ପୁରୀ: ଗୋଟିଏ ଦିନରେ ଦୁଇଟି ପୋଲିସ ଅଧିକାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ । ଅପରାଧିକ ଅଭିଯୋଗ ଆସିବା ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ପୁରୀ ଏସପି କନୱର ବିଶାଲ ସିଂ । ପୁରୀ କୃଷ୍ଣପ୍ରସାଦ ଥାନା ଏଏସଆଇ ଈଶ୍ବର ଚନ୍ଦ୍ର ଗୁମାନ ସିଂଙ୍କୁ ଗିରଫ କରାଯାଇଛି । ପୁରୀ ସଦରଥାନା ଏସଆଇଙ୍କୁ ନିଲମ୍ବନ କରାଯାଇଛି ।
କୃଷ୍ଣପ୍ରସାଦ ଥାନା ଏଏସଆଇ ଜଣେ ବ୍ୟବସାୟୀଙ୍କ ଠାରୁ 7 ହଜାର ଲାଞ୍ଚ ନେଇଥିବା ଅଭିଯୋଗ ହୋଇଥିଲା । ଏହି ଅଭିଯୋଗକୁ ଆଧାର କରି ଏସଡିପିଓ ତଦନ୍ତ ଆରମ୍ଭ କରିଥିଲେ । ଘଟଣାରେ ଦୋଷୀ ସାବ୍ୟସ୍ତ ହେବା ପରେ ଏଏସଆଇ ଈଶ୍ବର ଚନ୍ଦ୍ରଙ୍କୁ ଚାକିରିରୁ ନିଲମ୍ବନ ସହ ଗିରଫ କରାଯାଇଛି ।
ସେହିପରି ପୁରୀ ସଦର ଥାନା ଏସଆଇ ଅତସୀ ଜେନା ବି ସସପେଣ୍ଡ ହୋଇଛନ୍ତି । କିଛି ଦିନ ତଳେ ଏକ ଜୁଆ ଆଡ୍ଡାରେ ଚଢାଉ କରିଥିଲେ ଅତସୀ । ହେଲେ ଚଢାଉ ପରେ କୌଣସି ମାମଲା ହୋଇନି । ଏପରିକି ଉପରିସ୍ଥ ଅଧିକାରୀଙ୍କୁ ରେଡ୍ ସମ୍ପର୍କରେ କୌଣସି ତଥ୍ୟ ଦିଆଯାଇନଥିବା ଅଭିଯୋଗ ପରେ ତଦନ୍ତ ହୋଇଥିଲା । ଏହି ଘଟଣାରେ ପୁରୀ ଏସପି କେ.ବିଶାଲ ସିଂ ଜିରୋ ଟଲେରାନ୍ସ ନୀତି ଆଧାରରେ ତାଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି ।
ପୁରୀରୁ ଶକ୍ତିପ୍ରସାଦ ଓ ବ୍ରହ୍ମଗିରିରୁ ଦେବାଶିଷ ଦାସ, ଇଟିଭି ଭାରତ