ପୁରୀ: ପୁରୀରେ ଅନ୍ତର୍ଜାତୀୟ ମହିଳା ଦିବସ ସ୍ଥାନୀୟ ସଦଭାବନା ସଭାଗୃହରେ ପାଳିତ ହୋଇଛି । ଜିଲ୍ଲା ସମାଜ କଲ୍ୟାଣ କାର୍ଯ୍ୟାଳୟ ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ଏହି ଦିବସ ପାଳିତ ହୋଇଛି । ଜିଲ୍ଲାପାଳ ସମର୍ଥ ବର୍ମା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଚଳିତ ବର୍ଷର ଆଲୋଚ୍ୟ ପ୍ରସଙ୍ଗ "ଆଜିର ଲିଙ୍ଗଗତ ସମାନତା କାଲିର ସୁରକ୍ଷା କବଚ" ଉପରେ ଆଲୋଚନା କରିଛନ୍ତି ।
ସେହିପରି ପ୍ରତ୍ୟେକ କ୍ଷେତ୍ରରେ ମହିଳା ନିଜର ପାରଦର୍ଶିତା ପ୍ରତିପାଦିତ କରି ଚାଲିଛନ୍ତି । ତେବେ ମହିଳାଙ୍କୁ ପୁରୁଷଙ୍କ ଭଳି ସମାନ ଗୁରୁତ୍ବ ଦିଆଗଲେ ଅନେକ ସାମାଜିକ ସମସ୍ୟାର ସମାଧାନ ହୋଇପାରିବ । ଏଥିପାଇଁ ମାନସିକ ସ୍ତରରେ ପରିବର୍ତ୍ତନର ଆବଶ୍ୟକତା ରହିଛି ।
ଏହା ଦ୍ବାରା ଭବିଷ୍ୟତ ସୁରକ୍ଷିତ ହୋଇ ପାରିବ ବୋଲି ଜିଲ୍ଲାପାଳ କହିଛନ୍ତି । ଏଥି ଲାଗି ବ୍ୟାପକ ସଚେତନତା ସୃଷ୍ଟି କରିବାକୁ ସେ ପରାମର୍ଶ ଦେଇଛନ୍ତି । ସେହିଭଳି ସମ୍ମାନିତ ଅତିଥି ଭାବେ ଯୋଗଦେଇ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡଃ ସୁଜାତା ମିଶ୍ର ଓ ଅତିରକ୍ତ ଆରକ୍ଷୀ ଅଧିକ୍ଷକ ମନୋବ୍ରତା ଶତପଥି କନ୍ୟା ସନ୍ତାନଙ୍କୁ ଉଚ୍ଚତର ଓ ଉନ୍ନତ ଶିକ୍ଷା ପ୍ରଦାନ କରିବା ଉପରେ ଗୁରୁତ୍ବାରୋପ କରିଥିଲେ ।
ଅନ୍ୟପଟେ ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ ପୁଷ୍ପାଞ୍ଜଳି ମହାପାତ୍ର କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ଅତିରିକ୍ତ ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ ବିଜୟ କୁମାର ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ । ଶ୍ରେଷ୍ଠ ସିଡିପିଓ, ସୁପରଭାଇଜର ଓ ଅଙ୍ଗନୱାଡି କର୍ମୀ, ସ୍ବୟଂସହାୟକ ଗୋଷ୍ଠୀଙ୍କୁ ସମ୍ବର୍ଦ୍ଧିତ ଏବଂ ଏହି ଅବସରରେ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତାର କୃତି ଛାତ୍ରଛାତ୍ରୀଙ୍କୁ ମାନପତ୍ର ଓ ଟ୍ରଫି ସହ ସମ୍ମାନିତ କରାଯାଇଥିଲା ।
ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ