲିସ ୪ କ୍ୱିଣ୍ଟାଲ ଗଞ୍ଜେଇ ସହ ୭ ଜଣକୁ ଗିରଫ କରିଛି । ମହାରାଷ୍ଟ୍ର, ଉତ୍ତର ପ୍ରଦେଶ, ମଧ୍ୟପ୍ରଦେଶ ଓ ଝାଡ଼ଖଣ୍ଡକୁ ଏହି ରାକେଟ୍ର ଚେର ଲମ୍ବିଥିବା କୁହାଯାଉଛି । ଘଟଣାର ମାଷ୍ଟର ମାଇଣ୍ଡ ସୁଶାନ୍ତ କୁମାର ଲେଙ୍କା ସମ୍ବଲପୁର ସଦର ଥାନା ଅନ୍ତର୍ଗତ ଟିଏଫ କଲେଜ ଅଞ୍ଚଳର ବାସିନ୍ଦା ହୋଇଥିବା ଜଣାପଡିଛି ।
ସବୁଠାରୁ ବଡ଼ କଥା ହେଉଛି, ସେ ଜଣେ ଦିବ୍ୟାଙ୍ଗ ହୋଇ ଏହି ରାକେଟକୁ ପରିଚାଳନା କରୁଥିଲେ । ସମ୍ବଲପୁର ଶାସନ ଥାନା ଅଞ୍ଚଳରେ ଏକ ଗୋଦାମ ଘର କରି ଗଞ୍ଜେଇ ମହଜୁଦ ରଖାଯାଉଥିଲା ।
ବୌଦ୍ଧ ଜିଲ୍ଲାରୁ ଗଞ୍ଜେଇ ଆସୁଥିଲା ଓ ମହାରାଷ୍ଟ୍ର, ଉତ୍ତର ପ୍ରଦେଶ, ମଧ୍ୟ ପ୍ରଦେଶ, ଝାଡ଼ଖଣ୍ଡ ପରି ରାଜ୍ୟର ଦଲାଲ ମାନଙ୍କ ସହ ଯୋଗାଯୋଗ କରାଯାଇ ଏହି ସବୁ ରାଜ୍ୟକୁ ଗଞ୍ଜେଇ ଚୋରା ଚାଲାଣ କରାଯାଉଥିଲା । ରାଜ୍ୟ ବାହାରର ମାଫିଆ ଆସି ସମ୍ବଲପୁରରୁ ଗଞ୍ଜେଇ ନେଉଥିଲେ । ମଧ୍ୟପ୍ରଦେଶ ପୋଲିସର ଏକ ମାମଲାରୁ ସୁରାକ ପାଇ ସମ୍ବଲପୁର ପୋଲିସ ଏହି ରାକେଟକୁ ଠାବ କରିଛି ବୋଲି ଏସପି ବାତୁଲା ଗଙ୍ଗାଧର ସୂଚନା ଦେଇଛନ୍ତି ।
ସମ୍ବଲପୁରରୁ ବାଦଶାହ ଜୁସ୍ମନ ରଣା, ଇଟିଭି ଭାରତ