ବଲାଙ୍ଗିର: ପୁଣି ସାମ୍ନାସାମ୍ନି ହେବେ ଦିଅର-ଭାଉଜ । ଭାଇ-ଭାଇ ମଧ୍ୟରେ ହେବ ଲଢେଇ । ଗୋଟିଏ ପରିବାରରୁ ନିର୍ବାଚନ ଲଢିବେ 4 । ତିନି ଭାଇ ଓ ଜଣେ ଭାଉଜ । ଏହା ହେଉଛି ବଲାଙ୍ଗିର ରାଜପରିବାର କାହାଣୀ । ଏବର୍ଷ ପୁଣି ଦେଖିବାକୁ ମିଳିବ ପରମ୍ପରାଗତ ରୟାଲ ଫାଇଟ।
ପାଟଣାଗଡ ବିଧାନସଭା ପାଇଁ ନିର୍ବାଚନୀ ମୈଦାନକୁ ଓହ୍ଲାଇଛନ୍ତି ବିଜେପିର କେଭି ସିଂହଦେଓ। ତାଙ୍କ ପତ୍ନୀ ତଥା ରାଜପରିବାରର ମହାରାଣୀ କୁହାଯାଉଥିବା ସଂଗୀତା ସିଂହଦେଓ ମଧ୍ୟ ବଲାଙ୍ଗିର ଲୋକସଭା ଆସନରେ ଭାଗ୍ୟ ପରୀକ୍ଷା କରିବେ। ଗତଥର ତାଙ୍କୁ ପରାସ୍ତ କରିଥିଲେ ଦିଅର ତଥା ବିଜେଡି ସାଂସଦ କଳିକେଶ ନାରାୟଣ ସିଂହଦେଓ । ଏଥର ମଧ୍ୟ ଦିଅର-ଭାଉଜ ଲଢେଇ ପୁଣି ଜମିବ।
ସେହିପରି କନକଙ୍କ କକା ପୁଅ ଭାଇ ଅର୍କେଶ ନାରାୟଣ ସିଂହଦେଓ ଏଥର ନିର୍ବାଚନୀ ମୈଦାନରେ ଡେବ୍ୟୁ କରୁଛନ୍ତି। ବଲାଙ୍ଗିର ବିଧାନସଭା ଆସନ ପାଇଁ ସେ ବିଜେଡି ଟିକେଟ୍ରେ ଲଢିବେ । ତାଙ୍କର ଲକ୍ଷ୍ୟ ବାପା ଅନଙ୍ଗ ସିଂହଦେଓଙ୍କ ପତିଆରାକୁ ବଜାୟ ରଖିବା।
ତେବେ ପ୍ରାର୍ଥୀ ଅଲଗା ଅଲଗା ଦଳର। କିନ୍ତୁ ପରିବାର ଏକ। ଲୋକଙ୍କ ସେବା ପାଇଁ ଏମାନଙ୍କର ରହିଛି ଉତ୍ସର୍ଗୀକୃତ ମନୋଭାବ। ସେଥିପାଇଁ ଏମାନେ ରାଜନୀତି ମୈଦାନକୁ ଓହ୍ଲାଇଥାନ୍ତି ବୋଲି ବିଜେଡି ନେତା ତଥା ସାଂସଦ ଅନଙ୍ଗ ଉଦୟ ସିଂହଦେଓ କହିଛନ୍ତି ।
ଜିଲ୍ଲା ରାଜନୀତିର କେନ୍ଦ୍ରବିନ୍ଦୁ ଏହି ରାଜ ପରିବାର ଲଢେଇକୁ ଲୋକେ ଖୁବ ଉପଭୋଗ କରିଥାନ୍ତି । ଦେଖିବାକୁ ବାକି ରହିଲା ବଲାଙ୍ଗିରବାସୀ ଦିଅର ନା ଭାଉଜ କାହାକୁ ଜିତାଉଛନ୍ତି । ସେହିପରି ଅନଙ୍ଗ ମଧ୍ୟ ନିଜ ପୁଅକୁ ଜିତାଇବା ପାଇଁ ପ୍ରାଣମୂର୍ଚ୍ଛା ଉଦ୍ୟମ କରୁଛନ୍ତି । ଗତଥର କଂଗ୍ରେସର ନରସିଂହ ମିଶ୍ରଙ୍କ ଠାରୁ ହାରିଥିବା ଅନଙ୍ଗ ଏଥର ପୁଅ ଦ୍ବାରା ପ୍ରତିଶୋଧ ନେବାକୁ ଲକ୍ଷ୍ୟ ରଖିଛନ୍ତି ।
ବଲାଙ୍ଗିରରୁ ଶେଖ ମହମ୍ମଦ ୱାହିଦ, ଇଟିଭି ଭାରତ