ରାଉରକେଲା: ମହଙ୍ଗା ପଡିଲା ବିବାହିତ ପୁରୁଷକୁ ପ୍ରେମ । ସର୍ବ ସମ୍ମୁଖରେ ମାଡ ଖାଇବା ପରେ ଲୋକ ଲଜ୍ଜା ସହି ନ ପାରି ଆତ୍ମହତ୍ୟା କରିଛନ୍ତି ଜଣେ ନାବାଳିକା । ଏଭଳି ଅଭାବନୀୟ ଘଟଣା ଘଟିଛି ରାଉରକେଲା ବନ୍ଧମୁଣ୍ଡା ଥାନା ଅନ୍ତର୍ଗତ ବୋଗତା ବସ୍ତିରେ । ତେବେ ଅଭିଯୁକ୍ତଙ୍କୁ ଗିରଫ ଦାବିରେ ବନ୍ଧମୁଣ୍ଡା ଥାନା ଘେରାଉ କରିଥିଲେ ଲୋକେ ।
ସୂଚନା ଅନୁସାରେ, ବୋଗତା ବସ୍ତିରେ ରହୁଥିବା ଜଣେ ନାବାଳିକା ସେହି ଅଞ୍ଚଳର ସଣ୍ଟୁ ଗୋପ ନାମକ ଜଣକ ଯୁବକକୁ ପ୍ରେମ କରି ବସିଥିଲେ । ଯୁବକ ଜଣକ ନିଜକୁ ଅବିବାହିତ କହି ନାବାଳିକା ସହ ଶାରୀରିକ ସମ୍ପର୍କ ରଖି ଆସୁଥିଲେ । ଏହି ଘଟଣା ସମ୍ପର୍କରେ ସଣ୍ଟୁଙ୍କ ପତ୍ନୀ ଜାଣିବା ପରେ ଉଭୟ ଯୁବକ ଓ ନାବାଳିକାକୁ ଉଲଗ୍ନ କରି ପିଟିଥିଲେ । ଏହା ପରେ ଲୋକ ଲଜ୍ଜା ସହି ନ ପାରି ନାବାଳିକା ନିଜ ଦେହରେ କିରୋସିନି ଢାଳି ଆତ୍ମହତ୍ୟା ଉଦ୍ୟମ କରିଥିଲେ ।
ଗୁରୁତର ଅବସ୍ଥାରେ ତାଙ୍କୁ ଆରଜିଏଚରେ ଭର୍ତ୍ତି କରାଯାଇଥିଲା । ସେଠାରେ ତାଙ୍କର ମୃତ୍ୟୁ ଘଟିଛି । ଏହି ଘଟଣାରେ ସଣ୍ଟୁ ଓ ତାଙ୍କ ପତ୍ନୀ ଗୋପଙ୍କୁ ଗିରଫ କରିବା ଦାବିରେ ସ୍ଥାନୀୟ ଲୋକେ ଥାନା ଘେରାଉ କରିଥିଲେ । ପୋଲିସ ଲୋକଙ୍କୁ ବୁଝାସୁଝା କରିବା ପରେ ପରିସ୍ଥିତି ଶାନ୍ତ ପଡିଥିଲା ।
ରାଉରକେଲାରୁ ରାଜେନ୍ଦ୍ର ନାଥ ମିଶ୍ର, ଇଟିଭି ଭାରତ