ପୁରୀ: ଶ୍ରୀକ୍ଷେତ୍ରକୁ ପ୍ରତିଦିନ ହଜାର ହଜାର ପର୍ଯ୍ୟଟକ ପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ ପାଇଁ ଆସିଥାନ୍ତି। ଅନେକ ପର୍ଯ୍ୟଟକ ମଧ୍ୟ ବେଳାଭୂମିର ମଜା ଉଠାଇ ଥାନ୍ତି । ପର୍ଯ୍ୟଟକଙ୍କ ସୁରକ୍ଷା ପାଇଁ ପୁରୀ ପୋଲିସ ୨୪ ଘଣ୍ଟା ସୁରକ୍ଷା ପ୍ରଦାନ କରୁଛି। କିନ୍ତୁ ବାସ୍ତବରେ ଏହା କେତେ ସତ ସେ ନେଇ ପ୍ରଶ୍ନ ଉଠିଛି। ୨୦୧୯ ଫନି ମହାବାତ୍ୟା ପରେ ସହରର ଅଧିକାଂଶ ସିସିଟିଭି ଅଚଳ ହୋଇ ପଡ଼ିଛି। କେବଳ ଶ୍ରୀମନ୍ଦିର ସମେତ ବଡ଼ଦାଣ୍ତରେ ଅଳ୍ପ ସିସିଟିଭି କିଛି ମାତ୍ରାରେ ସଜଡ଼ା ଯାଇଥିବା ବେଳେ ସହରର ଅନ୍ୟ ପ୍ରମୁଖ ଅଞ୍ଚଳରେ ସିସିଟିଭି ଅଚଳ ହୋଇପଡିଛି । ଆଉ ଏହାର ଭରଫୁର ଫାଇଦା ନେଉଛନ୍ତି ଲୁଟେରା ।
କେତେବେଳେ ମହିଳାଙ୍କ ବେକରୁ ସୁନା ଚେନ ଲୁଟ କରୁଛନ୍ତି ତ ଆଉ କେତେବେଳେ ରାସ୍ତା କଡ଼ରେ ଥିବା ବାଇକ ଲୁଟି ନେଉଛନ୍ତି। ଅନେକ ସମୟରେ ଅସାମାଜିକ ଲୋକ ବିଭିନ୍ନ ଛକ, ବଜାରରେ ଗଣ୍ତଗୋଳ କରୁଥିବା ବେଳେ ଦାଦାବଟି ମାଗିବା ସହ ଲୋକଙ୍କୁ ମରଣାନ୍ତକ ଆକ୍ରମଣ କରି ଖସି ଯାଉଛନ୍ତି। ଆଉ ଅଚଳ ସିସିଟିଭି ଯୋଗୁଁ ପୋଲିସ ଅଭିଯୁକ୍ତଙ୍କ ସୁରାକ ବି ପାଉନି । ଅଚଳ ସିସିଟିଭିକୁ ତୁରନ୍ତ ସଚଳ କରିବା ପାଇଁ ପୁରୀବାସୀ ଦାବି କରିଛନ୍ତି। ତେବେ ଇଏ ତ ଗଲା ସିସିଟିଭି ଅବ୍ୟବସ୍ଥା କଥା ।
ରକ୍ଷାଣବେକ୍ଷଣ ଅଭାବରୁ ବିପର୍ଯ୍ୟସ୍ଥ ଅବସ୍ଥାରେ ରହିଛି ପିସିଆର ଭ୍ୟାନ। ଦଦରା ଅବସ୍ଥାରେ ଥିବା ଭ୍ୟାନକୁ ଡ଼ୋର ତଥା ରଶି ଦ୍ବାରା ବନ୍ଧା ଯାଇଥିବା ବେଳ ଆଉ କେତେକ ଭ୍ୟାନର ଇଞ୍ଜିନ ଖରାପ ଯୋଗୁଁ ଏହା ଦୃତ ଗତିରେ ମଧ୍ୟ ଗଡୁନି । ଗାଡ଼ିର ସିଟ୍ ଫାଟି ଆଁ କରିଛି। ଯାହା ଫଳରେ ବିଭିନ୍ନ ଜାଗାରେ ଅପରାଧ ଘଟିଲେ ମଧ୍ୟ ଏହି ପିସିଆର ଭ୍ୟାନ୍ ଘଟଣାସ୍ଥଳରେ ପହଞ୍ଚି ପାରୁନି। ପୁରୀ ସହରରେ ଅଧିକ ପିସିଆର ଭ୍ୟାନର ଆବଶ୍ୟକତା ଥିବା ବେଳେ ଥାନାରେ ଏହି ଭ୍ୟାନର ଅଭାବ ଯୋଗୁଁ ପର୍ଯ୍ୟାପ୍ତ ପରିମାଣରେ ପେଟ୍ରୋଲିଂ ହୋଇ ପାରୁନଥିବା କହିଛନ୍ତି ଆଇନଜୀବୀ।
ତେବେ ଲୁଣି ଜଳ ବାୟୁ ଯୋଗୁଁ ଅଧିକାଂଶ ପିସିଆର ଭ୍ୟାନର ଅବସ୍ଥା ଏପରି ହୋଇଥିବା କହିଛନ୍ତି ଏସପି। ୨୦୧୫ ନବକଳେବର ପୂର୍ବରୁ ପର୍ଯ୍ୟଟକଙ୍କ ସୁରକ୍ଷା ପାଇଁ ରାଜ୍ୟ ଗୃହ ବିଭାଗ ପକ୍ଷରୁ ୧୨ କୋଟି ଟଙ୍କା ବିନିମୟରେ ୧୮୫ ଟି ସିସିଟିଭି କ୍ୟାମେରା ପୁରୀରେ ଲଗାଯାଇଥିଲା । ଏହାସହ ନୂଆ ପିସିଆର ଭ୍ୟାନ ମଧ୍ୟ ଦିଆଯାଇଥିଲା। ପର୍ଯ୍ୟଟନ କ୍ଷେତ୍ରକୁ ସୁରକ୍ଷିତ ରଖିବା ପାଇଁ ରାଜ୍ୟ ଗୃହ ବିଭାଗ ଓ ପୋଲିସ ବିଭାଗ ଏଥିପ୍ରତି ଦାୟିତ୍ବବାନ ହେବାର ଆବଶ୍ୟକତା ରହିଛି।
ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ