ସମ୍ବଲପୁର: ଥାନା ପରିସରରେ ଯୁବତୀଙ୍କ ଆତ୍ମହତ୍ୟା ଉଦ୍ୟମ । ପ୍ରେମିକ ଠାରୁ ପ୍ରତାରଣର ଶିକାର ହେବା ପରେ ଏଭଳି ଚରମ ନିଷ୍ପତ୍ତି ନେଇଛନ୍ତି ସମ୍ବଲପୁର ସାଇଡା ଅଞ୍ଚଳର ଜଣେ ଯୁବତୀ । ବିବାହର ପ୍ରତିଶ୍ରୃତି ଦେଇ ଶାରୀରିକ ସମ୍ପର୍କ ରଖିବା ଓ ପରେ ମାନସିକ ଓ ଶାରୀରିକ ନିର୍ଯ୍ୟାତନା ଦେଉଥିବା ଅଭିଯୋଗରେ ସେ ନିଶା ବଟିକା ଖାଇ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି ।
ସମ୍ବଲପୁର କୁଚିଣ୍ଡା ଥାନା ସଇଡା ଅଞ୍ଚଳରେ ଦୀର୍ଘ 4 ବର୍ଷ ହେବ ଜଣେ ଯୁବକ ବିବାହର ପ୍ରତିଶ୍ରୃତି ଦେଇ ଯୁବତୀଙ୍କ ସହ ଶାରୀରିକ ସମ୍ପର୍କ ରଖିଥିଲା । ହେଲେ ପରେ ବିବାହ କରିବାକୁ ମନା କରିଥିଲେ ଯୁବକ । ଯାହାକୁ ନେଇ ଏହି ଘଟଣା ପୂର୍ବରୁ ଯୁବତୀ ଜଣକ କୁଚିଣ୍ଡା ପୋଲିସ ନିକଟରେ ଅଭିଯୋଗ କରିଥିଲେ । ଏହାପରେ ଦୁହିଁଙ୍କ ମଧ୍ୟରେ ଆପୋଷ ବୁଝାମୁଝା ମଧ୍ୟ ହୋଇଥିଲା । ହେଲେ ଆଜି (ଶନିବାର) ପୁଣି ଥରେ ପ୍ରେମିକ ଶାରୀରିକ ଓ ମାନସିକ ନିର୍ଯ୍ୟାତନା ଦେଉଥିବା ଅଭିଯୋଗ କରିବା ସହ ଥାନାରେ ଏକ ଲିଖିତ ଅଭିଯୋଗ ଆଣିଥିଲେ ପୀଡିତା । ଆଉ ଏହାପରେ ସେ ବ୍ୟାଗ ଭିତରେ ଥିବା ନିଶା ବଟିକା ଖାଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ ।
କୁଚିଣ୍ଡା ପୋଲିସ ଏଭଳି ଘଟଣା ଦେଖି ତୁରନ୍ତ ତାଙ୍କୁ କୁଚିଣ୍ଡା ଚିକିତ୍ସାଳୟରେ ଭର୍ତ୍ତି କରିଥିବା ବେଳେ ଯୁବତୀଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡିଛି । ସେପଟେ ଅଭିଯୁକ୍ତ ଯୁବକକୁ ପୋଲିସ ଅଟକ ରଖି ପଚରା ଉଚରା କରୁଥିବା ଜଣାପଡ଼ିଛି ।
ସମ୍ବଲପୁରରୁ ବାଦଶାହ ଜୁସ୍ମନ ରଣା, ଇଟିଭି ଭାରତ