ପୁରୀ: ପୁରୀ ଜିଲ୍ଲା ପ୍ରଶାସନ ପୁଣି ପୁରୀ ବେଳାଭୂମିର ଚକ୍ରତୀର୍ଥ ବେଳାଭୂମି ଅଞ୍ଚଳକୁ ବ୍ଲୁଫ୍ଲାଗ ବିଚରେ ପରିଣତ କରୁଥିବା ଅଭିଯୋଗ କରି ଆଜି(ସୋମବାର) ବିଭିନ୍ନ ସଙ୍ଗଠନ ମିଳିତ ଭାବେ ବିରୋଧ ସହିତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରିଛନ୍ତି। ସମୁଦ୍ରକୂଳ ଅଞ୍ଚଳରେ ବସବାସ କରୁଥିବା ବସ୍ତିବାସିନ୍ଦା ମାନେ ଆଜି ଧାରଣାରେ ବସିବା ସହ ୭ଦଫା ଦାବିପତ୍ର ଜିଲ୍ଲାପାଳଙ୍କୁ ଦେଇଛନ୍ତି।
ଶ୍ରୀକ୍ଷେତ୍ର ସମୁଦ୍ରକୂଳର ତୀର୍ଥଭୂମିକୁ ପର୍ଯ୍ୟଟନର କ୍ଷେତ୍ର ଭାବେ ପରିଣତ କରିବା ଓ ଜଗନ୍ନାଥ ସଂସ୍କୃତିକୁ ବିଲୋପ ଷଡ଼ଯନ୍ତ୍ର ବରଦାସ୍ତ କରାଯିବ ନାହିଁ ବୋଲି କୁହାଯାଇଛି। ଚକ୍ରତୀର୍ଥ ବେଳାଭୂମିକୁ ବ୍ଲୁ ଫ୍ଲାଗ ବିଚ କରାଗଲେ ଅନେକ କଟକଣା ଯୋଗୁଁ ମତ୍ସ୍ୟଜୀବୀ, କ୍ଷୁଦ୍ର ବ୍ୟବସାୟୀ, ଲାଇଫଗାର୍ଡ ଓ ଫଟୋଗ୍ରାଫର ମାନେ ସେମାନଙ୍କ ଜୀବନ ହରାଇବା ଆଶଙ୍କା କରାଯାଉଛି।
ବ୍ଲୁଫ୍ଲାଗ ବିଚ ଜନବସତି ଠାରୁ ଦୂରରେ ହେବା ପାଇଁ ନିୟମ ଥିବାବେଳେ ଏହା ସହର ଉପକଣ୍ଠରେ କରାଯାଉଥିବାରୁ ବେଳାଭୂମି ସୁରକ୍ଷା ସମିତି ଏହାର ବିରୋଧ କରି ଆଜି ବିକ୍ଷୋଭ ପ୍ରଦର୍ଶନ କରିଥିଲା। ଏବେ ପୁରୀରେ ଏକ ନିର୍ଦ୍ଦିଷ୍ଟ ଅଞ୍ଚଳରେ ଗୋଟିଏ ମାତ୍ର ବ୍ଲୁଫ୍ଲାଗ ବିଚ୍ ରହିଥିବା ବେଳେ ଏହାକୁ ସମ୍ପ୍ରସାରିତ କଲେ ଭବିଷ୍ୟତରେ ବଡ ଆନ୍ଦୋଳନ ହେବ ବୋଲି ଚେତାବନୀ ଦିଆଯାଇଛି।
ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ