ପୁରୀ: ଶ୍ରୀମନ୍ଦିରରେ ରୂପାରେ ଦ୍ୱାର ଛାଉଣୀ କାର୍ଯ୍ୟ ଆଗାମୀ ୧୦ ଦିନ ଭିତରେ ଆରମ୍ଭ ହେବ । କାଠ ଡ଼ିଜାଇନ ଚୁଡ଼ାନ୍ତ ହେଇଥିଲେ ହେଁ ରୂପା ଆସ୍ତରଣ ଡ଼ିଜାଇନ ଚୁଡ଼ାନ୍ତ ହୋଇନାହିଁ । ନେଭମ୍ୱର ୯ ରେ ରୂପା ଆସ୍ତରଣ ଡ଼ିଜାଇନକୁ ନେଇ ଦ୍ୱିତୀୟ ବୈଠକ ବସିବ ।
ଶ୍ରୀମନ୍ଦିରରେ ରୁପା କବାଟ ଲାଗିବା ନେଇ ବୈଠକ ଉତ୍କଳୀୟ କଳାଶୈଳୀ ଆଧାରରେ ଶ୍ରୀମନ୍ଦିରର ଦ୍ୱାର ନିର୍ମାଣ କାର୍ଯ୍ୟ ହେବ । ପ୍ରଥମେ ପରୀକ୍ଷଣ ଭାବରେ ସାତପାହାଚ ଦ୍ୱାରର କରାଯିବ ରୂପା ଛାଉଣୀ । ପରବର୍ତ୍ତୀ ପର୍ଯ୍ୟାୟରେ ଆସନ୍ତାବର୍ଷ ରଥଯାତ୍ରା ସମୟରେ କଳାହାଟ, ଜୟବିଜୟ ଓ ବେହରଣ ଦ୍ୱାରକୁ କରାଯିବ ରୂପା ଛାଉଣୀ ।ଏହାପରେ ମା' ମହାଲକ୍ଷ୍ମୀ, ମା' ବିମଳା ଓ ନୃସିଂହ ମନ୍ଦିର ଭଳି ୧୧ ଟି ଦ୍ୱାରକୁ ରୂପା ଛାଉଣୀ ପାଇଁ ପ୍ରଥମ ବୈଠକରେ ପ୍ରସ୍ତାବ ଦିଆଯାଇଛି । ବର୍ମାଟିକ କାଠରେ ନିର୍ମାଣ ହେବ ଚାରି ଇଞ୍ଚ ମୋଟେଇର ଦ୍ୱାର । ପ୍ରାୟ ୨୫୦୦ କିଲୋ ବା ୨.୫ ଟନ ରୂପା ବ୍ୟବହାର ହେବ । ସଦସ୍ୟ ଦ୍ୱାରର ଡ଼ିଜାଇନ, ମରାମତି ଓ ତତ୍ୱାବଧାନ ନେଇ ୧୭ ଜଣିଆ ତତ୍ୱାବଧାରଣ କମିଟି ଗଠିତ ହୋଇଛି । ନିଳାଦ୍ରୀ ଭକ୍ତ ନିବାସରେ କଡ଼ା ସୁରକ୍ଷା ମଧ୍ୟରେ ଏହି ରୁପା କବାଟ ନିର୍ମାଣ କାର୍ଯ୍ୟ ହେବ । ତେବେ ଦେଶରବିଭିନ୍ନ ମନ୍ଦିରର ଦ୍ୱାର ଓ କାରୁକାର୍ଯ୍ୟର ଡ଼ିଜାଇନ ଆଜିର ବୈଠକରେ ପ୍ରଦର୍ଶନ କରାଯାଇଥିଲେ ହେଁ ଉତ୍କଳୀୟ କଳାଶୈଳୀ ଓ ସ୍ଥାପତ୍ୟ ଆଧାରରେ କାଠ ଡ଼ିଜାଇନ ପାଇଁ ଅଧିକାଂଶ ସେବାୟତ ପ୍ରତିନିଧି କହିଛନ୍ତି । ମୁମ୍ୱାଇର ଜଣେ ବଦାନ୍ୟ ଦାତା ନିଜ ଖର୍ଚ୍ଚ ଓ ଅଭିଜ୍ଞ କାରିଗରଙ୍କ ଦ୍ୱାରା ଏହି କାର୍ଯ୍ୟ ହେବ । କଳାହାଟ ଦ୍ୱାରର ସୁବର୍ଣ୍ଣ ଆସ୍ତରଣ ପାଇଁ ଛତିଶା ନିଯୋଗ ମହାନାୟକ ପ୍ରସ୍ତାବ ଦେଇଛନ୍ତି । ଆଜିର ବୈଠକରେ ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକ, ନୀତି ପ୍ରଶାସକ, ପରିଚାଳନା କମିଟି ସଦସ୍ୟ,ବିଭିନ୍ନ ନିଯୋଗର ପ୍ରତିନିଧି ଓ ଏଏସଆଇ ପ୍ରତିନିଧି ଯୋଗ ଦେଇଥିଲେ ।
ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ