ସମ୍ବଲପୁର: ଶୀତ ଆସିଲେ ଆସିଥାଏ ପର୍ଯ୍ୟଟନ ୠତୁ । ଆଉ ପର୍ଯ୍ୟଟନ ୠତୁ ଆସିଲେ ପର୍ଯ୍ୟଟନ ସ୍ଥଳକୁ ପର୍ଯ୍ୟଟକଙ୍କ ଆଗମନ ହୋଇଥାଏ । ଆଉ ଏହା ସ୍ବାଭାବିକ ମଧ୍ୟ । ତେବେ ହୀରାକୁଦ ଜଳଭଣ୍ଡାରକୁ ଶୀତ ଋତୁ ଆସିଲେ କେବଳ ପର୍ଯ୍ୟଟକ ଆସନ୍ତିନି, ଏଠାକୁ ଆସନ୍ତି ଦେଶ ବିଦେଶର ପକ୍ଷୀ । ଆଉ ଏମାନଙ୍କ କଳରବରେ ଗୁଞ୍ଜରୀ ଉଠେ ହୀରାକୁଦ ଜଳଭଣ୍ଡାର ।
ହୀରାକୁଦ ଜଳଭଣ୍ଡାରରେ ବିଦେଶାଗତ ପକ୍ଷୀ । ପ୍ରତ୍ୟେକ ବର୍ଷ ନଭେମ୍ବରରୁ ମାର୍ଚ୍ଚ ଯାଏଁ ଏହି ପକ୍ଷୀ ମାନେ ହୀରାକୁଦରେ ରୁହନ୍ତି । ସୁଦୂର ସାଇବେରିଆ, ମାଲଦ୍ବୀପ, ଅଷ୍ଟ୍ରେଲିଆ, ଦକ୍ଷିଣ ଏସିଆ ମାଙ୍ଗୋଲିଆ ତଥା ହିମାଳୟ ଅଞ୍ଚଳରୁ ଏହି ପକ୍ଷୀମାନେ ଏଠାକୁ ଆସନ୍ତି। ଆସୁଥିବା ପକ୍ଷୀଙ୍କ ମଧ୍ୟରେ ଅଛନ୍ତି କମନ ପଚାର୍ଡ, କମନ କୁଟ, ଟପଟେଡ ଡକ, ରେଡ ହେଡେଡ ପୋଚାର୍ଡ, ଗଲ, କ୍ରେଷ୍ଟ୍ରେଡ ଗ୍ରୀବ, ୟୁରେସିଏନ ୟୁଜନ, ଆଦି ବିଦେଶୀ ପକ୍ଷୀ ।
ଶୀତ ଦିନେ ହୀରାକୁଦ ଅଞ୍ଚଳର ଜଳବାୟୁ, ବିସ୍ତୀର୍ଣ୍ଣ ଜଳରାଶି, ପର୍ଯ୍ୟାପ୍ତ ପରିମାଣର ଖାଦ୍ୟର ଉପଲବ୍ଧତା ଏହି ପକ୍ଷୀଙ୍କୁ ଆକର୍ଷିତ କରିଥାଏ । ଏହାସହ ହୀରାକୁଦର ଜଳବାୟୁ ପକ୍ଷୀଙ୍କ ଅଣ୍ଡାଦାନ ପାଇଁ ସୁହାଇଥାଏ ବୋଲି ପକ୍ଷୀ ବିଶେଷଜ୍ଞ କୁହନ୍ତି । ତେବେ ଏହି ସମୟରେ ଶିକାରୀଙ୍କ ଭୟ ପକ୍ଷୀ ପ୍ରେମୀଙ୍କ ପାଇଁ ଚିନ୍ତା ବଢାଇଛି।
ଅନ୍ୟପଟେ ଏହି ଅଞ୍ଚଳ ହୀରାକୁଦ ବଣ୍ୟପ୍ରାଣୀ ବିଭାଗ ଅଧୀନରେ ଆସୁଥିବାରୁ ବନ ବିଭାଗ ତତ୍ପର ଥିବା ଡିଏଫଓ ଅଂଶୁପ୍ରଜ୍ଞା ଦାସ କହିଛନ୍ତି। ଏହାସହ ସ୍ଥାନୀୟ ମତ୍ସ୍ୟଜୀବୀମାନଙ୍କୁ ପକ୍ଷୀ ମାନଙ୍କ ସୁରକ୍ଷା ପାଇଁ ସଚେତନ ସହ ନିୟୋଜିତ କରାଯାଇଛି ବୋଲି ଡିଏଫଓ କହିଛନ୍ତି। ଏତତ ବ୍ୟତୀତ 6 ଟି ପେଟ୍ରୋଲିଂ ଟିମ 24 ଘଣ୍ଟା ପେଟ୍ରୋଲିଂ କରୁଥିବା ସେ କହିଛନ୍ତି।
ପ୍ରତ୍ୟେକ ବର୍ଷ ହୀରାକୁଦକୁ ପ୍ରାୟ 1 ଲକ୍ଷ 20 ହଜାର ବିଦେଶାଗତ ପକ୍ଷୀ ହୀରାକୁଦ ଆସନ୍ତି। ଆଉ ଏହି ଅତିଥିମାନେ ପର୍ଯ୍ୟଟକଙ୍କ ପାଇଁ ଆକର୍ଷଣର କେନ୍ଦ୍ର ପାଲଟିଥାନ୍ତି । ତେଣୁ ଏହି ଅତିଥି ପକ୍ଷୀଙ୍କ ପର୍ଯ୍ୟାପ୍ତ ସୁରକ୍ଷା ମଧ୍ୟ ଜରୁରୀ ହୋଇପଡିଛି ।
ସମ୍ବଲପୁରରୁ ବାଦଶାହା ଜୁସ୍ମନ ରଣା, ଇଟିଭି ଭାରତ