ପୁରୀ: ଦିବ୍ୟାଙ୍ଗ ବ୍ୟକ୍ତିଙ୍କ ଠାରୁ ପୁରୀ ପୋଲିସ ଆଦାୟ କରିଛି ଫାଇନ । ଶ୍ରୀମନ୍ଦିର ଉତ୍ତରଦ୍ବାର ନିକଟରେ ଖଜା ବିକ୍ରି କରି ନିଜର ଗୁଜୁରାଣ ମେଣ୍ଟାଉ ଥିବା ଦିବ୍ୟାଙ୍ଗ ହରିହର ସାହୁଙ୍କଠୁ ଏହି ଫାଇନ ହୋଇଛି । ପୋଲିସର ଏହି ଅମାନବୀୟ ଆଚରଣକୁ ସାଧାରଣରେ ଘୋର ନିନ୍ଦା କରାଯାଇଥିବା ଦେଖିବାକୁ ମିଳିଛି ।
ପୋଲିସ ପକ୍ଷରୁ ଯାଞ୍ଚ ଚାଲିଥିବା ବେଳେ ଦୁଇ ହାତ ନଥିବା ଏକ ଗରିବ ବ୍ୟବସାୟୀଙ୍କଠାରୁ ଫାଇନ ଆଦାୟ କରାଯାଇଛି । ତେବେ ଫାଇନ ନ କାଟିବାକୁ ଦିବ୍ୟାଙ୍ଗ ହରିହର କାକୁତିମିନତି ହୋଇଥିଲେ । ହେଲେ ପୋଲିସ ନ ଶୁଣି ନିରୀହ ହରିହରଙ୍କୁ ପୁରା ଦିନର ବ୍ୟବସାୟ ପୋଲିସ ନେଇ 7ଶହ ଟଙ୍କା ଫାଇନ କାଟିଛି । ଦିନକୁ 8୦୦ ଟଙ୍କା ରୋଜଗାର ନ ଥିବା ବେଳେ ଏହି ଫାଇନ ଦେବା ଫଳରେ ସେ କେମିତି ଘର ପରିବାର ଚଳାଇବେ କୋହ ଭରା କଣ୍ଠରେ ଅଭିଯୋଗ କରିଛନ୍ତି ଦିବ୍ୟାଙ୍ଗ ବ୍ୟବସାୟୀ ।
ଦିବ୍ୟାଙ୍ଗଙ୍କ ଜୀବନ ଯାପନରେ ସୁଧାର ପାଇଁ ସରକାର ମାଳ ମାଳ ଯୋଜନା କରିଥିବା ବେଳେ ପୁରୀ ପୋଲିସର ଏଭଳି ଅମାନବୀୟ ଆଚରଣ ନେଇ ସାଧାରଣରେ ତୀଵ୍ର ଅସନ୍ତୋଷ ସୃଷ୍ଟି ହୋଇଛି । ତୁରନ୍ତ ଦିବ୍ୟାଙ୍ଗ ହରିହରଙ୍କୁ ପ୍ରଶାସନ ସାହାଯ୍ୟ ଯୋଗାଇ ଦେବାକୁ ସାଧାରଣରେ ମତ ପ୍ରକାଶ ପାଇଛି ।
ପୁରୀରୁ ଶକ୍ତିପ୍ରସାଦ ମିଶ୍ର, ଇଟିଭି ଭାରତ