ପୁରୀ: ଜମିଜମା ମାମଲାରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରିଲେ ଅଞ୍ଚଳବାସୀ । ପୁରୀ ଜିଲ୍ଲା ସଦର ବ୍ଲକ୍ ଅଧିନ ଗଡ଼ମୃଗଶିରା ପଞ୍ଚାୟତର ସୁନ୍ଦର ଗ୍ରାମବାସୀ ଜମିଜମା ଘଟଣାରେ ସମସ୍ୟା ନେଇ ରାଜରାସ୍ତାକୁ ଓହ୍ଲାଇଛନ୍ତି । ଗ୍ରାମବାସୀଙ୍କ ଅଭିଯୋଗ ଅନୁସାରେ ସଦର ବ୍ଳକ ଅଧିନ ସୁଦର ଗ୍ରାମରେ ଶ୍ରୀମନ୍ଦିର ପ୍ରଶାସନର ଅନେକ ଅନାବାଦି ଓ ଗୋଚର ଜମି ଥିବାବେଳେ ଆଜିକୁ ଦୀର୍ଘ 50 ବର୍ଷ ହେବ ଉକ୍ତ ଜମିରେ ଗ୍ରାମବାସୀ ବସବାସ କରୁଛନ୍ତି । ତେବେ ଏଥିପାଇଁ ସେମାନେ ଶ୍ରୀମନ୍ଦିର ପ୍ରଶାସନକୁ ଖଜଣା ମଧ୍ୟ ଦେଉଛନ୍ତି ।
କିନ୍ତୁ ଗତ କିଛିଦିନ ହେବ ସେହି ଗ୍ରାମର କିଛି ଗୁଣ୍ଡା ଶ୍ରେଣୀୟ ବ୍ୟକ୍ତି କିଛି ଗରିବ ଲୋକଙ୍କ ଠାରୁ ଜୋର ଜବରଦସ୍ତ ଖଜଣା ଟଙ୍କା ଆଦାୟ କରୁଛନ୍ତି । ଆଉ ଏନେଇ ପ୍ରତିବାଦ କଲେ ଲୋକମାନଙ୍କୁ ଆକ୍ରମଣ କରୁଛନ୍ତି ।
ସେପଟେ ଏହି ଘଟଣାରେ ଗ୍ରାମରେ ଭୟର ବାତାବରଣ ସୃଷ୍ଟି ହୋଇଥିବାବେଳେ ଏନେଇ ପୋଲିସ ପାଖରେ ଅଭିଯୋଗ ପରେ ମଧ୍ୟ ପୋଲିସ କୌଣସି କାର୍ଯ୍ୟନୁଷ୍ଠାନ ନେଉ ନ ଥିବା ଅଭିଯୋଗ ହୋଇଛି । ଏଣୁ ତୁରନ୍ତ ଜିଲ୍ଲାପାଳ ଉକ୍ତ ଘଟଣାରେ ହସ୍ତକ୍ଷେପ କରି ତଦନ୍ତ ନିର୍ଦ୍ଦେଶ ଦେବା ସହ ଗରିବ ନିରାଶ୍ରୟ ଲୋକଙ୍କୁ ନ୍ୟାୟ ପ୍ରଦାନ କରିବାକୁ ଗ୍ରାମବାସୀ ଦାବି କରିଛନ୍ତି ।
ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ