ରାଉରକେଲା: କୋରୋନା ପାଇଁ ଦେଶବ୍ୟାପୀ ଲକଡାଉନ ଜାରି ରହିଥିବା ବେଳେ ବିଭିନ୍ନ ଶିକ୍ଷାନୁଷ୍ଠାନ ମଧ୍ୟ ବନ୍ଦ ରହିଛି । ଏଭଳି ସ୍ଥିତିରେ ବିଜୁ ପଟ୍ଟନାୟକ ବୈଷୟିକ ବିଶ୍ବବିଦ୍ୟାଳୟ ଅନଲାଇନ ମାଧ୍ୟମରେ ପରୀକ୍ଷା କରିବାକୁ ଘୋଷଣା କରିଛି । ଏଥିପାଇଁ ନିର୍ଦ୍ଦେଶାବଳୀ ମଧ୍ୟ ଜାରି କରାଯାଇଛି । ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ଦ୍ବାରା ଜାରି କରାଯାଇଥିବା ନିୟମାବଳୀକୁ ଅନେକ ଛାତ୍ରଛାତ୍ରୀଙ୍କ ପକ୍ଷେ ମାନିବା ସମ୍ଭବପର ନୁହେଁ । ଏଣୁ ଏହାକୁ ବିରୋଧ କରି ବହୁ ସଂଖ୍ୟାରେ ଛାତ୍ରଛାତ୍ରୀ ଏକତ୍ରିତ ହୋଇ ଅନଲାଇନ ପରୀକ୍ଷାକୁ ରଦ୍ଦ କରିବାକୁ ଦାବି କରିଥିଲେ । ଏଥିସହ ଏସମ୍ପର୍କିତ ଏକ ଦାବିପତ୍ର କୁଳପତିଙ୍କୁ ପ୍ରଦାନ କରାଯାଇଥିଲା ।
ଉକ୍ତ ଦାବି ପତ୍ରରେ ସାଧାରଣ ପ୍ରକ୍ରିୟାରେ ଇଣ୍ଟରନାଲ ମାର୍କ ତଥା ଗତବର୍ଷର ନମ୍ବର ନେଇ ତାଙ୍କୁ ଅଙ୍କ ପ୍ରଦାନ ପାଇଁ ଦାବି କରିଥିଲେ । ଦୀର୍ଘ ସମୟ ଧରି ଛାତ୍ର ଓ ବିଶ୍ବବିଦ୍ୟାଳୟ ପ୍ରଶାସନ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା । ଶେଷରେ ସରକାର ଏହାର ଅନ୍ତିମ ନିଷ୍ପତ୍ତି ନେବେ ବୋଲି ବିପିୟୁଟି କର୍ତ୍ତୃପକ୍ଷ କହିଥିଲେ ।
ସେପଟେ ଲକଡାଉନ ସମୟରେ ଅନେକ ଛାତ୍ରଛାତ୍ରୀ ହଷ୍ଟେଲରେ ନଥିବାବେଳେ ସେମାନଙ୍କ ଘରେ ଇଣ୍ଟରନେଟ ଭଲ ଭାବେ କାମ କରିବନାହିଁ ବୋଲି ଉପସ୍ଥିତ ଛାତ୍ରଛାତ୍ରୀ ପ୍ରତିକ୍ରିୟା ରଖିଥିଲେ ।
ରାଉରକେଲାରୁ ରାଜେନ୍ଦ୍ର ନାଥ ମିଶ୍ର, ଇଟିଭି ଭାରତ