ସମ୍ବଲପୁର: ହାତରେ ଛତା ଆଉ କାନ୍ଧରେ କଳା ବ୍ୟାଗଟିଏ । ସମ୍ବଲପୁର ସହରର ଗଳି କନ୍ଦିରେ ସେ ଜୟଶ୍ରୀ ନାନୀ ନାଁରେ ପରିଚିତ। ପୁରା ନାମ ଶୁଶ୍ରୀ ଜୟଶ୍ରୀ ମିଶ୍ର । ବୟସ 55 ବର୍ଷରୁ ଉର୍ଦ୍ଧ୍ବ । ତେବେ ଏହି ମହିଳା ଜଣଙ୍କର ବିଶେଷତ୍ବ ହେଲା ପ୍ରତି ନିର୍ବାଚନରେ ସେ ନାମାଙ୍କନ ଫର୍ମ ଭରିଥାନ୍ତି । ନିଜର କୌଣସି ଦଳ ନାହିଁ, କୌଣସି ଗୋଷ୍ଠୀ ନାହିଁ, ପାଖରେ ମୋଟା ଟଙ୍କା ମଧ୍ୟ ନାହିଁ । ହେଲେ ଏ ପର୍ଯ୍ୟନ୍ତ 8 ଥର ୱାର୍ଡ଼ ମେମ୍ବର, ଥରେ ସରପଞ୍ଚ ଏବଂ 5 ଥର ବିଧାନସଭା ନିର୍ବାଚନ ଲଢ଼ିସାରିଲେଣି ଜୟଶ୍ରୀ । ସବୁବେଳେ ହାରି ଆସୁଥିଲେହେଁ ପ୍ରତିଟି ନିର୍ବାଚନରେ ତାଙ୍କୁ ନେଇ ହୁଏ ଜୋରଦାର ଚର୍ଚ୍ଚା ।
ଗତ ବିଜେପୁର ଉପ ନିର୍ବାଚନରେ ମଧ୍ୟ ସେ ନାମାଙ୍କନ ପତ୍ର ଦାଖଲପାଇଁ ଯାଇଥିଲେ । ତେବେ ତାହା କୌଣସି କାରଣରୁ ସମ୍ଭବ ହୋଇପାରିନଥିଲା । ସମାନଭାବେ ଥରେ ସାଂସଦ ପ୍ରାର୍ଥୀ ଭାବେ ନାମାଙ୍କନ ପତ୍ର ଦାଖଲ ଭରିଥିଲେ ମଧ୍ୟ ତାହା ନାକଚ ହୋଇଯାଇଥିଲା ।
ସମ୍ବଲପୁରରେ ଏତେ ବର୍ଷ ଧରି ରହିଥିଲେ ମଧ୍ୟ ତାଙ୍କର ରହିବା ପାଇଁ ଘର ଦ୍ୱାର କିଛି ନାହିଁ । ଏଣୁ ବିଭିନ୍ନ ସରକାରୀ କାର୍ଯ୍ୟାଳୟର ବାରଣ୍ଡାରେ ସେ ରୁହନ୍ତି । ତେବେ ଦେଖିବାକୁ ବେଶ ସାଧା ସିଧା ହେଲେ ମଧ୍ୟ ସେ ବେଶ ସଚେତନ । ଏହି ବୟସରେ ମଧ୍ୟ ସେ ବେଶ ଚଳଚଞ୍ଚଳ କଚେରୀ ଛକ ଅଞ୍ଚଳରେ । ଆନ୍ଦୋଳନ ହେଉ କି ଧାରଣା ଲୋକଙ୍କ ସହ ସେ ସବୁବେଳେ ଥାଆନ୍ତି ।
ବର୍ତ୍ତମାନର ବ୍ୟୟବହୁଳ ରାଜନୀତି ଭିତରେ ହୁଏତ ଜୟଶ୍ରୀ ନିଜକୁ ଖାପ ଖୁଆଇବା ଲାଗି ଅସମର୍ଥ । ହେଲେ ତାଙ୍କର ଏହି ବାରମ୍ବାର ଉଦ୍ୟମ ଦେଖଣାହାରୀଙ୍କୁ ବେଶ ପ୍ରଭାବିତ କରିଛି । ନିଜର ଦୃଢ଼ ଇଚ୍ଛାଶକ୍ତି ଓ ମନୋବଳ ଯୋଗୁଁ ସେ ମଧ୍ୟ ଅନେକଙ୍କ ପାଇଁ ପ୍ରେରଣାର ଉତ୍ସ ପାଲଟିଛନ୍ତି ।
ଏଥର ମଧ୍ୟ ନିର୍ବାଚନୀ ମୈଦାନକୁ ଉହ୍ଲାଉଛନ୍ତି ଜୟଶ୍ରୀ । ନିଜର ପ୍ରତିଟି ହାରକୁ ଯେପରି ସେ ଜିତାପଟ୍ ଭାବି ଆଗେଇ ଚାଲିଛନ୍ତି । ସଭିଁଙ୍କ ମୁହଁରେ ଗୋଟିଏ କଥା ଜୟଶ୍ରୀ ନାନୀ ବିରଳ ବ୍ୟକ୍ତିତ୍ବ । ତାଙ୍କର ସାହସକୁ ସଲାମ୍ ।
ସମ୍ବଲପୁରରୁ ଜୁସ୍ମନ ରଣା, ଇଟିଭି ଭାରତ