ପୁରୀ: ଶ୍ରୀମନ୍ଦିର ସମ୍ମୁଖରେ କାଉଁରିଆ କାଠି ଜଳିବା ନେଇ ଲାଗିଲା କଟକଣା । ଦୀପାବଳି ଅବସରରେ ପୁରୀ ଶ୍ରୀମନ୍ଦିର ସିଂହଦ୍ବାର ସମ୍ମୁଖରେ କାଉଁରିଆ କାଠି ଜାଳିବା ଉପରେ କଟକଣା ଜାରି କରାଯାଇଛି । ଏନେଇ ପୁରୀ ଉପଜିଲ୍ଲାପାଳ ଭବତରଣ ସାହୁ ସୂଚନା ଦେଇଛନ୍ତି।
ଗୁରୁବାର ଆଲୋକର ପର୍ବ ଦୀପାବଳୀ । କୋରୋନା ଯୋଗୁଁ ଦୀପାବଳିକୁ କଟକଣାରେ ପାଳନ କରିବା ପାଇଁ ସରକାର ଗାଇଡଲାଇନ ଜାରି କରିଛନ୍ତି । ଏହାକୁ ନେଇ ପୁରୀ ଶ୍ରୀମନ୍ଦିରରେ କଟକଣା ଜାରି କରାଯାଇଛି। ସିଂହଦ୍ବାର ଓ ଏହାର ଚତୁଃପାର୍ଶ୍ବରେ ଜନ ସମାଗମ ଉପରେ ୧୪୪ ଧାରା ଜାରି କରାଯାଇଛି । ଏହି କଟକଣା ଆସନ୍ତାକାଲି ପ୍ରାତଃ ୪ ଘଟିକା ସମୟରୁ ମଧ୍ୟରାତ୍ର ପର୍ଯ୍ୟନ୍ତ ବଳବତ୍ତର ରହିବ ।
କାଉଁରିଆ କାଠି ଜାଳିବା ବେଳେ ପ୍ରବଳ ଜନ ସମାଗମ ହେବା, ପ୍ରଦୂଷଣ ମାତ୍ରା ବୃଦ୍ଧି ଓ କୋଭିଡ କଟକଣା ଉଲ୍ଲଘଂନ ହେବାର ଆଶଙ୍କା ଥିବାରୁ ଏଭଳି ନିଷ୍ପତ୍ତି ଜିଲ୍ଲା ପ୍ରଶାସନ ପକ୍ଷରୁ ଗ୍ରହଣ କରାଯାଇଛି । ଏ ସଂକ୍ରାନ୍ତରେ ଉପ ଜିଲ୍ଲାପାଳ ଭବତାରଣ ସାହୁ ଏହି ନିର୍ଦ୍ଦେଶନାମା ଜାରି କରିଛନ୍ତି । ଆସନ୍ତାକାଲି ଶ୍ରୀମନ୍ଦିରରେ ସାଧାରଣ ଦର୍ଶନ ବନ୍ଦ ରହିବ । ଉକ୍ତ ସମୟ ମଧ୍ୟରେ ସ୍ବୀକୃତିପ୍ରାପ୍ତ ବ୍ୟକ୍ତିବିଶେଷଙ୍କୁ ପ୍ରବେଶାନୁମତି ରହିବ । ଜରୁରୀକାଳୀନ ସେବା ପୂର୍ବଭଳି ଜାରି ରହିବ ।
ପୁରୀରୁ ଶକ୍ତିପ୍ରସାଦ ମିଶ୍ର, ଇଟିଭି ଭାରତ