ପୁରୀ: ଶ୍ରୀମନ୍ଦିର ସୁରକ୍ଷା ଜୋନରେ ଥିବା କଟକୀ ମଠର ଆଜି ଚାଲିଛି ଉଚ୍ଛେଦ ପ୍ରକ୍ରିୟା। ପଶ୍ଚିମ ଦ୍ବାର ନିକଟ ଗଡନ୍ତି ଛକରେ ଥିବା ଏହି କଟକୀ ମଠକୁ ପୂର୍ଵ ପ୍ରସ୍ତୁତି ମୁତାବକ ଉଚ୍ଛେଦ କରାଯାଉଛି। ଜେସିବି ମେସିନ ସାହାଯ୍ୟରେ ମଠଗୃହ ଉଚ୍ଛେଦ କରାଯାଉଛି । ତେବେ ମଠର ଠାକୁରଙ୍କ ବିଜେସ୍ଥଳି, ମନ୍ଦିର, ମହନ୍ତ ଗାଦିକୁ ସୁରକ୍ଷିତ ରଖାଯାଇଛି ।
ଉପଜିଲ୍ଲାପାଳ ଭବ ତରଣ ସାହୁଙ୍କ ଉପସ୍ଥିତିରେ ଏହି ଉଚ୍ଛେଦ ପ୍ରକ୍ରିୟା ଚାଲିଛି। ଶାନ୍ତି ଶୃଙ୍ଖଳା ପାଇଁ ପୋଲିସ ଫୋର୍ସ ମୁତୟନ କରାଯାଇଛି। ତେବେ ଏହି କଟକୀ ମଠ 400 ବର୍ଷ ପୁରୁଣା ମଠ। ରାମନୁଜ ସମ୍ପ୍ରଦାୟର ଏହି ମଠ ଅଟେ। ପ୍ରଭୁ ରଘୁନାଥଙ୍କ ସମେତ ରାଧା କୃଷ୍ଣ,ଜଗନ୍ନାଥ,ବଳଭଦ୍ର ଓ ଦେବୀ ସୁଭଦ୍ରାଙ୍କ ପୂଜାର୍ଚ୍ଚନା ହୋଇଥାଏ ଏହି ମଠରେ ।
ରଥଯାତ୍ରା,ବାହୁଡାରେ ମଠ ପକ୍ଷରୁ ମହାପ୍ରଭୁଙ୍କ ନିକଟରେ ରସଗୋଲା ଭୋଗ କରାଯିବାର ସେବା ପରମ୍ପରା ରହିଛି କଟକୀ ମଠରେ। ଅନ୍ୟପଟେ ମଠ ଉଚ୍ଛେଦ ପରେ ଶ୍ରୀମନ୍ଦିରର 100 ମିଟର ଭିତରେ ମଠ ପୁନଃ ପ୍ରତିଷ୍ଠା ନେଇ ସରକାର ଗୃହ ଯୋଗାଇ ଦେବେ ବୋଲି ମଠ ସହିତ ଚୁକ୍ତି ହୋଇଛି।
ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ