ପୁରୀ:କୋରୋନା ପାଇଁ ଲକ ଡାଉନରେ ପୁରୀ ସହର ସମେତ ସାରା ଜିଲ୍ଲା । ଜରୁରୀ କାମ ନଥିଲେ ଲୋକଙ୍କୁ ନ ବାହାରିବାକୁ ନିର୍ଦ୍ଦେଶ ରହିଛି । ବିନା କାମରେ ଯଦି ଲୋକଙ୍କୁ ବୁଲିବାର ଦେଖାଯାଏ, ତେବେ ସେମାନଙ୍କ ଉପରେ କଠୋର ହେବ ପ୍ରଶାସନ । ନିୟମ ଉଲ୍ଲଙ୍ଘନ କଲେ ଆଇନ ଅନୁଯାୟୀ ସେମାନଙ୍କୁ ଗିରଫ କରାଯିବ ବୋଲି ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି ପୁରୀ ଜିଲ୍ଲାପାଳ ବଲବନ୍ତ ସିଂ । ଏହା ସହ ଲକ ଡାଉନ ପ୍ରକ୍ରିୟାକୁ ସହଯୋଗ କରିବା ପାଇଁ ସେ ଜନତାଙ୍କୁ ଅନୁରୋଧ । ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ପୁରୀ ଜିଲ୍ଲାପାଳ ।
ଭାରତ ବର୍ତ୍ତମାନ ଦ୍ବିତୀୟ ପର୍ଯ୍ୟାୟରେ ରହିଛି । ତୃତୀୟ ପର୍ଯ୍ୟାୟ ନ ଯିବାକୁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ଲକ ଡାଉନ ଆପଣାଇଛନ୍ତି । ଫଳରେ ଲୋକେ ନିଜ ଘରେ ରହି ସୁସ୍ଥ ରହିବାକୁ ଆହ୍ବାନ କରାଯାଇଛି । କୋରୋନା ଏକ ସଂକ୍ରମିତ ରୋଗ ହୋଇଥିବାରୁ ସାମାଜିକ ଦୂରତା ବଜାୟୀ ରଖିବାକୁ ପଡିବ । ତେଣୁ ଜରୁରୀ ନଥିଲେ ବାହାରକୁ ବାହାରନ୍ତୁ ନାହିଁ । ନିଜ ଜୀବନ ବିପଦରେ ପଡିବା ସହ ଅନ୍ୟମାନେ ମଧ୍ୟ ଏହି ସଂକ୍ରମଣ ଶିକାର ହେବାର ଯଥେଷ୍ଟ ଆଶଙ୍କା ରହିଛି । ସେଥିପାଇଁ ଲକ ଡାଉନ ସମୟରେ ପୁରୀ ବସକୁ ଚଳାଚଳ ବନ୍ଦ ରହିବ ।
ସେହିପରି ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ଅନୁଯାୟୀ ପୁରୀ ସହର ଓ ଜିଲ୍ଲାରେ ଥିବା ବିଭିନ୍ନ ବସ ଷ୍ଟାଣ୍ଡ, ରେଳୱେ ଷ୍ଟେସନରେ ନିରାଶ୍ରୟ ଲୋକଙ୍କୁ ସ୍ବଚ୍ଛାସେବୀଙ୍କ ମାଧ୍ୟମରେ ଚିହ୍ନଟ କରାଯାଇ ସେମାନଙ୍କୁ ରହିବା ଓ ଖାଇବାର ବନ୍ଦୋବସ୍ତ କରାଯିବ । ଏହା ସହ ଏକୁଟିଆ ରହୁଥିବା ବରିଷ୍ଠ ନାଗରିକଙ୍କ ଦାୟିତ୍ବ ମଧ୍ୟ ପୁରୀ ଜିଲ୍ଲା ପ୍ରଶାସନ ନେବ । ଏକ ସ୍ବେଚ୍ଛାସେବୀ ସଙ୍ଗଠନ ମାଧ୍ୟମରେ ତାଙ୍କୁ ଖାଦ୍ୟପେୟ, ଚିକିତ୍ସା ସେବା ଯୋଗାଇ ଦିଆଯିବ । ଏଥିପାଇଁ ପୁରୀ ପ୍ରଶାସନ ପକ୍ଷରୁ ଏକ ହେଲ୍ପ ଲାଇନ ଜାରି ହୋଇଛି । ନମ୍ବର ହେଲା 6370967100, ଓ 6370972100 । ଏହି ନମ୍ବର ମାଧ୍ୟମରେ ବରିଷ୍ଠ ନାଗରିକମାନେ ପଞ୍ଜୀକରଣ କରିବାକୁ ପୁରୀ ଜିଲ୍ଲାପାଳ ନିବେଦନ କରିଛନ୍ତି ।
ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ