ସମ୍ବଲପୁର: ବିବାହିତା ମହିଳାଙ୍କୁ ପ୍ରେମ କରିବା ଯୁବକଙ୍କୁ ପଡିଲା ମହଙ୍ଗା । ପରକୀୟା ପ୍ରୀତିରୁ ଯୁବକଙ୍କୁ ହତ୍ୟା । ହାତଗୋଡ ବାନ୍ଧି କେନାଲକୁ ଫୋପାଡି ଦେଲେ ମହିଳାଙ୍କ ସ୍ବାମୀ ଓ ଭାଇ । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ସମ୍ବଲପୁର ଜିଲ୍ଲାରେ । ଆଜି ବୁର୍ଲା ପାଓ୍ବାର କେନାଲ ଅଠର ହଜାର ଅଞ୍ଚଳରୁ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର କରିଛି ବୁର୍ଲା ଅଗ୍ନିଶମ ବିଭାଗ । ମୃତ ଯୁବକ ଜଣଙ୍କ ହେଉଛନ୍ତି ଶୁବିନ୍ଦ କୁଅଁର ।
ସୂଚନା ଅନୁଯାୟୀ ଗତ ମଙ୍ଗଳବାର ଠାରୁ ଯୁବକ ଜଣକ ନିଖୋଜ ଥିଲେ । ଏନେଇ ସମ୍ବଲପୁର କ୍ଷେତରାଜପୁର ଥାନାରେ ଏକ ନିଖୋଜ ମାମଲା ରୁଜୁ ହୋଇଥିଲା । ଏହାପରେ ମହିଳାଙ୍କ ସ୍ବାମୀ ଓ ଭାଇ ପୋଲିସକୁ ହତ୍ୟା କରିଥିବା କହିଥିଲେ । ୨ ଅଭିଯୁକ୍ତଙ୍କୁ ପୋଲିସ ପଚରା ଉଚରା ପରେ ମୃତଦେହକୁ ଆଜି ଠାବ କରାଯାଇଛି । ତେବେ ପରକୀୟା ପ୍ରୀତି ଯୋଗୁ ଏହି ହତ୍ୟାକାଣ୍ଡ ଘଟିଥିବା ପ୍ରାଥମିକ ତଦନ୍ତରୁ ଜଣା ପଡ଼ିଛି ।
ସମ୍ବଲପୁରରୁ ବାଦସାହା ଜୁସ୍ମନ ରଣା, ଇଟିଭି ଭାରତ