ରାଉରକେଲା: ଦୀର୍ଘ ଦିନର ନିରବତା ପରେ ଗୁରୁବାର ସହରକୁ ଆସି ମୁହଁ ଖୋଲିଛନ୍ତି ପୂର୍ବତନ ବିଧାୟକ ତଥା କେନ୍ଦ୍ରୀୟ ମନ୍ତ୍ରୀ ଦିଲ୍ଲୀପ ରାୟ। କିଛି ବିଜେପି ନେତା ତାଙ୍କୁ ଭୟଭୀତ କରିବା ପାଇଁ ସିବିଆଇ ଜାଲରେ ଫସାଇଛନ୍ତି। କିନ୍ତୁ କାହାକୁ ଡରିବା ବା ତେଲ ମାରିବା ନୀତି ତାଙ୍କୁ ଜଣା ନଥିବାରୁ ସେ ଲୋକଙ୍କ ସ୍ବାର୍ଥ ପାଇଁ ଲଢେଇ ଜାରି ରଖିବେ ବୋଲି ସମର୍ଥକଙ୍କୁ ଜଣାଇଛନ୍ତି।
ବିଜେପିରୁ ଇସ୍ତଫା ଦେବା ପରେ ନିକଟରେ ସେ ନବୀନ ନିବାସ ଯାଇ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଥିବାରୁ ବିଜେଡିରେ ତାଙ୍କର ଯୋଗଦାନ ନେଇ ଚର୍ଚ୍ଚା ଜୋର ଧରିଛି। ହେଲେ ଏଯାଏଁ ସେ ଦଳରେ ସାମିଲ ହୋଇନଥିବାରୁ ସମର୍ଥକଙ୍କ ମନରେ ସୃଷ୍ଟି ହୋଇଛି ଅନେକ ପ୍ରଶ୍ନ। ତେବେ ଏତେ ସବୁ ରାଜନୀତିକୁ ନେଇ ଦୀର୍ଘ ଦିନ ଧରି ଚୁପ୍ ଥିବା ଦିଲ୍ଲୀପ ଗୁରୁବାର ସମର୍ଥକଙ୍କ ଗହଣରେ ମୁହଁ ଖୋଲିଛନ୍ତି ।
ତାଙ୍କ କହିବା ଅନୁଯାୟୀ ସହରର ମୁଖ୍ୟ ଅସୁବିଧା ଯଥା ବ୍ରାହ୍ମଣୀ ସେତୁ ସମସ୍ୟା ଓ ଆଇଜିଏଚ୍ ସୁପର ସ୍ପେଶାଲିଟି ହସ୍ପିଟାଲ କାମ ଯିଏ ନକରିଛି, ତାଙ୍କୁ ଭୋଟ ଦିଆଯିବା ଉଚିତ୍ ନୁହେଁ। ପ୍ରଧାନମନ୍ତ୍ରୀ ଏଦିଗରେ ସବୁ ଜାଣି ମଧ୍ୟ କିଛି ପଦକ୍ଷେପ ନେଇ ନାହାଁନ୍ତି। ତେଣେ ମୁଁ ଜନ ପ୍ରତିନିଧି ହୁଏ କି ନ ହୁଏ, ମୁଁ ଲୋକଙ୍କ ପାଇଁ ଲଢିବି। ଯାହା ବିଜେଡି ପ୍ରତି ତାଙ୍କ ସମର୍ଥନକୁ ଇଙ୍ଗିତ କରୁଛି।
ରାଉରକେଲାରୁ ରାଜେନ୍ଦ୍ରନାଥ ମିଶ୍ର, ଇଟିଭି ଭାରତ