ସମ୍ବଲପୁର: କୋରୋନା ମୁକାବିଲା ପାଇଁ ଏବେ ଦ୍ଵିତୀୟ ପର୍ଯ୍ୟାୟର ଲକ୍ଡାଉନ୍ ଜାରି ରହିଛି। ଆଗକୁ ଏହି ଲକ୍ଡାଉନ୍ର ଅବଧି ଆହୁରି ବଢିବାର ସମ୍ଭାବନା ରହିଛି। ଲକ୍ଡାଉନ୍ ଯୋଗୁ ବହୁ ଲୋକଙ୍କ ଜୀବନ ଜୀବିକା ପ୍ରଭାବିତ ମଧ୍ୟ ହୋଇଛି । ଯେଉଁଥିଲାଗି ସରକାର ବିଭିନ୍ନ ବ୍ୟବସ୍ଥା ମଧ୍ୟ କରୁଛନ୍ତି।
ତେବେ ଲକ୍ଡାଉନ୍ ଭିତରେ ବିଭିନ୍ନ ସ୍ଥାନରେ ପ୍ରଦୂଷଣର ମାତ୍ରା କମିଥିବା ଦେଖିବାକୁ ମିଳୁଛି । ଦେଶର ରାଜଧାନୀ ଦିଲ୍ଲୀଠାରୁ ଆରମ୍ଭ କରି ଭୁବନେଶ୍ବର ପର୍ଯ୍ୟନ୍ତ ସବୁଠି ଅନେକ ପରିମାଣର ବାୟୁ ପ୍ରଦୂଷଣ କମିଥିବା ଦେଖିବାକୁ ମିଳିଛି । ଏହି ପରିପ୍ରେକ୍ଷୀରେ ସମ୍ବଲପୁର ମଧ୍ୟ ପଛରେ ପଡିନାହିଁ । ସମ୍ବଲପୁରରେ ମାଟି, ପାଣି, ପବନ ସବୁକିଛି ଶୁଦ୍ଧ ହୋଇଥିବା କୁହାଯାଉଛି ।
ଲକ୍ଡାଉନ୍ ଲାଗି ଗାଡିମୋଟର ଚଳାଚଳ କମିଯାଇଥିବାରୁ ଏହାର ସୁଫଳ ସିଧାସଳଖ ବାୟୁ ଉପରେ ପଡୁଛି । ଫଳରେ ସମ୍ବଲପୁରରେ ପ୍ରଦୂଷଣ ଅନେକ ମାତ୍ରାରେ କମିଛି । ସେପଟେ ଏହାର ପ୍ରଭାବରେ ସମ୍ବଲପୁରରେ ତାପମାତ୍ରା ମଧ୍ୟ ପୂର୍ବବର୍ଷ ଅପେକ୍ଷା କମ୍ ଥିବା କୁହାଯାଉଛି ।
ବିଗତ ବର୍ଷ ଗୁଡିକ ଅପେକ୍ଷା ଏପ୍ରିଲ ମାସର ଶେଷ ସପ୍ତାହରେ ଯେଉଁଭଳି ଗରମ, ଗୁଳୁଗୁଳି ସହିତ ଗ୍ରୀଷ୍ମପ୍ରବାହ ଅନୁଭତ ହୁଏ ତାହା ଚଳିତ ବର୍ଷ ଅନୁଭୂତ ହେଉନାହିଁ। ସମ୍ବଲପୁରର ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ଲକ୍ଡାଉନ୍ ସମୟରେ ପ୍ରଦୂଷଣର ମାତ୍ରା ପୂର୍ବାପେକ୍ଷା 80 ପ୍ରତିଶତ କମିଯାଇଛି।
ସମ୍ବଲପୁରର ଏମ୍ବିଏଣ୍ଟ ଏୟାର କ୍ବାଲିଟି ଷ୍ଟାଣ୍ଡର୍ଡ 100 ମାଇକ୍ରୋଗ୍ରାମ ପର ମିଟର କ୍ୟୁବ୍ ରହିଥିବାବେଳେ ଲକଡାଉନ ପୂର୍ବରୁ 120 ମାଇକ୍ରୋଗ୍ରାମ ପର ମିଟର କ୍ୟୁବ ରେକର୍ଡ ହେଉଥିଲା। ତେବେ ବର୍ତ୍ତମାନ ଏହା 40 ମାଇକ୍ରୋଗ୍ରାମ ପର ମିଟର କ୍ୟୁବ ରେକର୍ଡ ହେଉଛି। ଏହା ହିଁ ପ୍ରମାଣିତ କରୁଛି ଯେ ବାୟୁ ପ୍ରଦୂଷଣ କେତେ କମିଯାଇଛି।
ସମ୍ବଲପୁରରୁ ବାଦଶାହ ଯୁଶ୍ମନ ରଣା, ଇଟିଭି ଭାରତ