ସମ୍ବଲପୁର: ପଶ୍ଚିମ ଓଡ଼ିଶାର ପ୍ରାଣକେନ୍ଦ୍ର ଭାବେ ପରିଚିତ ସମ୍ବଲପୁର ସହର । କଳା ସଂସ୍କୃତି, ଶିକ୍ଷା, ସ୍ବାସ୍ଥ୍ୟ, ବୈଷୟିକ ଓ ପ୍ରଶାସନିକ କ୍ଷେତ୍ରର ମୁକୁଟ ବହନ କରିଥିବା ଏହି ସହରର ରହିଛି ନିଜସ୍ବ ସ୍ବତନ୍ତ୍ରତା । ସହର ଦେଇ ବହିଯାଇଥିବା ମହାନଦୀର ଅପର ପାର୍ଶ୍ଵରେ ରହିଛି ଛୋଟ ଏକ ଗାଁ ବସନ୍ତପୁର । ଯେଉଁଠାରେ ଏବେ ସୃଷ୍ଟି ହୋଇଛି ଅନେକ ସମ୍ଭାବନାର ସମ୍ଭାର । ଦିନେ ଯେଉଁ ସ୍ଥାନର ଜମି ମୂଲ୍ୟର କୌଣସି ଯଥାର୍ଥତା ନଥିଲା ଏବେ ସେହି ଅଞ୍ଚଳରେ ଜମିର ମୂଲ୍ୟ ଆକାଶ ଛୁଆଁ । କାରଣ ଏହି ଅଞ୍ଚଳ ଏବେ ପ୍ରବେଶ କରୁଛି ଏକ ନୂତନ ଉନ୍ନତିକରଣର ପରିଧି ଭିତରକୁ ।
ସହରର ଉପକଣ୍ଠରେ ଏବେ ଗଢି ଉଠୁଛି ମାଳମାଳ ସରକାରୀ ଶିକ୍ଷାନୁଷ୍ଠାନ । ସେଥିମଧ୍ୟରେ ସମ୍ବଲପୁର ଆଇଆଇଏମର ସ୍ଥାୟୀ କ୍ୟାମ୍ପସ, ଗଙ୍ଗାଧର ମେହେର ବିଶ୍ବବିଦ୍ୟାଳୟର ଦ୍ଵିତୀୟ କ୍ୟାମ୍ପସ, ଓଡିଶା ମୁକ୍ତ ବିଶ୍ବ ବିଦ୍ୟାଳୟର ସ୍ଥାୟୀ କ୍ୟାମ୍ପସ, ସୈନିକ ସ୍କୁଲ ଇତ୍ୟାଦି।
ସରକାରଙ୍କ ଏହି ନିଷ୍ପତ୍ତିକୁ ସମ୍ବଲପୁରବାସୀ ସ୍ବାଗତ କରିବା ସହ ଏହାଦ୍ବାରା ସ୍ଥାନୀୟ ଅଞ୍ଚଳର ଲୋକେ ଲାଭବାନ ହେବେ ବୋଲି ଆଶାବାଦୀ ରହିଛନ୍ତି । ଅନ୍ୟପଟେ ଏହି ଅଞ୍ଚଳରେ ସିଆରପିଏଫ କ୍ୟାମ୍ପ ଓ ପୋଲିସ ଟ୍ରେନିଂ ସେଣ୍ଟର ଓ ଦ୍ଵିତୀୟ ଇଣ୍ଡଷ୍ଟ୍ରୀଆଲ ଇଷ୍ଟେଟ ମଧ୍ୟ ହେବାକୁ ଯାଉଛି ।
ଏଭଳି ପରିସ୍ଥିତିରେ ଏହି ଅଞ୍ଚଳରେ ପାରିପାର୍ଶ୍ବିକ ବିକାଶ ହେବା ସ୍ବାଭାବିକ । କିନ୍ତୁ ଏହି ଅଞ୍ଚଳରେ ଇଣ୍ଡଷ୍ଟ୍ରୀଆଲ ଇଷ୍ଟେଟ କରାଯିବାକୁ କିଛି ବୁଦ୍ଧିଜୀବୀ ନାପସନ୍ଦ କରିଛନ୍ତି । ତେବେ ସରକାର ଯାହାବି କରୁଛନ୍ତି ଦୂରଦୃଷ୍ଟି ରଖି କରନ୍ତୁ ବୋଲି ପୂର୍ବତନ ସାଂସଦ ମତ ରଖିଛନ୍ତି ।
ବିକାଶର ଶିଖର ଛୁଇଁବାକୁ ଯାଉଛି ବସନ୍ତପୁର ଅଞ୍ଚଳ । ଏହାଦ୍ବାରା ସମ୍ବଲପୁର ସହର ଜାତୀୟ ଓ ଅନ୍ତର୍ଜାତୀୟ ମାନଚିତ୍ରରେ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିବ । ଫଳରେ ସ୍ଥାନୀୟ ଲୋକଙ୍କ ଭାଗ୍ୟ ବଦଳିବ ବୋଲି ମତପ୍ରକାଶ ପାଇଛି ।
ସମ୍ବଲପୁରରୁ ବାଦଶାହ ଜୁସ୍ମନ ରଣା, ଇଟିଭି ଭାରତ