ପୁରୀ: ଶ୍ରୀମନ୍ଦିରରେ ନାବାଳକ ସେବାୟତକୁ ଯୌନ ନିର୍ଯାତନା (Sexual Harassment to Minor Boy in Srimandir) ଘଟଣା । ଅଭିଯୁକ୍ତ ସେବାୟତ ଲକ୍ଷ୍ମୀ ନାରାୟଣ ଖୁଣ୍ଟିଆଙ୍କୁ ଗିରଫ କରିଛି ପୋଲିସ । ତାଙ୍କ ଉପରେ IPCର ଦଫା ୨୯୪/୩୭୭/୫୦୬/୬ ଲାଗିଥିବା ବେଳେ ପୋକ୍ସୋ ଆକ୍ଟରେ ସେ ଗିରଫ ହୋଇଛନ୍ତି । ଗତକାଲି(ଗୁରୁବାର) ରାତିରେ ବରିଷ୍ଠ ସେବାୟତଙ୍କ ବିରୋଧରେ ହୋଇଥିଲା ଅଭିଯୋଗ ।
ଜନୈକ ସେବାୟତ ଅନ୍ୟ ଜଣେ ବରିଷ୍ଠ ସେବାୟତଙ୍କ ନାମରେ ଏଭଳି ସାଂଘାତିକ ଅଭିଯୋଗ ଆଣିଛନ୍ତି। ତାଙ୍କ ନାବାଳକ ପୁଅକୁ ବରିଷ୍ଠ ସେବାୟତ ଜଣକ ଏଭଳି ଯୌନ ନିର୍ଯାତନା ଦେଇ ଆସୁଥିବା ସେବାୟତ ଜଣକ ସିଂହଦ୍ବାର ଥାନାରେ ଅଭିଯୋଗ କରିଥିଲେ । ଶ୍ରୀମନ୍ଦିର ପ୍ରଶାସନ, ନିଯୋଗ ଓ ଆରକ୍ଷୀ ଅଧିକ୍ଷକଙ୍କୁ ମଧ୍ୟ ସେ ଏ ସମ୍ପର୍କରେ ଲିଖିତ ଭାବେ ଜଣାଇଥିଲେ ।
ସୁଆର ସାହିର ନାବାଳକର ବାପାଙ୍କ ଅଭିଯୋଗ କରିଛନ୍ତି ଯେ ସେ ଦୃଷ୍ଟିହୀନ ଅଟନ୍ତି। ଏଣୁ ନାବାଳକ ପୁଅ ତାଙ୍କୁ ସର୍ବଦା ଶ୍ରୀମନ୍ଦିରକୁ ନେବା ଆଣିବା କରେ । ନାବାଳକ ପୁଅ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ପାଳି ଖଟୁଥିବା ବେଳେ ସେ ନିର୍ମାଲ୍ୟ ଖଳାରେ କାମ କରନ୍ତି। ମହାପ୍ରଭୁଙ୍କ ଶୁଖିଲା ମହାପ୍ରସାଦ ପ୍ରସ୍ତୁତ କରନ୍ତି।
ଏହା ବି ପଢନ୍ତୁ: ଶ୍ରୀମନ୍ଦିରରେ ନାବାଳକକୁ ଯୌନ ନିର୍ଯାତନା ଅଭିଯୋଗ
ତେବେ ୨ ମାସ ତଳେ ନାବାଳକ ପୁଅ ଭୁବନେଶ୍ଵରୀ ମନ୍ଦିରରେ ଦର୍ଶନ କରୁଥିବା ବେଳେ ଲକ୍ଷ୍ମୀ ମନ୍ଦିର ସେବାୟତ ହରଚଣ୍ଡୀ ସାହିର ଲଷ୍ମୀନାରାୟଣ ଖୁଣ୍ଟିଆ ତାଙ୍କୁ ଯୌନ ନିର୍ଯାତନା ଦେଇଥିଲେ। ପ୍ରତିବାଦ କରିବାରୁ ଛାତି, ଗାଲକୁ ଚିପି ଧମକ ଦେଇଥିଲେ । ସାଙ୍ଗରେ ହୋଟେଲ ନ ଗଲେ ମନ୍ଦିର ଭିତରେ ମାଡ଼ ମାରିବେ ବୋଲି ଧମକାଇଥିଲେ । ଭୟଭୀତ ହୋଇ ନାବାଳକ ସେଠାରୁ ଯାଇ ଲକ୍ଷ୍ମୀଙ୍କ ମନ୍ଦିରରେ ଦର୍ଶନ କରୁଥିବା ସମୟରେ ପୁନର୍ବାର ସେବାୟତ ଲକ୍ଷ୍ମୀନାରାୟଣ ଅସଦାଚରଣ ପ୍ରଦର୍ଶନ କରିଥିଲେ । ପିନ୍ଧିଥିବା ମକୁଟକୁ ଖୋଲି ଅସଦାଚରଣ ପ୍ରଦର୍ଶନ କରିଥିଲେ।
ଏହି ସମ୍ପର୍କରେ ଲକ୍ଷ୍ମୀନାରାୟଣ କାହାକୁ କହିଲେ ଶ୍ରୀମନ୍ଦିରରେ ତାଙ୍କୁ ପ୍ରବେଶ କରାଇବେ ନାହି ଏବଂ ମାଡ଼ ମାରିବେ ବୋଲି ଧମକ ଦେଇଥିଲେ। ତାଙ୍କ କଥା ମାନିବାକୁ ବାଧ୍ୟ କରିଥିଲେ। ସେହି ଦିନଠାରୁ ନାବାଳକ ଜଣକ ଶାରୀରିକ ଓ ମାନସିକ ଯନ୍ତ୍ରଣା ପାଇ ଆସୁଛି । ଜଣେ ଦୃଷ୍ଟିହୀନ ସେବାୟତ ହୋଇଥିବାରୁ ସେ ନ୍ୟାୟ ଦାବି କରିଛନ୍ତି । ଶ୍ରୀମନ୍ଦିର ଭଳି ପବିତ୍ର ସ୍ଥାନରେ ଏଭଳି କାର୍ଯ୍ୟକୁ ସେ ଦୃଢ଼ ନିନ୍ଦା କରିବା ସହ ନିଜ ପରିବାରର ସୁରକ୍ଷା ଲୋଡିଛନ୍ତି । ତଦନ୍ତରେ ସେ ସମ୍ପୂର୍ଣ ସହଯୋଗ କରିବେ ବୋଲି କହିଛନ୍ତି ।
ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ