ପୁରୀ: ଆଜି ପବିତ୍ର ମାଘ ସପ୍ତମୀ, ଖାଁ ଖାଁ ଚନ୍ଦ୍ରଭାଗା ବେଳାଭୂମି । କୋଭିଡ କଟକଣା ହେତୁ ଚଳିତଥର ମଧ୍ୟ ଶ୍ରଦ୍ଧାଳୁମାନେ ଚନ୍ଦ୍ରଭାଗାରେ ବୁଡ ଓ ସୂର୍ଯ୍ୟ ଦର୍ଶନ କରି ପାରିନାହାନ୍ତି । ଫଳରେ ଠାକୁରଙ୍କ ରୀତିନିତୀ ପରେ ତୀର୍ଥ ପୁଷ୍ପରଣୀରେ ବୁଡ ପକାଇଥିଲେ ସାଧୁସନ୍ଥ । ଆଜିର ତିଥିରେ ପ୍ରଭୁ ସୂର୍ଯ୍ୟଦେବ ଜନ୍ମ ଗ୍ରହଣ କରିଥିଲେ । ଆଜିର ଦିନରେ ଚନ୍ଦ୍ରଭାଗାରେ ସ୍ନାନକରି ଉଦିତ ସୂର୍ଯ୍ୟଙ୍କୁ ଦର୍ଶନ କଲେ ରୋଗ ଶୋକରୁ ମୁକ୍ତି ମିଳିଥାଏ ବୋଲି ବିଶ୍ଵାସ ରହିଛି ।
ପରମ୍ପରା ଅନୁସାରେ ଆଜି ଚନ୍ଦ୍ରଭାଗାରେ ହଜାର ହଜାର ଭକ୍ତ ଚନ୍ଦ୍ରଭାଗା ପବିତ୍ର ତୀର୍ଥ ପୁଷ୍ପରଣୀରେ ସ୍ନାନ କରିଥାନ୍ତି । କିନ୍ତୁ ଚଳିତ ବର୍ଷ କୋଭିଡ କଟକଣା ପାଇଁ ମେଳା ପଡିଆ ଓ ତୀର୍ଥ ପୁଷ୍ପରଣୀରେ ପ୍ରଶାସନ 144 ଧାରା ଜାରି କରିଛି । ବିନା ଭକ୍ତରେ ସମସ୍ତ କାର୍ଯ୍ୟ ତ୍ଵରାନିତ ହୋଇଛି । ତିନି ଠାକୁର ତ୍ରିବେଣେଶ୍ଵର, ଇସାନେଶ୍ଵର, ଦକ୍ଷିଣେଶ୍ବର ବିମାନରେ ବିଜୟମାନ ହୋଇ ଶୋଭାଯାତ୍ରାରେ ଆସିବା ପରେ ଅନନ୍ତ ଅବଧୁତ ମଠରୁ ତୀର୍ଥ ଆଳତି ପାଇଁ ଆସିଥିବା ଅଖଣ୍ଡ ଯଜ୍ଞକୁଣ୍ଡରୁ ଜ୍ୟୋତି ଚନ୍ଦ୍ରଭାଗା ପୁଷ୍ପରିଣୀ ନିକଟରେ ଆଳତି କରାଯାଇଥିଲା ।
ଆଳତିପରେ ପରମ୍ପରା ଅନୁସାରେ ପ୍ରଥମେ ତିନି ଠାକୁର ସ୍ନାନ କରିବା,ପରେ ସାଧୁସନ୍ଥ ତୀର୍ଥ ପୁଷ୍ପରଣୀରେ ସ୍ନାନ କରିଥିଲେ । ଲୋକକଥାନୁସାରେ ପ୍ରଭୁ କୃଷ୍ଣଙ୍କ ପୁଅ ଶାମ୍ଵ କୁଷ୍ଠରୋଗରେ ପିଡୀତ ଥିବା ବେଳେ ଚନ୍ଦ୍ରଭାଗାରେ ସ୍ନାନ କରି ଉଦିତ ସୂର୍ଯ୍ୟ ଦର୍ଶନ କରି ମୁକ୍ତି ପାଇଥିଲେ ବୋଲି ସାଧୁସନ୍ଥ କହିଛନ୍ତି ।
ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ