ସମ୍ବଲପୁର: ସମ୍ବଲପୁରରେ ପାଣି ପାଇପ୍ ଡକାୟତି ଘଟଣା ବଢିବାରେ ଲାଗିଥିବା ବେଳେ ପୋଲିସକୁ ମିଳିଛି ବଡ ସଫଳତା । ଡକାୟତି ଘଟଣାରେ ମୋଟ ୨୮ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ଯୁଜୁମୁରା ପୋଲିସ । ସେମାନଙ୍କ ମଧ୍ୟରୁ 26 ଜଣ ଡକାୟତ ଥିବା ବେଳେ 2ଜଣ ଚୋରା ସାମଗ୍ରୀ କିଣିଥିବା ବ୍ୟକ୍ତି ରହିଛନ୍ତି ।
ସୂଚନା ଅନୁସାରେ, ରେଢାଖୋଲ ବିଧାନସଭା ନିର୍ବାଚନ ମଣ୍ଡଳୀରେ ପାଇପ ଯୋଗେ ଗ୍ରାମ୍ୟ ଜଳ ଯୋଗାଣ କାର୍ଯ୍ୟ କରୁଥିବା କେଇସି ପ୍ରାଇଭେଟ ଲିମିଟେଡ ଅମଲିପାଣି ଷ୍ଟକୟାର୍ଡରେ ପାଇପ ରଖିଥିଲା । ତେବେ ଗତ ଜୁଲାଇ 15 ତାରିଖ ବିଳମ୍ବିତ ରାତିରେ ମାରଣାସ୍ତ୍ର ଦେଖାଇ କିଛି ଡକାୟତ ଆସି ସିକ୍ୟୁରିଟି ଗାର୍ଡ ଓ ହାଇଡ୍ରା ଅପରେଟରଙ୍କୁ ଗୋଟିଏ ରୁମରେ ଭର୍ତ୍ତି କରି 550ଟି ପାଇପ ଲୁଟି ନେଇଥିଲେ । ଯାହାର ଆନୁମାନିକ ମୂଲ୍ୟ ପ୍ରାୟ 36 ଲକ୍ଷ ଥିଲା ।
ଏନେଇ ଜୁଲାଇ 16 ତାରିଖରେ ଅଭିଯୋଗ ହେବା ପରେ ପୋଲିସ 7ଟି ଟିମ ଗଠନ କରି କଲିକତାରେ ସମେତ କଟକ ଅଞ୍ଚଳରେ ଚଢାଉ କରି କଲିକତାରୁ ଚୋରା ପାଇପ୍ କିଣିଥିବା 2 ଜଣଙ୍କୁ ଗିରଫ କରିଥିଲା । ଏହାସହ କଟକରୁ 26 ଜଣ ଡକାୟତଙ୍କୁ ବନ୍ଧା ଯାଇଥିଲା । ଏଥିରେ ସମ୍ପୃକ୍ତ ଆଉ କିଛି ଜଣ ଫେରାର ହେବାରେ ସଫଳ ହୋଇଛନ୍ତି । ଏହି ଘଟଣାରେ ପୋଲିସ 40 ହଜାର ଟଙ୍କା ନଗଦ, 3ଟି ଟ୍ରକ, ଗୋଟିଏ ପିକଅପ,ଗୋଟିଏ ଦେଶୀ ବନ୍ଧୁକ ଜବତ କରିଛି ପୋଲିସ । ଏହି ମାମଲାରେ ଅଭିଯୁକ୍ତଙ୍କ 56 ଲକ୍ଷ ଟଙ୍କାର ଆକାଉଣ୍ଟକୁ ସିଜ କରିଥିବା ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି ।
ଇଟିଭି ଭାରତ,ସମ୍ବଲପୁର