ପୁରୀ: ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଂଜୟ ଦାସବର୍ମା ଏବେ ଅଡ଼ୁଆରେ ପଡ଼ି ଯାଇଛନ୍ତି । ବ୍ୟକ୍ତିଗତ ସହାୟକ ଚିତ୍ତରଞ୍ଜନ ପଲେଇଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣାରେ ସଞ୍ଜୟ ଦାସବର୍ମା ସମ୍ପୃକ୍ତି ଅଭିଯୋଗ ଆସିବା ପରେ ବିରୋଧୀ ତାଙ୍କୁ ଟାର୍ଗେଟ କରିଛନ୍ତି । ଏଥିପାଇଁ ସଞ୍ଜୟ ଦାସବର୍ମା ଏବେ ନିଜର ଭାବମୂର୍ତ୍ତିକୁ ରକ୍ଷା କରିବା ପାଇଁ ଆପ୍ରାଣ ଉଦ୍ୟମ କରୁଛନ୍ତି । ବ୍ରହ୍ମଗିରିରେ ଆଜି(ଶୁକ୍ରବାର) ବିଜେପି ପକ୍ଷରୁ ସଞ୍ଜୟ ଦାସବର୍ମାଙ୍କ ବିରୋଧରେ ବିଜେପି ରାଲି କରି ଇସ୍ତଫା ଦାବି କରିଛି ।
ସେପଟେ ସଞ୍ଜୟ ଦାସବର୍ମା ଏହାକୁ କାଉଣ୍ଟର କରିବା ପାଇଁ ଆଜି ପୁରୀରେ ଏକ ମିଶ୍ରଣ ପର୍ବ ଆୟୋଜନ କରିଛନ୍ତି । ବ୍ରହ୍ମଗିରି ଓ କୃଷ୍ଣପ୍ରସାଦ ବ୍ଳକର କିଛି କଂଗ୍ରେସ ଓ ବିଜେପି ନେତାଙ୍କୁ ବିଜେଡିରେ ସେ ସାମିଲ କରାଇଛନ୍ତି । ନିଜର ପତିଆରା ଓ ଲୋକପ୍ରିୟତା ଏବେବି ରହିଥିବା ପ୍ରମାଣିତ କରିବା ପାଇଁ ସେ ମିଶ୍ରଣ ପର୍ବ କରି ବିରୋଧଙ୍କୁ ଜବାବ୍ ଦେବାକୁ ଚେଷ୍ଟା କରିଛନ୍ତି ।
ବିରୋଧୀଙ୍କ ଶାଣିତ ବାଣରେ ସଞ୍ଜୟ ଦାସବର୍ମା ବିଚଳିତ ହୋଇ ଏହାର ମୁକାବିଲା ପାଇଁ କିଛି ହାତ ଗଣତି ନେତାଙ୍କୁ ବିଜେଡି ମିଶାଇ ନିଜର ଶକ୍ତି ପ୍ରଦର୍ଶନ କରିଛନ୍ତି ବୋଲି ମତ ପ୍ରକାଶ ପାଇଛି । ଏହାକୁ ନେଇ ଏବେ ରାଜନୈତିକ ମହଲରେ ଚର୍ଚ୍ଚାର ବିଷୟ ହୋଇଛି ।
ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ