ପୁରୀ: ଆସନ୍ତାକାଲି(ବୁଧବାର) ଠାରୁ ସେବାୟତଙ୍କ ହେବ ସ୍ୱାବ ସଂଗ୍ରହ। 27 ଓ 28 ତାରିଖ ଦଇତାପତି ସେହିପରି 29 ଏବଂ 30 ତାରିଖରେ ଗରାବଡୁ ସେବକଙ୍କ ହେବ ସ୍ୱାବ ସଂଗ୍ରହ। ସ୍ନାନ ଯାତ୍ରାରେ ସାମିଲ ପୂର୍ବରୁ ସେବାପୂଜା ଓ ନୀତିକାନ୍ତିରେ ସାମିଲ ହେବାକୁ ଥିବା ସେବାୟତଙ୍କର ହେବ କୋଭିଡ ଟେଷ୍ଟ। ଏ ନେଇ ଶ୍ରୀମନ୍ଦିର ପ୍ରଶାସନ ଓ 10 ଟି ନିଯୋଗ ସହିତ ଆଲୋଚନା ପରେ ଏହି ପ୍ରକ୍ରିୟା ଆରମ୍ଭ ହୋଇଛି।
ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଏକ ସ୍ୱତନ୍ତ୍ର ପ୍ରକୋଷ୍ଠ ସାନିଟାଇଜ କରାଯାଇ ବୁଧବାର ଠାରୁ ସ୍ୱାବ ସଂଗ୍ରହ ହେବ । ସୂଚନା ଅନୁଯାୟୀ, 150 ଜଣ ଦଇତାପତି ଓ 120 ଜଣ ଗରାବଡୁ ସେବକଙ୍କ ହେବ କୋଭିଡ ଟେଷ୍ଟ । ସେହିପରି ସ୍ୱାବ ସଂଗ୍ରହ ଦିନ ଠାରୁ ଏହି ସେବକମାନେ ହୋମକ୍ଵାରେଣ୍ଟାଇନରେ ରହିବେ । ଅନ୍ୟ ପଟେ 25 ତାରିଖ ସୁଦ୍ଧା ସେବକଙ୍କ ତାଲିକା ପ୍ରଦାନ କରିବାକୁ କୁହାଯାଇଥିଲା ବିଭିନ୍ନ ନିଯୋଗକୁ ।
ତେବେ ଅନେକ ନିଯୋଗ ତାଲିକା ଦେଇ ନ ଥିବା ହେତୁ 27 ତାରିଖ ଯାଏ ସମୟ ସୀମା ବଢ଼ାଯାଇଛି। ଅନ୍ୟପଟେ ଶ୍ରୀମନ୍ଦିର ପ୍ରଶାସନକୁ ଖୁଣ୍ଟିଆ ନିଯୋଗ ନିଜର ତାଲିକା ପ୍ରଦାନ କରିଛି । ନିଯୋଗ 120ର ସଦସ୍ୟ ଥିବା ବେଳେ କୋଭିଡ ଗାଇଡ଼ ଲାଇନ ଅନୁଯାୟୀ ସାମାଜିକ ଦୂରତ୍ୱ ବଜାୟ ପାଇଁ ମାତ୍ର 12 ଜଣ ସେବକ ଖୁଣ୍ଟିଆ ନିଯୋଗ ପକ୍ଷରୁ ସ୍ନାନଯାତ୍ରାରେ ଉପସ୍ଥିତ ହେବେ ବୋଲି ଉକ୍ତ ନିଯୋଗ ପକ୍ଷରୁ କୁହାଯାଇଛି । ସ୍ନାନଯାତ୍ରା ମହାପ୍ରଭୁଙ୍କ ଗଜବେଶ ଏହି ଖୁଣ୍ଟିଆ ସେବକମାନେ ମହାପ୍ରଭୁଙ୍କ ଠାରେ ଲାଗି କରିଥାନ୍ତି।
ପୁରୀରୁ ଶକ୍ତି ପ୍ରସାଦ ମଶ୍ର, ଇଟିଭି ଭାରତ