ପୁରୀ: ଶ୍ରୀଜଗନ୍ନାଥଙ୍କ ପରି ଶ୍ରୀକ୍ଷେତ୍ରର ଗାରିମା ବିଶ୍ବ ବିଦିତ, ମହିମା ଚାରିଆଡେ ଧ୍ବନିତ । ଏ କ୍ଷେତ୍ରର କୋଣ ଅନୁକୋଣ ଭକ୍ତ ମନରେ ସୃଷ୍ଟିକରେ ବିଭୁପ୍ରେମର ତନ୍ମୟତା । ବଡ ଦେଉଳରୁ ବାଇଶିପାହାଚ, ମହାପ୍ରସାଦରୁ ମହୋଦଧି ସବୁ ମହିମାମଣ୍ଡିତ । ତନ୍ମଧ୍ୟରୁ ଜଗତର ନାଥଙ୍କ ନିତ୍ୟ ବାସସ୍ଥାନ ନୀଳାଚଳର ଶରଧାବାଲି ଶ୍ରେଷ୍ଠତ୍ବ ମଧ୍ୟ ସର୍ବବିଦିତ । ଏହି ଶରଧାବାଲି କୌଣସି ସାଧାରଣ ବାଲି ନୁହେଁ, ଏହାକୁ ବ୍ରଜ ଧୂଳି ବୋଲି ମଧ୍ୟ କୁହାଯାଏ । ଶ୍ରୀଗୁଣ୍ଡିଚା ମନ୍ଦିରରୁ ବଡ଼ ଶଙ୍ଖ ପର୍ଯ୍ୟନ୍ତ ବ୍ୟାପ୍ତ ଅଞ୍ଚଳକୁ ଶରଧା ବାଲି କୁହାଯାଏ ।
ଶରଧାବାଲିକୁ ନେଇ ଭକ୍ତକବି ବନମାଳି ଦାସ ଦିନେ ଗାଇଥିଲେ, ‘‘ଜଗନ୍ନାଥ ହେ, କିଛି ମାଗୁନାହିଁ ତୋତେ।, ଧନ ମାଗୁନାହିଁ, ଜନ ମାଗୁନାହିଁ ମାଗୁଛି ଶରଧା ବାଲିରୁ ହାତେ...। ମହାପ୍ରଭୁ ଶ୍ରୀଗୁଣ୍ଡିଚା ଯାତ୍ରାରେ ଆସିଲେ ଏହି ଶରଧା ବାଲିରେ ରଥ ଅଟକିଥାଏ । ମହାପ୍ରଭୁ ଏହି ଶରଧା ବାଲିରେ ପହଣ୍ଡି ହୋଇ ଆଡ଼ପ ମଣ୍ଡପକୁ ବିଜେ କରନ୍ତି । ମହାପ୍ରଭୁ ଏହି ବାଲିରେ ପହଣ୍ଡି ହୋଇ ଶ୍ରୀଗୁଣ୍ଡିଚା ମନ୍ଦିରକୁ ପ୍ରବେଶ କରିବା ହେତୁ ଉକ୍ତ ଅଞ୍ଚଳରୁ ବାଲି ଅତି ପୂତ, ପବିତ୍ର ।
ତେବେ ଶରଧାବାଲି ନାମ କରଣ ନେଇ ରହିଛି ଏକ ଇତିହାସ। ପୂର୍ବ କାଳରେ ରଥଯାତ୍ରା ଯାତ୍ରା ସମୟରେ 6 ଟି ରଥ ହେଉଥିଲା । କାରଣ ବଡ଼ ଦାଣ୍ଡର ବଡ଼ ଶଙ୍ଖ ନିକଟରେ ଏକ ନଦୀ ଯାହାର ନାମ ମାଳିନୀ ପ୍ରଭାବିତ ହେଉଥିଲା। ଏଣୁ ତିନି ରଥକୁ ସେଠାରେ ରଖାଯାଇ ମହାପ୍ରଭୁଙ୍କୁ ଡଙ୍ଗାରେ ନିଆଯାଇ ପୁଣି ତିନିଟି 4 ଚକିଆ ଶଗଡି ଭଳି ପାଟେଣା ରଥରେ ଶ୍ରୀଗୁଣ୍ଡିଚା ଘରକୁ ମହାପ୍ରଭୁ ବିଜେ କରୁଥିଲେ। ତେବେ ଏହି ଅସୁବିଧାକୁ ଦୂର କାରିବାକୁ ମାଳିନୀ ନଦୀକୁ ବାଲି ପୋତି ଦିଆଯାଇ ଥିଲା। ଫଳରେ ପରବର୍ତ୍ତୀ ସମୟରେ ରଥଯାତ୍ରା ସୁରୁଖୁରୁରେ ଅନୁଷ୍ଠିତ ହୋଇ ଆସୁଛି । ଉକ୍ତ ସମୟରେ ରାଣୀ ଥିବା ଶ୍ରଦ୍ଧାରାଣୀ ପାଟମହାଦେଈ ଏହି କାର୍ଯ୍ୟ କରୁଥିବା ହେତୁ ଉକ୍ତ ଅଞ୍ଚଳକୁ ତାଙ୍କରି ସ୍ମୃତିରେ ଶରଧାବାଲି ରଖାଯାଇ ଥିବା ଇତିହାସରୁ ଜଣାଯାଏ।
ଶ୍ରୀଗୁଣ୍ଡିଚା ମନ୍ଦିର ମହାପ୍ରଭୁ ଶ୍ରୀଜଗନ୍ନାଥ , ବଳଭଦ୍ର ଓ ସୁଭଦ୍ରାଙ୍କ ଆବିର୍ଭାବ ସ୍ଥାନ। ବର୍ଷକ ଥରେ ରଥଯାତ୍ରାରେ ମହାପ୍ରଭୁ ନିଜ ଜନ୍ମସ୍ଥାନକୁ ନବ ଦିନାତ୍ମକ ଯାତ୍ରାରେ ଯାଆନ୍ତି। ଆଉ ପ୍ରତ୍ୟେକ ଭକ୍ତ ଶରଧା ବାଲିକୁ ମୁଣ୍ଡରେ ମାରି , ଦେହରେ ବୋଳି ହୋଇ ମହାପ୍ରଭୁଙ୍କୁ ସ୍ମରଣ କରିଥାନ୍ତି।
ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ