ସମ୍ବଲପୁର: ପ୍ରତ୍ୟେକ ବର୍ଷ ଶୀତ ଋତୁରେ ରାଜ୍ୟ ବାହାରର ଅନେକ ପ୍ରକାର ବ୍ୟବସାୟୀ ସମ୍ବଲପୁର ସହର ଆସିଥାନ୍ତି । ରାସ୍ତାକଡରେ ନିଜର ଉଠାଦୋକାନ ପକାଇ ବେପାର କରିଥାନ୍ତି । ଚଳିତ ବର୍ଷ ମଧ୍ୟ ସହରରେ ଉଠା ବ୍ୟବସାୟୀଙ୍କୁ ଦେଖିବାକୁ ମିଳୁଛି ।
ଏବେ ସମ୍ବଲପୁରର ରାସ୍ତା କଡରେ ମିଳୁଛି ରାଜସ୍ଥାନୀ ଓ ଗୁଜୁରାଟୀ ମାଟିରେ ତିଆରି ତାୱା। ଆଉ ତାୱାରେ ଲାଗିଛି ହ୍ୟାଣ୍ଡେଲ। ଯାହାକୁ କିଣିବାକୁ ଲୋକଙ୍କ ମଧ୍ୟରେ ଆଗ୍ରହ ଦେଖାଯାଇଛି ।
ଏହି ତାୱାର ସ୍ୱତନ୍ତ୍ରତା ହେଉଛି ଏହାର କାରିଗର ଓ ବ୍ୟବସାୟୀ ରାଜସ୍ଥାନୀ ହୋଇଥିବାବେଳେ ଏଥିରେ ଗୁଜୁରାଟୀ ମାଟି ମଧ୍ୟ ମିଶିଛି । ଏହାସହ ଲୁହାର ହ୍ୟାଣ୍ଡେଲ ମଧ୍ୟ ଲାଗିଛି। ସହରର ଜେଲ ଛକ, କଚେରୀ ଛକ, ଅଇଁଠାପାଲି ଛକ ପରି ପ୍ରମୁଖ ଛକର ରାସ୍ତାକଡରେ ଏହି ତାୱା ସବୁ ବିକ୍ରି ହେଉଛି । ଯାହାକୁ ରାସ୍ତାରେ ଯାଉଥିବା ପ୍ରତ୍ୟକ ବର୍ଗର ଲୋକେ କିଣୁଛନ୍ତି ।
ଏହି ତାୱାର ମୂଲ୍ୟ 100 ଟଙ୍କା ହୋଇଥିବାବେଳେ ଏଥିରେ ଜଣେ ଲୋକ ରୁଟି, ପିଠା, ଅମଲେଟ, ଦୋସା ଇତ୍ୟାଦି ଖାଦ୍ୟ ଅତି ସହଜରେ ତିଆରି କରିପାରିବ। ଏହା ସହ ଏହି ମାଟି ପାତ୍ରରେ ତିଆରି ଖାଦ୍ୟ ସ୍ଵାସ୍ଥ୍ୟ ପାଇଁ ଲାଭ ଦାୟକ ହେବା ସହ ଏହା ଗ୍ୟାସ ଏସିଡିଟିକୁ ନିୟନ୍ତ୍ରଣ କରିଥାଏ ବୋଲି ଏହି ବ୍ୟବସାୟୀମାନେ କହିଛନ୍ତି । ସେପଟେ ସହରରେ ଏବେ ଏହି ରାଜସ୍ଥାନୀ ତାୱାକୁ ନକିଣିଲେ ବି ଟିକେ ଦେଖିବାକୁ ଲୋକେ ରାସ୍ତାରେ ଅଟକି ଯାଉଛନ୍ତି।
ସମ୍ବଲପୁରରୁ ବାଦଶାହ ଜୁସ୍ମନ ରଣା, ଇଟିଭି ଭାରତ